ଭୁବନେଶ୍ବର : ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବରିଷ୍ଠ ପୁଲିସ ବିଭାଗର ଅଦଳ ବଦଳ ହୋଇଛି। ଏଥିରେ ଭୁବନେଶ୍ବର ଟ୍ରାଫିକ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀଙ୍କର ବଦଳି କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ହୋଇଛି। ତାଙ୍କ ସ୍ଥାନରେ କ୍ୟାଡେଟ ଡିଏସ୍ପି ସ୍ବସ୍ତିକ ପଣ୍ଡା ଯୋଗ ଦେବେ। ସେହିପରି ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଳ ଓ ବାଲେଶ୍ବର ଡିଆଇବି ଡିଏସପି ରଜତ କୁମାର ରାୟଙ୍କ ବଦଳି କମିସନରେଟ ପୁଲିସକୁ ହୋଇଛି। ଖୁବଶୀଘ୍ର ସମସ୍ତେ କମିସନରେଟ ପୁଲିସରେ ଯୋଗ ଦେବେ ବୋଲି ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ଗତ ମେ’ ମାସରେ ସାଧାରଣ ନିର୍ବାଚନ ପୂର୍ବରୁ କମିସନରେଟ ପୁଲିସର ଅନେକ ଅଫିସରଙ୍କୁ ଜିଲ୍ଲା ପାର ବଦଳି କରାଯାଇଥିଲା। ନିର୍ବାଚନ ପରେ ପରେ ପୁଣି ଥରେ ପୁଲିସ ଅଧିକାରୀମାନଙ୍କୁ କମିସନରେଟ ପୁଲିସକୁ ଫେରାଇ ଅଣାଯାଉଛି। ନିର୍ବାଚନ ପୂର୍ବରୁ ଯାଜପୁର ବଦଳି ହୋଇଥିବା ରବି ଶତପଥୀଙ୍କୁ ଫେରାଇ ଅଣାଯାଇ କମିସନରେଟ ପୁଲିସ ମୁଖ୍ୟାଳୟ ଏସିପି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ପୂର୍ବରୁ ସ୍ପେସାଲ ବ୍ରାଞ୍ଚରେ ଥିବା ସତ୍ୟଜିତ ମିଶ୍ରଙ୍କୁ ମଧ୍ୟ ଅଣାଯାଇ ଗ୍ରିଭାନ୍ସ ସେଲ ଏସିପି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଡିଏସପି ରଜତ ରାୟ ଓ ପ୍ରକାଶ ଚନ୍ଦ୍ର ପାଳଙ୍କର ବଦଳି କମିସନରେଟ ପୁଲିସକୁ ହୋଇଛି।
ସେହିପରି କିଛି ଦିନ ତଳେ ଇନ୍ସପେକ୍ଟର ବନିତା ମହାରଣାଙ୍କର ଭୁବନେଶ୍ବର ବଦଳି ହୋଇଥିଲା। ସେ ଏବେ ମହିଳା ଥାନା ଇନ୍ସପେକ୍ଟର ଦାୟିତ୍ବରେ। କଟକରେ ଥିବା ଇନ୍ସପେକ୍ଟର ଦୀପକ ମିଶ୍ରଙ୍କ ବଦଳି ଭୁବନେଶ୍ବର ହୋଇଛି। ସେ ଏବେ କମିସନରେଟ ପୁଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ। ଜଣେ ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି, ଯେଉଁମାନେ ଦକ୍ଷ ଅଫିସର ସେମାନଙ୍କୁ ପୁଣି ଥରେ କମିସନରେଟ ପୁଲିସକୁ ଫେରାଇ ଅଣାଯାଉଛି। କାରଣ ସେମାନଙ୍କର କମିସନରେଟ ପୁଲିସରେ କାମ କରିବାର ଅନେକ ଅଭିଜ୍ଞତା ରହିଛି। ଅପରାଧ ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବାରେ ଏହି ସବୁ ଅଫିସରମାନେ ସିଦ୍ଧହସ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Traffic-Acp.jpg)