ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ଚିନ୍ତାର କାରଣ ପାଲଟିଥିବା ବେଳେ ଟ୍ରାଫିକ୍‌ ପରିଚାଳନାକୁ ସହଜ ଓ ନିୟନ୍ତ୍ରିତ କରିବାକୁ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଉଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିରେ ନବୀକରଣ କରାଗଲା। ହେଲେ ଟ୍ରାଫିକ୍‌ ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ଯେତେ ଯୋଜନା କରାଯାଉଛି, ସବୁ ଅଧାରୁ ଅକାମି ହୋଇପଡ଼ୁଛି। ରାଜଧାନୀର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧୁରିନି। କାରଣ ଏହି ବ୍ୟବସ୍ଥାର ଦାୟିତ୍ବ ବହନ କରୁଥିବା ଅଧିକାରୀମାନଙ୍କର ରାତି ଅଧିଆ ବଦଳି ହୋଇଯାଉଛି। ପୁଣି କାହାର ଅବସର ସମୟ ମଧ୍ୟ ଆସିଯାଉଛି। ଫଳରେ ଜଣେ ହେଲେ ଅଧିକାରୀ ଦାୟିତ୍ବ ନେଇ କାମ ଆରମ୍ଭ କରିବାଯାଏ ବି ତିଷ୍ଠିପାରୁ ନାହାନ୍ତି। ଗତ ୬ବର୍ଷର ଇତିହାସକୁ ଦେଖି‌ଲେ ଜଣାପଡୁଛି ଯେ ମାସେ ଦୁଇମାସରେ ବି ଅଧିକ‌ାରୀ ବଦଳିଯାଇଛନ୍ତି। 

Advertisment

୨୦୧୮ ଜୁଲାଇ ମାସରେ ଏସ୍‌କେ ମହାପାତ୍ର ଟ୍ରାଫିକ୍‌ ଡିସିପି ଭାବେ ନିଯୁକ୍ତି ପାଇଥିଲେ। ହେଲେ ମାତ୍ର ମାସକ ପରେ ତାଙ୍କ ବଦଳି ହୋଇଗଲା। ତାଙ୍କ ବଦଳିର ୩ ମାସ ପର୍ଯ୍ୟନ୍ତ କେହି ନେତୃତ୍ବରେ ରହିଲେ ନାହିଁ। ବିନା ମୁରବିରେ ଚାଲିଲା ମହାନଗରର ଟ୍ରାଫିକ୍‌। ଏହାପରେ ୨୦୧୮ ନଭେମ୍ବର ମାସରେ ବିକେ ସାହୁ ନିଯୁକ୍ତି ପାଇଲେ। କିନ୍ତୁ ୯ମାସ ମଧ୍ୟରେ ତାଙ୍କୁ ବଦଳାଇ ୨୦୧୯ ମସିହା ଅଗଷ୍ଟରେ ଏକେ ପଣ୍ଡାଙ୍କୁ ନିଯୁକ୍ତି ଦିଆଗଲା। ଆଶ୍ଚର୍ଯ୍ୟର କଥା ମାତ୍ର ୧୯ଦିନ କାମକରିବା ପରେ ହଠାତ୍‌ ତାଙ୍କୁ ମଧ୍ୟ ପରିବର୍ତ୍ତନ କରାଗଲା। ୨୦୧୯ ଅଗଷ୍ଟ ମାସରେ ଟ୍ରାଫିକ୍‌ ଡିସିପି ଭାବେ ପ୍ରଥମ ଥର ପାଇଁ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲା। ସେ ଥିଲେ ସାଗରିକା ନାଥ। ସାଗରିକା ସର୍ବାଧିକ ଭାବେ ୧୧ ମାସ ଧରି ଟ୍ରାଫିକ୍‌ ଦାୟିତ୍ବରେ ରହିଥିଲେ। ବର୍ଷେ ପୂରିବା ଆଗରୁ ତାଙ୍କର ବଦଳି ହୋଇଥିଲା ଓ ୨୦୨୦ ଅଗଷ୍ଟ ମାସରେ ତାଙ୍କ ସ୍ଥାନ‌ରେ ଆଇପିଏସ୍‌ ସୌମ୍ୟା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସେ ୬ମାସ ଦାୟିତ୍ବରେ ରହିବା ପରେ କ୍ୟାଡର୍‌ ପରିବର୍ତ୍ତନ କରି ପଞ୍ଜାବ ଚାଲିଗଲେ। ତାଙ୍କ ସ୍ଥାନରେ ୨୦୨୧ ଫେବ୍ରୁଆରିରେ କେକେ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଗଲା। ୮ମାସ ଧରି ଟ୍ରାଫିକ୍‌ ଦାୟିତ୍ବରେ ରହିବା ପରେ ତାଙ୍କୁ ମଧ୍ୟ ହଠାତ୍‌ ବଦଳି କରିଦିଆଗଲା। ୨୦୨୧ ଅକ୍ଟୋବରରେ ମାୟାଧର ସେଠୀଙ୍କୁ ନିଯୁକ୍ତ କରାଗଲା। ତେବେ ୩ମାସ ମଧ୍ୟରେ ସେ  ଅବସର ନେଇଥି‌ଲେ। ୨୦୨୨ ଜାନୁଆରିରେ ପୁଣି ଜଣେ ଆଇପିଏସ୍‌ ଏସ୍‌ ସୁଶ୍ରୀଙ୍କୁ ଟ୍ରାଫିକ୍‌ ଦାୟିତ୍ବ ଦିଆଗଲା। ଟ୍ରାଫିକ୍‌ରେ କାମ କରିବାର ମାତ୍ର ୪ମାସ ମଧ୍ୟରେ ସେ ଜିଲ୍ଲା ଏସ୍‌ପି ଭାବେ ଦାୟିତ୍ବ ନେଇଥିଲେ। ତାଙ୍କ ବଦଳି ପରେ ୨୦୨୨ ମେ’ ମାସରେ ଟିପି ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। ୧୦ମାସ ପରେ ତାଙ୍କର ଅବସର ଯୋଗୁଁ ୨୦୨୩ ଅପ୍ରେଲ୍‌ରେ ତାଙ୍କ ସ୍ଥାନରେ ଏସ୍‌ସି ମହାନ୍ତିଙ୍କୁ ନିଯୁକ୍ତି ଦିଆଗଲା। ସେ ବି ବେଶିଦିନ ରହିପାରିଲେ ନାହିଁ। ମାତ୍ର ୩ମାସ ପରେ ଜୁଲାଇରେ ସେ ଅବସର ନେଲେ। ତାଙ୍କ ଅବସର ପରେ ପାଖାପାଖି ୫ମାସ ସେ ଆସନ ଖାଲିପଡ଼ିଲା। ପରେ ପିକେ ରାଉତଙ୍କୁ ନିଯୁକ୍ତି ଦିଆଗଲା। ହେଲେ ସେ ମଧ୍ୟ ଗତ ୨୦୨୪ ଜୁଲାଇରେ ଅବସର ନେଲେ। ୨ ମାସ ଧରି ପୁଣି ଟ୍ରାଫିକ୍‌ ଡିସିପି ପଦ ଖାଲିପଡ଼ିଥିବା ବେଳେ କିଛିମାସ ହେବ ତାପସ ଦାସଙ୍କୁ କାମଚଳା ଡିସିପି ଭାବେ ଦାୟିତ୍ବ ଦିଆଯାଇଛି। ଏମିତି ଗତ ୬ ବର୍ଷରେ ୧୨ ଅଧିକାରୀଙ୍କ ବଦଳି ଓ ଅବସର ହୋଇଛି। ଯଦି ଅଧିକାରୀଙ୍କ ଚୌକି ଏମିତି ଅସ୍ଥିର, କେମିତି ଟ୍ରାଫିକ୍‌ ବ୍ୟବସ୍ଥାରେ ସ୍ଥିରତା ଆସିବ ବୋଲି ଆଲୋଚନା ହେଉଛି।  

ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା ଅତି ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ ଗତ କିଛି ବର୍ଷ ହେବ ଅବସର ନେବାକୁ କିଛି ମାସ ବାକିଥିବା ଅଧିକାରୀମାନଙ୍କୁ ଲଗାତାର ଭାବେ ଟ୍ରାଫିକ୍‌ ଦାୟିତ୍ବ ଦିଆଯାଉଛି। ଟ୍ରାଫିକ୍‌ ବ୍ୟବସ୍ଥାକୁ ବୁଝିବା ପୂର୍ବରୁ ସେମାନଙ୍କର କାର୍ଯ୍ୟକାଳ ସରିଯାଉଛି। ପୁଣି ଯେହେତୁ ଅବସରର ଠିକ୍‌ ପୂର୍ବରୁ ସେମାନଙ୍କୁ ଦାୟିତ୍ବ ଦିଆଯାଉଛି, ସେମାନେ ମଧ୍ୟ କାମକୁ ସେତେଟା ଗୁରୁତ୍ବ ଦେଉ ନାହାନ୍ତି। ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ନୂଆ ରୂପ ଦେବା ପାଇଁ ସ୍ବତନ୍ତ୍ର ଭାବେ ଯେବେ ଆଇପିଏସ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି, ସେତେବେଳେ ଅନେକ ଆଖିଦୃଶିଆ କାମ ହୋଇଛି। ୨୦୧୯ ମସିହାରେ ଆଇପିଏସ୍‌ ସାଗରିକା ନାଥ ଟ୍ରାଫିକ୍‌ ଡିସିପି ଭାବେ ଦାୟିତ୍ବ ନେବା ପରେ ରାଜଧାନୀର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା‌କୁ ସେ ଏକ ନୂଆ ରୂପ ଦେଇଥିଲେ।

ଲେନ୍‌ ଡ୍ରାଇଭ୍‌ ଠାରୁ ଆରମ୍ଭ କରି ହେଲମେଟ୍‌ ପିନ୍ଧିବା ଓ ସିଟ୍‌ବେଲ୍ଡ ବାନ୍ଧିବା କଡ଼ାକଡ଼ି କରାଯାଇଥିଲା। ସେମିତି ଟ୍ରାଫିକ୍‌ ଛକରେ ଜେବ୍ରା କ୍ରସିଂ ନିୟମ କଡ଼ାକଡ଼ି କରାଯାଇଥିଲା। ଏସବୁକୁ ‌ନେଇ ସେତେବେଳେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ୨୦୨୦ ‌ସେପ୍ଟେମ୍ବରରେ ଟ୍ରାଫିକ୍‌ ଡିସିପି ଭାବେ ଯୋଗଦେଇଥିବା ଆଇପିଏସ୍‌ ସୌମ୍ୟା ମିଶ୍ର। ନିଜର ସ୍ବଳ୍ପ କାର୍ଯ୍ୟକାଳରେ ସେ ରାସ୍ତାକଡ଼ରୁ ବେଆଇନ୍‌ ପାର୍କିଂ ହଟାଇବାକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ। ସେମିତି ୨୦୨୨ ‌ଜାନୁଆରିରେ ଆଇପିଏସ୍‌ ଏସ୍‌ ସୁଶ୍ରୀ ଟ୍ରାଫିକ୍‌ ଡିସିପି ଦାୟିତ୍ବ ନେବାପରେ  ବିଶେଷକରି ଆମ୍ବୁଲାନ୍‌ସ ବାବଦରେ ବଡ଼ ପଦକ୍ଷେପ ନେଇଥିଲେ। ଏହାକୁ ରାଜଧାନୀବାସୀ ବେଶ୍ ପ୍ରଶଂସା କରିଥିଲେ।