ଜାରି ହେଲା ଟ୍ରାଫିକ୍‌ ଓ ପାର୍କିଂ କଟକଣା

ଦିନକ ପରେ ଜାମସେଦ୍‌ପୁର-ବେଙ୍ଗାଲୁରୁ ଆଇଏସ୍‌ଏଲ୍‌ ମ୍ୟାଚ୍‌

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବାକୁ ଥିବା ଆଇଏସ୍‌ଏଲ୍‌ ଜାମସେଦ୍‌ପୁର- ବେଙ୍ଗାଲୁରୁ ମ୍ୟାଚ ପାଇଁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ତେଣୁ ଟ୍ରାଫିକ୍‌ରେ ଯେଭଳି ସମସ୍ୟା ଦେଖାନଦେବ, ସେଥିପାଇଁ କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୫ ତାରିଖ ସଂଧ୍ୟା ୮ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ରେ ହଜାର ହଜାର ଦର୍ଶକଙ୍କ ସମାଗମକୁ ନେଇ କମିସନରେଟ୍‌ ପୁଲିସ ଚାପରେ ରହିଛି। ଖେଳାଳି ଓ ଅତିଥିମାନଙ୍କୁ ଯେପରି ଟ୍ରାଫିକ୍‌ରେ ସମସ୍ୟା ନହୁଏ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ଦର୍ଶକମାନେ ମଧ୍ୟ କିପରି ସୁରୁଖୁରୁରେ ଷ୍ଟାଡିୟମରେ ପହଞ୍ଚିବେ ସେଥିପ୍ରତି ଯୋଜନା ପ୍ରସ୍ତୁତ ହୋଇଛି। କେଉଁଠି ଗାଡ଼ି ପାର୍କିଂ କରାଯିବ, କେଉଁ ରାସ୍ତା ଦେଇ ଖେଳାଳି ଆସିବେ, ସେଥିପାଇଁ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ ହୋଇଛି। ସେହିପରି କିଏ କେଉଁ ଗେଟ୍‌ ଦେଇ ଷ୍ଟାଡିୟମ ଭିତରକୁ ଯିବେ? କେତେ ସମୟ ପୂର୍ବରୁ ଷ୍ଟାଡିୟମରେ ପହଞ୍ଚିବେ? ଷ୍ଟାଡିୟମ ଭିତରକୁ କ’ଣ ନେବେ କିମ୍ବା ନେଇପାରିବେନି, ସେନେଇ କମିସନରେଟ୍‌ ପୁଲିସ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ସରିଛି। ୩ ଘଣ୍ଟା ପୂର୍ବରୁ ଷ୍ଟାଡିୟମରେ ପ୍ରବେଶ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ପ୍ରବେଶ ଉପରେ କଟକଣା

ଷ୍ଟାଡିୟମ ଭିତରକୁ ପ୍ରବେଶ ପୂର୍ବରୁ କମିସନରେଟ୍‌ ପୁଲିସ ବିଭିନ୍ନ କଟକଣା ଲାଗୁ କରିଛି। କେତେବେଳେ ପ୍ରବେଶ କରିବେ? ଭିତରକୁ ପ୍ରବେଶ ପାଇଁ କ’ଣ ଆବଶ୍ୟକ? ଭିତରକୁ କ’ଣ ନେଇପାରିବେନି ସେ ନେଇ ବିସ୍ତୃତ ବିବରଣୀ ଦିଆଯାଇଛି। ଅପରାହ୍ନ ସାଢ଼େ ୫ଟାରୁ ଗେଟ୍‌ ନଂ-୧, ୮ ଓ ୯ ଖୋଲା ରହିବ। ତେଣୁ ଟିକଟଧାରୀ, ପାସ୍‌ଧାରୀ, ଗଣମାଧ୍ୟମ ପ୍ରତିନିଧି ସ୍ୱତନ୍ତ୍ର କାର୍ଡଧାରୀ ଓ କାର୍‌ ପାସ୍‌ଧାରୀ, ନିମନ୍ତ୍ରିତ ଅତିଥି ଓ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ତଥା ଭିଭିଆଇପିମାନେ ୨-୩ ଘଣ୍ଟା ପୂର୍ବରୁ ଗେଟ୍‌ରେ ପ୍ରବେଶ ପାଇଁ ଅନୁରୋଧ କରାଯାଇଛି। ସମସ୍ତେ ନିଜ ନିଜର ଫଟୋ ପରିଚୟପତ୍ର ଯଥା: ଭୋଟର ଆଇଡି/ଆଧାରକାର୍ଡ ଭଳି ଆଇଡି କାର୍ଡ ଆଣିବାକୁ ପଡ଼ିବ। ତେବେ ଭିତରକୁ ପ୍ରବେଶ ସମୟରେ ପାଣି ବୋତଲ, ଧାରୁଆ ଅସ୍ତ୍ର, ଦିଆସିଲି ଖୋଳ ଏବଂ କୌଣସି ଆପତ୍ତିଜନକ ପଦାର୍ଥ ବା ବସ୍ତୁ ଉପରେ କଟକଣା ଲଗାଯାଇଛି।

