ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ ଗାଡ଼ି ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ରାସ୍ତା ଯେମିତି ଥିଲା ସେମିତି ଅଛି। ଏଣେ ଟ୍ରାଫିକ୍ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁନାହିଁ। ଫଳରେ ଟ୍ରାଫିକ୍ ସ୍ଥିତି ବେହାଲ୍ ହୋଇପଡ଼ିଥିବା ବେଳେ ପୁଲିସ ମଧ୍ୟ ଅସହାୟ ହୋଇ ହାତ ଟେକିଦେଇଛି। ୨୦୨୦ରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜଧାନୀରେ ପ୍ରାୟ ୬ ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। ଅର୍ଥାତ ରାଜଧାନୀରେ ଗାଡ଼ି ସଂଖ୍ୟା ୬ ଲକ୍ଷ ବଢ଼ିଛି। ୨୦୨୦ ପୂର୍ବରୁ ପ୍ରାୟ ୧୫ ଲକ୍ଷ ଗାଡ଼ି ଗଡ଼ୁଥିବା ବେଳେ ଏହି ସଂଖ୍ୟା ଏବେ ୨୦ ଲକ୍ଷରେ ପହଞ୍ଚିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଭୁବନେଶ୍ବରରେ ଯେତିକି ରାସ୍ତା ରହିଛି ତାହାର କ୍ଷମତା ୮ ଲକ୍ଷ। କିନ୍ତୁ ରାଜଧାନୀ ରାସ୍ତାରେ ଅଢ଼େଇ ଗୁଣ ଅଧିକ ଗାଡ଼ି ଗଡ଼ୁଛି। ଯେଉଁ ରାସ୍ତା ଅଛି ତାହା ମଧ୍ୟ ଦିନକୁ ଦିନ ସଙ୍କୁଚିତ ହୋଇଯାଉଛି।
ସୌନ୍ଦର୍ଯ୍ୟୀକରଣ ନାମରେ ରାଜଧାନୀର ବିଭିନ୍ନ ମୁଖ୍ୟ ରାସ୍ତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ୨୦୨୦ ମସିହାରେ ଜନପଥ ଯେତିକି ଚଉଡ଼ା ରହିଥିଲା ତାହା ଏବେ ସଙ୍କୁଚିତ ହୋଇଯାଇଛି। ଏହାବାଦ ବେଆଇନ ପାର୍କିଂ ଏବେ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ଯେତିକି ଗାଡ଼ି ଚାଲିଛି ପାର୍କିଂ ପାଇଁ ଧାର୍ଯ୍ୟ ସ୍ଥାନ ନାହିଁ। ବିଏସ୍ସିଏଲ ପକ୍ଷରୁ ୟୁନିଟ୍-୨ ଓ ସହିଦନଗରରେ ଯେଉଁ ବହୁତଳ ପାର୍କିଂ କରାଯାଇଛି ତାହା ଏହି ବେଆଇନ୍ ପାର୍କିଂକୁ ଅଟକାଇ ପାରିନାହିଁ। ପାର୍କିଂ ବ୍ୟବସ୍ଥା ନଥିବାରୁ ଗାଡ଼ି ରାସ୍ତା ଉପରେ ପାର୍କିଂ ହେଉଛି। ଫଳରେ ରାସ୍ତା ସଙ୍କୁଚିତ ହୋଇଯାଉଛି। ଏହାର ବଡ଼ ଉଦାହରଣ ହେଉଛି କଟକ ରୋଡ, ଜାଗମରା ରାସ୍ତା ଓ ଜୟଦେବବିହାର-ପଟିଆ ରାସ୍ତା। ବେଆଇନ ପାର୍କିଂ ଓ ଅଟୋଷ୍ଟାଣ୍ଡ ପାଇଁ ରାସ୍ତା ସଙ୍କୁଚିତ ହୋଇଯାଉଛି। ଟ୍ରାଫିକ ପୁଲିସ ଗାଡ଼ି ଉଠାଇ ନେଇ ଜରିମାନା କରୁଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ୨୦୨୦ ପୂର୍ବରୁ ସହର ଭିତରେ ଯେତିକି ବଡ଼ଗାଡ଼ି ଚାଲୁଥିଲା ତାହାର ସଂଖ୍ୟା ମଧ୍ୟ ବଢ଼ିଗଲାଣି।
