ରାଜଧାନୀରେ ଟ୍ରାଫିକ୍‌ ଉଲ୍ଲଂଘନ ନେଇ ଧରପଗଡ଼ ଜୋରଦାର : ଅମାନିଆ-ପୁଲିସ ଗୋଡ଼ାଗୋଡ଼ି

ଭୁବନେଶ୍ୱର : କିଛି ଦିନର ନିରବତା ପରେ ଟ୍ରାଫିକ୍‌ ଉଲ୍ଲଂଘନ ନେଇ ଧରପଗଡ଼ ଜୋରଦାର ହୋଇଛି। ଆଜି ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଯାଞ୍ଚ ହୋଇଛି। ବିନା‌ ମାସ୍କ, ବିନା ହେଲ୍‌ମେଟ୍‌, ତାଲାବନ୍ଦ ସମୟରେ ସାମାଜିକ ଦୂରତ୍ବ କଟକଣା ଉପରେ ଆଜି ଚାଳକଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ଜରିମାନା କରିଛି। ଉଲ୍ଲଂଘନକାରୀଙ୍କ ଫଟୋ ଉଠାଇବା ସହ ସଚେତନ କରାଇଛି। ଆଜି ବିଭିନ୍ନ ସ୍ଥାନରେ ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପାଖାପାଖି ୪ଶହ ଜଣ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଛି। ଆଗକୁ ଏହି ଧରପଗଡ଼ ଜୋରଦାର ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ତାଲାବନ୍ଦ ସମୟରେ ହେଲ୍‌ମେଟ୍‌, ସିଟ୍‌ବେଲ୍ଟ ବା ରଙ୍ଗ୍‌ରୁଟ୍‌ ଚାଳନା ଉପରେ ଗୁରୁତ୍ବ ଦିଆ ଯାଉ ନ ଥିଲା। ଫଳରେ ଅମାନିଆ ଚାଳକ ଖୋଲା‌ଖାଲି ଭାବରେ ଘୂରି ବୁଲୁଥିଲେ। ସାମାଜିକ ଦୂରତ୍ବ ରକ୍ଷା କରୁ ନ ଥିଲେ। ଲୋକମାନେ ଏଭଳି ଅଭ୍ୟସ୍ତ ହୋଇଯିବା ପରେ ଚାଳକଙ୍କୁ ଟାର୍ଗେଟ କରିଛି ପୁଲିସ। ମାସ୍କ ପିନ୍ଧିଦେଲେ ବାଇକ୍‌ ଚାଳକ ନିୟମ ମାନିଛି ବୋଲି ଭାବି ଗାଡ଼ି ଚଳାଉଥିଲା। ହେଲେ ହେଲ୍‌ମେଟ୍‌ ନଥିଲା। ଆଜି ବିନା ହେଲ୍‌ମେଟ୍‌ ଓ ବିନା ମାସ୍କ ଚାଳକଙ୍କୁ ପୁଲିସ ଟାର୍ଗେଟ୍‌ କରିଥିଲା। ବାଣୀବିହାର, ଆଚାର୍ଯ୍ୟ ବିହାର, ଶିଶୁଭବନ, ପାୱାର ହାଉସ, ଜୟଦେବ ବିହାର ପ୍ରଭୃତି ଅଞ୍ଚଳରେ ଏଭଳି ଧରପଗଡ଼ ହେଉଥିବା ଦେଖାଯାଇଛି। ତେବେ ଉଲ୍ଲଂଘନକାରୀଙ୍କୁ ଏଭଳି ଗୋଡ଼ାଇ ଗୋଡ଼ାଇ ଧରିବାକୁ ବାରଣ କରାଯାଇଥିଲା। ଅନେକ ଦୁର୍ଘଟଣା ଘଟିବାରୁ ଏଭଳି ନ କରିବା ପାଇଁ କୁହାଯାଇଥିଲା। ଗାଡ଼ି ନମ୍ବର ଅନୁସାରେ ଚାଲାଣ କାଟିବାକୁ କୁହାଯାଇଥିଲା। ହେଲେ ଆଜି ବିଭିନ୍ନ ସ୍ଥାନରେ ପୁଲିସ-ଉଲ୍ଲଂଘନକାରୀ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ହେଉଥିବା ଲକ୍ଷ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର