ସୁସ୍ଥ ସମାଜ ଗଠନ ପାଇଁ ପାରମ୍ପରିକ ଚିକିତ୍ସା ପଦ୍ଧତିର ପୁନରୁତ୍ଥାନ ଜରୁରୀ

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିନୋବା ସେବା ପ୍ରତିଷ୍ଠାନ, ଭୁବନେଶ୍ୱର ଓ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ସହାୟତାରେ ଚଳିତବର୍ଷର ଆୟୁର୍ବେଦ ପର୍ବ ଡାକ୍ତର ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜରେ ଗତ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆୟୁଷ ବିଭାଗର ନିର୍ଦ୍ଦେଶକ ଡାକ୍ତର ତ୍ରିଲୋଚନ ମାଝି, ଅଭିନ ଚନ୍ଦ୍ର ହୋମିଓପାଥି ମେଡକାଲ କଲେଜର ଅଧ୍ୟକ୍ଷ ଡାକ୍ତର ସୁଧୀର ଦାସ, ନିର୍ବାଚନ କମିସନ୍‌ର ଉପଦେଷ୍ଟା ଡ. ଭଗବାନ ପ୍ରକାଶ, ରାଜ୍ୟ ମହିଳା କମିସନ୍‌ର ପୂର୍ବତନ ଚେୟାରମ୍ୟାନ୍‌ ନମ୍ରତା ଚଢ଼ା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସାଂସଦ ଶ୍ରୀ ମହାପାତ୍ର ଆୟୁର୍ବେଦର ସମୃଦ୍ଧିରେ ହିଁ ସମାଜର ସମୃଦ୍ଧି ହୋଇପାରିବ ବୋଲି କହିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଦାସ ଆୟୁଷ ଚିକିତ୍ସାକୁ ସର୍ବୋତ୍କୃଷ୍ଟ ଚିକିତ୍ସା ଭାବେ ଅଭିହିତ କରିବା ସହ ସର୍ବଦା ଜଣେ ମଣିଷ ଏହି ଚିକିତ୍ସାରେ ରହିଲେ ଦୀର୍ଘାୟୁ ହୋଇପାରିବ। ରାଜ୍ୟ ସରକାର ଏହି ଚିକିତ୍ସା ପଦ୍ଧତିର ପ୍ରଚାରପ୍ରସାରକୁ ଅଗ୍ରାଧିକାର ଦେଇଛନ୍ତି ବୋଲି ସେ କହିଥିଲେ। ଡ. ଭଗବାନ ପ୍ରକାଶ ଆ‌ୟୁର୍ବେଦର ଲୋକପ୍ରିୟତା ବଢ଼ୁଛି ବୋଲି କହିଥିଲେ। ଆୟୁଷ ନିର୍ଦ୍ଦେଶକ ଶ୍ରୀ ମାଝୀ ପ୍ରତିଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏକ ଉଚ୍ଚସ୍ତରୀୟ ବୈଠକ କରି କିଭଳି ଭାବେ ଏହି ପ୍ରୟାସକୁ ରାଜ୍ୟର କୋଣଅନୁକୋଣରେ ପହଞ୍ଚା ଯାଇପାରିବ, ତାହା ଉପରେ ଆଲୋଚନା କରିଥିଲେ। ପୂର୍ବତନ ମହିଳା କମିସନ୍‌ ନମ୍ରତା ଚଢ଼ା ସ୍କୁଲ ପାଠ୍ୟକ୍ରମରେ ଆୟୁଷ ଚିକିତ୍ସା ପଦ୍ଧତିକୁ ମିଶାଇବା ନେଇ ସରକାରଙ୍କୁ ଅନୁରୋଧ କରିଥି‌ଲେ। ଓଡ଼ିଶା ଅଭିଭାବକ ମହାସଂଘର ଚେୟାରମ୍ୟାନ୍‌ ବାସୁଦେବ ଭଟ୍ଟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସୁରକ୍ଷାରେ ହିଁ ଆମ ଭବିଷ୍ୟତ ସୁରକ୍ଷା ବୋଲି କହିଥିଲେ।

ଏହି ଅବସରରେ ଏକ ସୋଭେନିୟର୍‌କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସେମିନାର୍‌ ମାଧ୍ୟମରେ ଡା. ଦୀପକ ସ୍ବାଇଁ, ଡା. ଜି.ସି ଭୂ୍ରାଁ, ଡା. ଭବାନୀ ଶଙ୍କର ପାଲ, ଡା. ପୂର୍ଣ୍ଣେନ୍ଦୁ ପଣ୍ଡା, ଡା. ଅଶୋକ ପଣ୍ଡା, ଡାକ୍ତର ଇନ୍ଦୁ, ଡା. ସ୍ନେହମୟୀ ମିଶ୍ର, ଡା. କେଦାରନାଥ ନାୟକ ପ୍ରମୁଖ ପାରମ୍ପରିକ ଚିକିତ୍ସା ଉପରେ ନିଜର ଗବେଷଣାପତ୍ର ଉପସ୍ଥାପନ କରିଥିଲେ। ସେମିନାର୍‌ର ପ୍ରଥମ ଅଧିବେଶନକୁ ଡାକ୍ତର ଅଶୋକ ପଣ୍ଡା ଓ ଦ୍ବିତୀୟ ଅଧିବେଶନକୁ ଡା. ପୂର୍ଣ୍ଣେନ୍ଦୁ ପଣ୍ଡା ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ଦେଶ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଊର୍ଧ୍ବ ଡାକ୍ତର, ବୁଦ୍ଧିଜୀବୀ, ବକ୍ତା, ସାଧାରଣ ଲୋକ ଯୋଗ ଦେଇଥିଲେ। ଏହି ଅବସରରେ ସରକାରଙ୍କ ଆୟୁର୍ବେଦ, ହୋମିଓପାଥି, ସିଦ୍ଧ, ୟୁନାନୀ ଓ ଯୋଗ ବିଭାଗ ଦ୍ବାରା ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୫୦ରୁ ଊର୍ଧ୍ବ ସାଧାରଣ ଜନତାଙ୍କର ଚିକିତ୍ସା କରାଯାଇଥିଲା। ସଂଗଠନର ସାଧାରଣ ସଂପାଦକ ମନୋଜ ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରତିଷ୍ଠାନର ସଂଯୋଜକ ରମେଶ ଭାରତୀ ଧନ୍ୟବାଦ ଦେଇଥିଲେ। ରଘୁନାଥ ମଣ୍ଡଳ, ଶୁଭଶ୍ରୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର