ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର ପାଇଁ ଦିନ ୧ଟାରୁ ରାତି ୮ଟା ଯାଏଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଶେଷ କରିଛି। ଆଜି ଟ୍ରାଫିକ୍‌ କଟକଣାକୁ ନେଇ କମିସନରେଟ ପୁଲିସ ସର୍ବସାଧାରଣ ବିଜ୍ଞପ୍ତି ଜାରି କରିଛି। ୧୩ରୁ ୧୭ ତାରିଖ ମଧ୍ୟରେ ଅପରାହ୍‌ଣ ଗୋଟାଏରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ  ଟ୍ରାଫିକ୍‌ କଟକଣା କରାଯାଇଛି। ଏହି ସମୟ ମଧ୍ୟରେ ରଥଗଡ଼ାଠାରୁ ଆରମ୍ଭ କରି ମୁନା ମେଡିକାଲ, ତିନିମୁଣ୍ଡିଆରୁ ବାରିକ ସାହି ଦେଇ ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ କୌଣସି ଗାଡ଼ି ଚଳାଚଳ କରିପାରିବ ନାହିଁ। ସମସ୍ତ ପ୍ରକାରର ଯାନର ଗତିପଥ ବିବେକାନନ୍ଦ ମାର୍ଗକୁ ପରିବର୍ତ୍ତନ କରାଯିବ। ବାରିକ ସାହି ଓ ଭୀମଟାଙ୍ଗି ଆଡୁ ଆସୁଥିବା ସମସ୍ତ ଗାଡ଼ିର ଗତିପଥ ମୁନା ମେଡିକାଲ ଛକ ଦେଇ ହାଟସାହି ଆଡ଼କୁ ପରିବର୍ତ୍ତନ କରାଯିବ। ଗ୍ୟାରେଜ୍‌ ଛକରୁ ଆସୁଥିବା ସମସ୍ତ ଗାଡ଼ି ସିଂହଦ୍ବାରଠାରୁ ହାଟସାହି ଆଡ଼କୁ ପଠାଇ ଦିଆଯିବ। ବସ୍‌ ଓ ଅନ୍ୟାନ୍ୟ ଚାରି ଚକିଆ ତଥା ବଡ଼ ଗାଡ଼ି ଲିଙ୍ଗରାଜ ମନ୍ଦିର ପାଖରେ ଥିବା ନୂଆ ପାର୍କିଂ ସ୍ଥଳରେ ରହିବ। ସେହିଭଳି କାଚେରା ପିଣ୍ଡିରୁ ଆସୁଥିବା ସମସ୍ତ ଗାଡ଼ି ତିନିମୁଣ୍ଡିଆକୁ ଆସିବାକୁ ଦିଆଯିବ ନାହିଁ। ଏହାକୁ ଅମାନ୍ୟ କଲେ ୫ଶହରୁ ୧ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ ତାରିଖରେ ରୁକୁଣା ରଥଯାତ୍ରା ହେବାକୁ ଥିବା ବେଳେ ୧୭ ତାରିଖରେ ବାହୁଡ଼ାଯାତ୍ରା ରହିଛି। ଯାତ୍ରା ପରିଚାଳନା ଓ ସୁରକ୍ଷା ପାଇଁ ୬ ଏସିପିଙ୍କ ସମେତ ୧୩ ଇନ୍‌ସପେକ୍ଟର ଓ ୧୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବା ପାଇଁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର