ଭୁବନେଶ୍ବର: ଏମ୍ସ ଅଣ୍ଡରପାସ୍ ଦିନକୁ ଦିନ ଭିଡ଼ ବଢ଼ିବାରେ ଲାଗିଛି। ଆଜି ଏକ ଆମ୍ବୁଲାନ୍ସ ୧୨ ମିନିଟ୍ ଫସି ରହିଥିବା ବେଳେ ଏହି ରାସ୍ତା ଦେଢଘଣ୍ଟା ଧରି ଜାମ୍ ହୋଇଛି। କେବଳ ଆଜି ନୁହେଁ, ପ୍ରତିଦିନ ଏଠାରେ ଏମିତି ପ୍ରବଳ ଭିଡ଼ ହେଉଛି। ଏବେ କରୋନା କଟକଣା ବଳବତ୍ତର ରହିଥିବାରୁ ଗାଡ଼ିମଟର ସଂଖ୍ୟା କମ୍ ରହିଛି। ଏହି କଟକଣା କୋହଳ ହେବା ପରେ ଏଠାରେ ଅସମ୍ଭାଳ ପରିସ୍ଥିତି ଉପୁଜିବା ଆଶଙ୍କା ପ୍ରକାଶ ପାଇଛି।
ଏମ୍ସ ଛକରେ ଥିବା ଅଣ୍ଡରପାସ୍ ଉପରେ ପାଖାପାଖି ୨ ଲକ୍ଷ ଲୋକ ଓ ଗାଡ଼ି ଯାତାୟାତ ପାଇଁ ନିର୍ଭର କରୁଛନ୍ତି। ସେମାନଙ୍କ ମଧ୍ୟରେ ଡୁମୁଡୁମା, ଆଇଗିଣିଆ, ଯଦୁପୁର, ସିଜୁଆ, ସାମନ୍ତପୁରବାସୀଙ୍କ ସମେତ ସରକାରୀ ଚିକିତ୍ସାକେନ୍ଦ୍ର ଏମ୍ସ, କସ୍ମୋପଲିସ୍ ଆପାର୍ଟମେଣ୍ଟ, ଆଇଟିଟିଏମ୍, ବେସରକାରୀ ଡାଇବେଟିସ୍ ହସ୍ପିଟାଲ, ଷ୍ଟାର୍ ହୋଟେଲ(ଡବ୍ଲ୍ୟୁ)କୁ ଆସୁଥିବା ଲୋକ ରହିଛନ୍ତି। ଏମାନେ ସମସ୍ତେ ଖଣ୍ଡଗିରି ପଟକୁ ଯିବା ପାଇଁ ଏହି ଏକମାତ୍ର ଅଣ୍ଡରପାସ୍କୁ ବ୍ୟବହାର କରୁଛନ୍ତି। ଏଥିପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଏମ୍ସ ଏକ ଖ୍ୟାତନାମା ଚିକିତ୍ସା ପ୍ରତିଷ୍ଠାନ ହୋଇଥିବାରୁ ପ୍ରତିଦିନ ଶହ ଶହ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଏଠାକୁ ନେବା ଆଣିବା କରା ଯାଇଥାଏ। ସର୍ବାଧିକ ଆମ୍ବୁଲାନ୍ସ ଏମ୍ସରୁ ଆସି ଅଣ୍ଡରପାସ୍ ଦେଇ କଟକ ଅଭିମୁଖେ ଯାଇଥାଏ। ସେହି ସମୟରେ ଖଣ୍ଡଗିରି ପଟୁ ସର୍ଭିସ୍ ରୋଡ୍ରେ ଶହ ଶହ ଗାଡ଼ି ଆସୁଥାଏ। ଫଳରେ ଟ୍ରାଫିକ୍ ପୁଲିସ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି।
ସେହିଭଳି ଖୋର୍ଦ୍ଧା ପଟୁ ଶହ ଶହ ଗାଡ଼ି ସର୍ଭିସ୍ ରୋଡ୍ ଦେଇ ଖଣ୍ଡଗିରି ଆଡକୁ ଯାଉଥାନ୍ତି। ଏହି ଗାଡ଼ି ସବୁ ଏହି ଅଣ୍ଡରପାସ୍କୁ ଅତିକ୍ରମ କରିଯିବାକୁ ହୋଇଥାଏ। ଅଣ୍ଡରପାସ୍ ଦେଇ ଯାଉଥିବା ଗାଡ଼ି ଓ ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ଏହି ଅଣ୍ଡରପାସ୍ ସମ୍ମୁଖରେ ମୁହାଁମୁହିଁ ହୋଇଥାନ୍ତି। କେବଳ ଏମ୍ସ ଛକରେ ପୁଲିସ ଏହାକୁ ନିୟନ୍ତ୍ରଣ କରୁଥିବା ବେଳେ ଅଣ୍ଡରପାସ୍ ଆରପଟେ (ଆଳୁଗଦି ପାର୍ଶ୍ବରେ) ଅନେକ ସମୟରେ ପୁଲିସ ରହୁନାହାନ୍ତି। ଫଳରେ ସେଠାରେ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଛି। ଅନେକ ସମୟରେ ପୁଲିସ ଉଭୟପାର୍ଶ୍ବରେ ରହୁଥିଲେ ମଧ୍ୟ ସମନ୍ବୟ ରହୁନଥିବାରୁ ସମସ୍ୟା ହେଉଛି। ଆଉ ଜାମ୍ରେ ଫସି ରହି ଗାଡ଼ିଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଛି।
ଏହା ବ୍ୟତୀତ ଏହି ଅଣ୍ଡରପାସ୍ କଡ଼ରେ ଥିବା ଆଳୁଗୋଦାମକୁ ପ୍ରତିଦିନ ବଡ଼ବଡ଼ ଟ୍ରକ ଆସୁଛି। ଟ୍ରକ୍ଗୁଡ଼ିକ ଖଣ୍ଡଗିରି ପଟୁ ଆସିବା ବେଳେ ଉପରେ ଚାଲି ଯାଉଛି। କିନ୍ତୁ ଆଗରେ ବୁଲି ଟ୍ରକ୍ଗୁଡ଼ିକ ସର୍ଭିସ୍ ରୋଡ୍ରେ ଖୋର୍ଦ୍ଧାପଟୁ ପୁଣି ଖଣ୍ଡଗିରି ଆଡ଼କୁ ଫେରୁଛନ୍ତି। ଫେରିବା ବେଳେ ଏଗୁଡ଼ିକ ଏହି ଅଣ୍ଡରପାସ୍ ଅତିକ୍ରମ କରି ଆଳୁଗଦିକୁ ଯାଉଛନ୍ତି। ଧାଡ଼ି ବାନ୍ଧି ଏକାଧିକ ବଡ଼ ବଡ଼ ଟ୍ରକ୍ ଅତିକ୍ରମ କଲାବେଳେ ସମସ୍ତ ଗାଡ଼ି ଛିଡ଼ା ହୋଇ ରହୁଛି।
ଏ ନେଇ ଟ୍ରାଫିକ୍ ଅତିରିକ୍ତ ଟ୍ରାଫିକ୍ ଡିସିପି କିଶୋର ପାଣିଗ୍ରାହୀ କହିଛନ୍ତି, ଟ୍ରାଫିକ୍ ପରିଚାଳନା ପାଇଁ ସେଠାରେ ଦୁଇ ଜଣ କର୍ମଚାରୀ ନିୟୋଜିତ କରାଯାଉଛି। ଏହି ଛକ ଆଗକୁ ପାତ୍ରପଡ଼ା ଓ ରେଗାଲିଆ ମଲ୍ ସାମ୍ନାରେ ଦୁଇଟି ନିର୍ମାଣାଧୀନ ଅଣ୍ଡରପାସ୍ କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ ହେବାକୁ ଯାଉଛି। ଏ ଦୁଇଟି କାର୍ଯ୍ୟକ୍ଷମ ହୋଇଗଲେ ଆଉ ସମସ୍ୟା ରହିବ ନାହିଁ। କିନ୍ତୁ ବାସ୍ତବରେ ସମସ୍ୟା ସୁଧୁରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ସର୍ଭିସ୍ ରୋଡ୍ ଦେଇ ଖଣ୍ଡଗିରି ପଟୁ ଆସୁଥିବା ସମସ୍ତ ଗାଡ଼ି ଏହି ଅଣ୍ଡରପାସ୍ କିମ୍ବା ଏମ୍ସ ଛକ ଅତିକ୍ରମ କରି ଆଗକୁ ଯିବାକୁ ହେବ। ସେଥିପାଇଁ ଏହି ଛକ ବା ଅଣ୍ଡରପାସ୍ ସବୁବେଳେ ଏଭଳି ଟ୍ରାଫିକ୍ ସମସ୍ୟାରେ ଛନ୍ଦି ହୋଇ ରହିବା ଆଶଙ୍କା କରାଯାଉଛି।