ଭୁବନେଶ୍ବର: ବେଙ୍ଗାଲୁରୁସ୍ଥିତ ରବୀନ୍ଦ୍ର କଳାକ୍ଷେତ୍ରଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ‘ଓଡ଼ିଶା ଉତ୍ସବ’ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମି ଆନୁକୂଲ୍ୟରେ ଚାଲିଥିବା ତିନିଦିନିଆ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଓ ପାରମ୍ପରିକ ପଟ୍ଟଚିତ୍ର ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ୩ ଦିନ ଧରି ଚାଲିଥିବା ପ୍ରଦର୍ଶନୀରେ ବେଙ୍ଗାଲୁରୁଠାରେ ରହୁଥିବା ବହୁ ଓଡ଼ିଆ ଓ ବେଙ୍ଗାଲୁରୁବାସୀ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଓ ଯୁବଶିଳ୍ପୀମାନଙ୍କର ସମସାମୟିକ ଚିତ୍ରକଳା ଦେଖିବାର ସୁଯୋଗ ପାଇଥିଲେ। ପଟ୍ଟଚିତ୍ର ଶିବିରରେ ଓଡ଼ିଶାର ୧୦ଜଣ ନାରୀ ଚିତ୍ରଶିଳ୍ପୀ ଦ୍ୱାରା ପ୍ରସ୍ତୁତ ୧୬ଫୁଟ୍‌ର ପାରମ୍ପରିକ ପଟ୍ଟଚିତ୍ର ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା।

Advertisment

ଏକାଡେମି ଦ୍ୱାରା ପ୍ରଥମଥର ପାଇଁ ଓଡ଼ିଶା ବାହାରେ ଏପରି ବୃହତ୍‌ ଆକାର ପଟ୍ଟଚିତ୍ରର ପ୍ରସ୍ତୁତି ଓ ପ୍ରଦର୍ଶନ ହୋଇଛି ବୋଲି ଏକାଡେମି ସଚିବ ପଞ୍ଚାନନ ସାମଲ କହିଛନ୍ତି। ଏହାଦ୍ୱାରା ଓଡ଼ିଶୀ ପଟ୍ଟଚିତ୍ରର ସ୍ୱତନ୍ତ୍ର ଶୈଳୀକୁ ଦର୍ଶକ ଉପଲବ୍ଧି କରିବା ସହ ଆମ ଐତିହ୍ୟର ପ୍ରଚାର ଓ ପ୍ରସାର ହୋଇଥିଲା। ୧୬ ଫୁଟ୍‌ରେ ୪ ଫୁଟ୍‌ର ଏହି ଚିତ୍ରଟିରେ ଶିଳ୍ପୀମାନେ ମଝିରେ ଶ୍ରୀକୃଷ୍ଣଙ୍କ ରାସଲୀଳା ସହିତ ବାମପାର୍ଶ୍ୱରେ ଗିରିଗୋବର୍ଦ୍ଧନ ଓ ଡାହାଣ ପାର୍ଶ୍ୱରେ କାଳୀୟ ଦଳନର ଚିତ୍ରକୁ ନିଖୁଣ ଭାବରେ ଅଙ୍କନ କରିଥିଲେ। ଏହି ଅବସରରେ ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ମହିଳାମାନଙ୍କ ମଧ୍ୟରେ ପାରମ୍ପରିକ ଝୋଟି ପ୍ରତିଯୋଗିତା ହୋଇଥିଲା। ଝୋଟିରେ ଉର୍ମିଳା ରଥ ପ୍ରଥମ, ବିଷ୍ଣୁପ୍ରିୟା ମହାପାତ୍ର ଦ୍ୱିତୀୟ, ସ୍ୱାଗତିକା ରଥ ତୃତୀୟ, ଲୋପାମୁଦ୍ରା ପରିଡ଼ା ଚତୁର୍ଥ ଓ ମୁରୁଜରେ ପ୍ରୋଦୀପ୍ତା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ପାଇଁ ବିବେଚିତ ହୋଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡ଼ିଶା ଲଳିତକଳା ଏକାଡେମିର ସଭାପତି ସୁଦର୍ଶନ ପଟ୍ଟନାୟକ, ସୁବିଖ୍ୟାତ ଲୋକକଳା ଶିଳ୍ପୀ କେ. ଶିବାନନ୍ଦ ହେଗଡେ, ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ, ବିଭାଗର ଯୁଗ୍ମ ନିର୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ଓଡ଼ିଶା ସଂଗୀତ, ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ପ୍ରମୁଖ ଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ବୃହତ ପଟ୍ଟଚିତ୍ରର ପ୍ରଶଂସା କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ। ସନ୍ଧ୍ୟାରେ ଅତିଥିମାନେ ଝୋଟି ଓ ମୁରୁଜରେ କୃତୀ ପ୍ରତିଯୋଗୀଙ୍କୁ ଓ ୧୦ଜଣ ପଟ୍ଟଚିତ୍ର ଶିଳ୍ପୀଙ୍କୁ ଟ୍ରଫି ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।