ଫେରିବ ପରମ୍ପରା, ଶନିବାର ହାଣ୍ଡିଭଙ୍ଗା ଯାତ

ଭୁବନେଶ୍ବର: ଆସନ୍ତା ଶନିବାର ଅନୁଷ୍ଠିତ ହେବ ପାରମ୍ପରିକ ହାଣ୍ଡିଭଙ୍ଗା ଯାତ। ୬ ବର୍ଷ କାଳ ବନ୍ଦ ହୋଇଯାଇଥିବା ଏହି ପରମ୍ପରା ପୁଣି ଚଳିତ ବର୍ଷ ମହାଆଡ଼ମ୍ବରରେ ପାଳନ କରାଯିବ। ଏଥିପାଇଁ କପିଳେଶ୍ବର ମହାଦେବ ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ତେଣୁ ବନ୍ଦ ହୋଇ ଯାଇଥିବା ଏକ ସୁନ୍ଦର ପରମ୍ପରା ଫେରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।

ପରମ୍ପରା ଅନୁସାରେ ମହାଶିବରାତ୍ରି ଓ ଅମାବାସ୍ୟା ତିଥି ପରେ ପଡ଼ୁଥିବା ପ୍ରଥମ ଶନିବାରରେ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୁଏ। ଆବହମାନ କାଳରୁ ଏହି ଯାତ ଅନୁଷ୍ଠିତ ହୋଇଆସୁଛି। ବିଧି ଅନୁସାରେ ଏହି ତିଥିରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ପ୍ରଥମେ କପିଳେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି ଓ ପରେ ଐଶାନେଶ୍ୱର ମନ୍ଦିରକୁ ବିଜେ କରିଥାନ୍ତି। ଏନେଇ କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡର ଏକ ସ୍ବତନ୍ତ୍ର ବୈଠକ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଟ୍ରଷ୍ଟ ବୋର୍ଡର ସଭ୍ୟ ଅବନୀକାନ୍ତ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଚଳିତ ବର୍ଷ ଏହି ଯାତର ସମସ୍ତ ବିଧି କାର୍ଯ୍ୟକାରୀ ହେବ।

ଏଥିପାଇଁ କପିଳେଶ୍ବର ମନ୍ଦିରର ବରିଷ୍ଠ ମଲିଆ ଓ ବରିଷ୍ଠ ଖୁଣ୍ଟିଆ ସେବାୟତଙ୍କ ସହ ଆଲୋଚନା କରାଯାଇଛି। କପିଳେଶ୍ବର ମଲିଆ ସେବାୟତଙ୍କ କହିବା କଥା ଏହି ଯାତ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଏକ (ସୂଚନା) ନିମନ୍ତ୍ରଣ ଦିଆଯାଉ। ଏଥିରେ ପ୍ରଶାସନ ରାଜି ହୋଇଛି ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଏକ (ସୂଚନା) ନିମନ୍ତ୍ରଣ ଦିଆଯିବ। ଉକ୍ତ ବୈଠକରେ ଦେବୋତ୍ତର କମିସନରଙ୍କ ସହ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ବିଏମ୍‌ସି ଡେପୁଟି କମିସନର ଓ ଦେବୋତ୍ତର ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର