ଭୁବନେଶ୍ବର: ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆନୁକୂଲ୍ୟରେ ‘ଅନୁସୂଚିତ ଅଞ୍ଚଳରେ ପାରମ୍ପରିକ ପଦ୍ଧତିରେ ବିବାଦ ସମାଧାନ’ ଶୀର୍ଷକ ଦୁଇଦିନିଆ ଜାତୀୟ କର୍ମଶାଳା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍‌ଘାଟନ କରିଛନ୍ତି। ଏଥିରେ୧୦ଟି ‘ପେସା’ ରାଜ୍ୟର ୫୩ଜଣ ପ୍ରଶିକ୍ଷାର୍ଥୀ ଅଶଂଗ୍ରହଣ କରିଥିଲେ।

Advertisment

୭୩ତମ ସମ୍ବିଧାନ ସଂଶୋଧନର ବ୍ୟବସ୍ଥାଗୁଡ଼ିକୁ ଭାରତର ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରିତ କରି ଆଦିବାସୀ ଅଞ୍ଚଳରେ ସ୍ଥାନୀୟ ଶାସନକୁ ସୁଦୃଢ଼ ଓ ସଶକ୍ତ କରିବା ହେଉଛି ପେସା ଅଧିନିୟମ-୧୯୯୬ର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଅତିଥିମାନେ କହିଥିଲେ। ବିବିଧ ଆଦିବାସୀ ସଂସ୍କୃତି ହେତୁ ଓଡ଼ିଶା ସମଗ୍ର ଦେଶରେ ଅନନ୍ୟ ସ୍ଥାନ ହାସଲ କରିଛି। ଓଡିଶାର ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା ମୋଟଜନସଂଖ୍ୟାର ୨୨.୮୫ ପ୍ରତିଶତ ରହିଛି। ଯାହାକି ସମଗ୍ର ଦେଶର ଜନସଂଖ୍ୟାର ୯.୬୬ ପ୍ରତିଶତ। ଅର୍ଥାତ୍‌ ଅନୁସୂଚିତ ଜନଜାତି ଜନସଂଖ୍ୟାକୁ ବିଚାରକୁ ନେଲେ ଓଡ଼ିଶା ହେଉଛି ଭାରତର ତୃତୀୟ ବୃହତ୍ତମ ରାଜ୍ୟ ଓ ଓଡ଼ିଶାରେ ୬୪ ପ୍ରକାରର ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆଦିବାସୀ ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶାରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଆଲୋଚନା କରାଯାଇଥିଲା। ‘ପେସା’ ସ୍ୱୟଂଶାସନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହିତ, ସଂପ୍ରଦାୟଗୁଡ଼ିକୁ ସମ୍ବଳର ସୁପରିଚାଳନା କରିବାକୁ ଅନୁମତି ଦେଇଥାଏ, ଆଦିବାସୀଙ୍କ ଜମି ହସ୍ତାନ୍ତରୀକରଣକୁ ପ୍ରତିରୋଧ କରେ ଓ ସ୍ଥାନୀୟ ରୀତିନୀତି ଅନୁଯାୟୀ ଗ୍ରାମ୍ୟ କଳହର ସମାଧାନ କରିଥାଏ। ବିକାଶରେ ସ୍ଥାନୀୟ ଭାଗୀଦାରୀକୁ ସୁଦୃଢ଼ କରି ଆଦିବାସୀ ଅଧିକାର ଓ ସଂସ୍କୃତିକୁ ସୁରକ୍ଷା ଦେବାରେ ସହାୟତା କରିଥାଏ। ୨ଦିନରେ ପରିଚାଳିତ ହୋଇଥିବା ୮ଟି ସେସନ୍‌ରେଏହି ସବୁ ବିଷୟ ଉପରେ ସାରଗର୍ଭକ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅର୍ଥନୈତିକ ଉପଦେଷ୍ଟା ବିଜୟକୁମାରବେହେରା, ରାଜ୍ୟ ଗ୍ରାମ୍ୟଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା, ପ୍ରତିଷ୍ଠାନର ଉପନିର୍ଦ୍ଦେଶିକା ଅମିତା ପାତ୍ର ଓ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।