ଖଣ୍ଡଗିରି: ୧୬ନମ୍ବର ଜାତୀୟ ରାଜପଥ ଏମ୍‌ସ ଅଣ୍ଡରପାସ୍‌ରେ ଟ୍ରାଫିକ୍‌ ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି। କେବଳ ୨ଚକିଆ ଯାନଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଏହି ଅଣ୍ଡରପାସ୍‌ରେ ଅଟୋ ଓ କାର୍‌ ପଶିଯିବାରୁ ବହୁ ସମୟରେ ଏଠାରେ ଲୋକେ ଫସି ରହୁଛନ୍ତି। ଥରେ ଅଣ୍ଡରପାସ୍‌ରେ ଭିଡ଼ ହେଲା ପରେ ଉଭୟ ପାର୍ଶ୍ବର ସର୍ଭିସ୍‌ରୋଡ୍‌ରେ ଆପେଆପେ ଟ୍ରାଫିକ୍‌ ଜାମ୍‌ ହୋଇଯାଉଛି। ଅନତି ଦୂରରେ ଟ୍ରାଫିକ୍ ପୁଲିସ ଥାନା ଥିଲେ ହେଁ ଅମାନିଆ ଅଟୋ ଓ କାର୍‌ ଚାଳକମାନଙ୍କୁ ତାଗିଦ କରିବାକୁ ସେଠାରେ କେହି ରହୁନଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି।

Advertisment

ଜାତୀୟ ରାଜପଥ ପ୍ରଶସ୍ତୀକରଣ ହେବା ବେଳେ ଏହି ଅଣ୍ଡରପାସ୍‌ ନିର୍ମାଣ କରାଯାଇଥିଲା। କେବଳ ଏମ୍‌ସକୁ ଆଖିରେ ରଖି ଏହା ନିର୍ମାଣ କରାଯାଇଥିଲା। କିନ୍ତୁ ଦୂରଦୃଷ୍ଟି ଅଭାବରୁ ଏହାର ଆକାର ବେଶ୍‌ ସଂକୀର୍ଣ୍ଣ ହୋଇଯାଇଥିଲା। ଫଳରେ ଏମ୍‌ସକୁ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ସମସ୍ୟାରେ ପଡ଼ୁଥିଲେ। ବିଶେଷକରି ଖୋର୍ଦ୍ଧା ପଟୁ ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍‌ସ ଓ ଅନ୍ୟାନ୍ୟ ଗାଡ଼ି ସବୁ ଏହି ଗଳାବାଟରେ ଫସି ରହୁଥିଲେ। ସେହିଭଳି କୁବେରପୁରୀକୁ ଯା’ଆସ କରୁଥିବା ଭାରୀଯାନ ସବୁ ସମସ୍ୟାରେ ପଡ଼ୁଥିଲେ। ଫଳରେ ସବୁବେଳେ ଏହି ଅଣ୍ଡରପାସ୍‌ରେ ଭିଡ଼ ହେଉଥିଲା ଏବଂ ଏମ୍‌ସକୁ ଆସୁଥିବା ରୋଗୀମାନେ ବଡ଼ କଲବଲ ହେଲେ। ଏନେଇ ବାରମ୍ବାର ଅଭିଯୋଗ‌ ହେବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଉ ଦୁଇଟି ବଡ଼ ଓ ଗୋଟିଏ ଛୋଟ ଅଣ୍ଡରପାସ୍‌ ନିର୍ମାଣ କଲେ। ପାତ୍ରପଡ଼ା ଶନିମନ୍ଦିର ଓ ଆଇଗିଣିଆ ଗାଁ ମେଳଣପଡ଼ିଆ ନିକଟରେ ୨ଟି ବଡ଼ ଅଣ୍ଡରପାସ୍‌ ଓ ଆଇଗିଣିଆ ଗାଁ ମୁଣ୍ଡରେ ଛୋଟ ଅଣ୍ଡରପାସ୍‌ ନିର୍ମାଣ କରାଯାଇଛି।

ଏମ୍‌ସ ପଟକୁ ଯାତାୟାତ କରିବା ଲାଗି ବଡ଼ ଚାରିଚକିଆ ଯାନସବୁ ପାତ୍ରପଡ଼ା କିମ୍ବା ଆଇଗିଣିଆ ଅଣ୍ଡରପାସ୍‌ ଦେଇ ଯା’ଆସ କରିବେ ବୋଲି ନିର୍ଦ୍ଦେଶ ଦିଆଗଲା। ପୁରୁଣା ଗଳାବାଟ ବା ଏମ୍‌ସ ଅଣ୍ଡରପାସ୍‌ରେ କେବଳ ୨ଚକିଆ ଗାଡ଼ି ଯା’ଆସ କରିବେ ବୋଲି ସେଠାରେ ଦୁଇ ପଟେ ସୂଚନା ଫଳକ ଲଗାଗଲା। ତଥାପି କିଛି ଚାରିଚକିଆ ସେହି ବାଟ ଦେଇ ଯାତାୟାତ କରିବାରୁ କଂକ୍ରିଟ୍‌ ବାରିକେଡ୍‌ ରଖାଗଲା। କିଛି ଦିନ ସେଠାରେ ଟ୍ରାଫିକ୍‌ ପୁଲିସ ଠିଆ ହୋଇ ଗାଡ଼ିଚାଳକଙ୍କୁ ସଚେତନ କଲେ। କିନ୍ତୁ ଏବେ ପୁଣି ସେହି ପୁରୁଣା କଥା ଚାଲିଛି। ଏମ୍‌ସ ପଟୁ ଆସୁଥିବା ବହୁ କାର୍‌ ଓ ଅଟୋ ଏହି ଅଣ୍ଡରପାସ୍‌ରେ ପଶିଯାଉଛନ୍ତି। ଫଳରେ କଂକ୍ରିଟ୍‌ ବାରିକେଡ୍‌ ଭିତରେ ଫସି ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜୁଛି। ବେଳେବେଳେ ବ୍ୟାରିକେଡ୍‌ରେ ମାଡ଼ହୋଇ କିଛି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି। ତେଣୁ ସେଠାରେ ଦୃଷ୍ଟିଗୋଚର ହେଲା ଭଳି ବଡ଼ ସୂଚନା ଫଳକ ଲଗାଇବା ସହିତ ସ୍ଥାୟୀ ବ୍ୟାରିକେଡ୍‌ ଲଗାଇବାକୁ ଦାବି ହେଉଛି। ସେହିଭଳି ନିକଟରେ ଥିବା ଟ୍ରାଫିକ୍ ଥାନା ପୁଲିସ ମଝିରେ ମଝିରେ ସେଠାରେ ଉପସ୍ଥିତ ରହି ଅମାନିଆ ଚାଳକଙ୍କୁ ତାଗିଦ କରିବାକୁ ଦାବି ହେଉଛି।