ଅନ୍ୟପଟେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଯେତିକି କର୍ମଚାରୀ ଆବଶ୍ୟକ ସେହି ପରିମାଣରୁ ବହୁତ କମ ଅଛନ୍ତି। ୨୦୨୦ ପରଠାରୁ ନୂଆ ପଦ ଅନୁମୋଦିତ ହୋଇନାହିଁ। ଯେତିକି ଅନୁମୋଦିତ ପଦ ଅଛି ସେତିକି ମଧ୍ୟ ପୂରଣ ହୋଇପାରୁନାହିଁ। କନେଷ୍ଟବଳ, ହାବିଲଦାର, ଓଏପିଏଫ୍ ସଂଖ୍ୟା ପ୍ରାୟ ୪୦୦ ରହିଛନ୍ତି। ୧୦୦ ପଦବି ଖାଲି ପଡ଼ିଛି। ଅନୁମୋଦିତ ଅଧିକାରୀ ପଦରୁ ୨୦ ଜଣ ଟ୍ରାଫିକ ଅଧିକାରୀ କମ ରହିଛନ୍ତି। ରାଜଧାନୀକୁ ଭିଭିଆଇପି ପରିଦର୍ଶନ ବଢ଼ିଯାଇଛି। ଜାତୀୟ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ସହ କେନ୍ଦ୍ରମନ୍ତ୍ରୀ ଓ ବଡ଼ ନେତା ଗସ୍ତ କରୁଛନ୍ତି। ଏଣୁ ଟ୍ରାଫିକ ନିୟନ୍ତ୍ରଣରେ ପୁଲିସ ନୟାନ୍ତ ହୋଇପଡ଼ୁଛି। ନିକଟରେ ବିଏମ୍ସି ଜରିଆରେ ପରିବହନ ବିଭାଗ ୧୦୦ ଜଣ ଟ୍ରାଫିକ ୱାଡେନ୍ ନିୟୋଜିତ କରାଯାଇଛି। କମିସନରେଟ ପୁଲିସ ପକ୍ଷରୁ ୧୦୦ଟି ଟ୍ରାଫିକ ସ୍ବେଚ୍ଛାସେବୀ ପଦବି ପାଇଁ ବିଜ୍ଞାପନ ଦିଆଯାଇଛି। ସ୍ଥାନୀୟ ବାସିନ୍ଦା ଶ୍ରୀକାନ୍ତ ବେହେରା କହିଛନ୍ତି, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଯେତେସବୁ ବ୍ୟବସ୍ଥା ହୋଇଛି ତାହା ଫେଲ୍ ମାରିଛି କିମ୍ବା ଆରମ୍ଭ ହୋଇ ପାରିନାହିଁ। ମେଟ୍ରୋ ପ୍ରକଳ୍ପ ମଧ୍ୟ ଅଟକି ରହିଛି। ମନଇଚ୍ଛା ରାସ୍ତା ଖୋଳାଯାଉଥିବାରୁ ଟ୍ରାଫିକ ଭୁଶୁଡ଼ି ପଡ଼ୁଛି। କର୍ମଚାରୀ ବୃଦ୍ଧି କରାଗଲେ ଟ୍ରାଫିକ ସମସ୍ୟା କମିଯିବ। ଟ୍ରାଫିକ ଅଧିକାରୀ କହିଛନ୍ତି, ଯେତିକି କର୍ମଚାରୀ ଅଛନ୍ତି ସେମାନଙ୍କୁ ନେଇ ଟ୍ରାଫିକ ନିୟନ୍ତ୍ରଣ କରାଯାଉଛି। ଆଗକୁ ଆଉ ୧୦୦ ଛାତ୍ରଛାତ୍ରୀ ଯୋଗ ଦେବେ ଭିଡ଼ ସମୟରେ ଦୈନିକ ୩ ଘଣ୍ଟା ଲେଖାଏଁ ସେମାନେ ଟ୍ରାଫିକ ନିୟନ୍ତ୍ରଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/delhi-traffic_650x400_61505724225.jpg)