ଷ୍ଟାଡିୟମର କେଉଁ ଗେଟ୍‌ରେ ପ୍ରବେଶ କରିବେ? ଗାଡ଼ି କେଉଁଠି ରଖିବେ?

କିଏ କେଉଁ ଗେଟ୍‌ରେ ପ୍ରବେଶ କରିବେ ସେଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଚୂଡ଼ାନ୍ତ ବିବରଣୀ ପ୍ରଦାନ କରାଯାଇଛି। ୟୁଟିଲିଟି କାର ପାସ ଓ ଗଣମାଧ୍ୟମ ପ୍ରତିନିଧି କାର୍‌ ପାସ୍‌ ସହ ଗେଟ୍‌ ନଂ-୧ରେ ପ୍ରବେଶ କରିବେ। ପାସଧାରୀ କାର ପାସ ସହ ଗେଟ ନଂ-୧, ୮ ଓ ୯ରେ ପ୍ରବେଶ କରିବେ। ଗେଟ୍‌ ନଂ-୧ରୁ ଆସୁଥିବା ଗାଡ଼ି ପାସଧାରୀ ପି-୧ରେ ଗାଡ଼ି ରଖିବେ। ଗେଟ୍‌ନଂ-୮(ଟି)ରୁ ଆସୁଥିବା ଗାଡ଼ି ପାସଧାରୀ ପି-୬ ଓ ୭ରେ ଗାଡ଼ି ରଖିବେ। ଗେଟ୍‌ ନଂ-୯(ଟି)ରୁ ଅସୁଥିବା ଗାଡ଼ି ପାସଧାରୀ ପି-୫ରେ ଗାଡ଼ି ରଖିବେ। ନନ୍ଦନକାନନ ପଟୁ ଆସୁଥିବା ପାସ ଓ ଟିକେଟ୍‌ଧାରୀ ବେହେରା ସାହି (କେବଳ ଦୁଇ ଚକିଆ) ଓ ନିକୋପାର୍କ ରୋଡ୍‌ରେ (ସମସ୍ତ ପ୍ରକାର) ଗାଡ଼ି ରଖିପାରିବେ। ଖଣ୍ଡଗିରି ଏବଂ କଟକ ପଟୁ ଏନ୍‌ଏଚ୍‌-୧୬ରେ ଆସୁଥିବା ଗାଡ଼ି ରିଜିଓନାଲ୍‌ କଲେଜ କିମ୍ବା ନିକୋପାର୍କରେ ଗାଡ଼ି ରଖିପାରିବେ। ରାଜଭବନ ପଟୁ ଆସୁଥିବା ଗାଡ଼ି ବେହେରା ସାହି କିମ୍ବା ନିକୋପାର୍କ ରୋଡ୍‌ରେ ରଖିପାରିବେ। ସିଆର୍‌ପି ପଟୁ ଆସୁଥିବା ଗାଡ଼ି ନୂଆପଲ୍ଲୀସ୍ଥିତ ରାବଣପୋଡି ପଡ଼ିଆରେ ରଖିପାରିବେ।

ସମ୍ବନ୍ଧିତ ଖବର