ଚୋରି ଗାଡ଼ି ଧରି ବୁଲୁଛି ଚୋର, ଗାଡ଼ି ମାଲିକ ନାଁରେ ଚାଲାଣ

ଭୁବନେଶ୍ୱର : ଗାଡ଼ି ଚୋରି କରି ଚୋର ବୁଲୁଛି। ବିନା ହେଲ୍‌ମେଟ୍‌ରେ ଚୋରି ବାଇକ୍‌ରେ ବୁଲିବା ବେଳେ ଛକ ଛକରେ ଖଞ୍ଜା ଯାଇଥିବା ସିସିଟିଭି କ୍ୟାମେରା ଧରିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ମାଲିକ ଘରକୁ ଚାଲାଣ ଯାଇଛି। ୧ହଜାର ଟଙ୍କା ଜରିମାନା ଦାଖଲ ନ କଲେ କୋର୍ଟରେ ହାଜର ହେବାର ଚେତାବନୀ ମଧ୍ୟ ଅଛି। ଚୋରି ଗାଡ଼ିର ଚାଲାଣ କଟା ହେଉଥିବା ଦେଖି ମାଲିକଙ୍କ ମୁଣ୍ଡ ଘୂରିଛି। ମାଲିକ ପହଞ୍ଚିଛନ୍ତି ଥାନାରେ। କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଖୋଦ୍‌ ଭୁବନେଶ୍ବରରେ ଘଟିଛି ଏହି ଘଟଣା। ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌କୁ ସଫଳ କରି କୋଭିଡ୍‌ ଯୁଦ୍ଧ ଜିତିବା ପାଇଁ ପୁଲିସ ଛକକୁ ଛକ ଜଗି ରହିଥିବା ବେଳେ ଗାଡ଼ି ଧରି ଚୋର ସହର ସାରା ବୁଲୁଛି। ବିନା ହେଲ୍‌ମେଟ୍‌ରେ ଚୋର ବୁଲୁଥିବା ବେଳେ ଫଟୋ ଉଠାଇ ଚାଲାଣ ପୁଲିସ କାଟିଛି। ଥରେ କିମ୍ବା ଦୁଇଥର ନୁହେଁ, ବିଭିନ୍ନ ତାରିଖରେ ଭିନ୍ନ ଭିନ୍ନ ସମୟରେ ସିସିଟିଭି କ୍ୟାମେରାରେ ଚୋର ବାରମ୍ବାର ଆସିଛି। ହେଲେ ପୁଲିସ ଧରି ପାରି ନାହିଁ। ମାଲିକ ଚାଲାଣ ଧରି ଥାନାରେ ପହଞ୍ଚିବା ପରେ ପୁଲିସର ନିଦ ଭାଙ୍ଗିଛି। ସିସିଟିଭି କ୍ୟାମେରାରୁ ଫଟୋ ନେଇ ପୁଲିସ ଚୋରକୁ ଖୋଜିବା ଆରମ୍ଭ କରିଛି। ଏୟାରପୋର୍ଟ ଥାନାରେ ଏ ନେଇ ମାମଲା(୧୦୪/୨୦) ରୁଜୁ ହୋଇଛି।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ସାଧୁପଡ଼ା ଗ୍ରାମର ତ୍ରିଲୋଚନ ମହନ୍ତ ନିଉ ଫରେଷ୍ଟ ପାର୍କର ଶ୍ରୀରାମ ହଷ୍ଟେଲରେ ରହି ପାଠ ପଢ଼ନ୍ତି। ଗତ ୫ ତାରିଖ ଦିନ ସେ ତାଙ୍କ ବାଇକ୍‌ (ଓଡି୩୪-୦୫୫୨) ପୋର୍ଟିକୋରେ ରଖି ଶୋଇଥିଲେ। ୬ ତାରିଖ ସକାଳେ ହଷ୍ଟେଲର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇ ବାଇକ୍‌ ଚୋରି ହୋଇଥିବା ଜାଣିବା ପରେ ସେ ଏୟାରପୋର୍ଟ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ବସି ଯାଇଥିଲା।

ଆଜି ମଧ୍ୟାହ୍ନରେ ତାଙ୍କ ପାଖକୁ ‘ବାହନ’ରୁ ଏକ ମେସେଜ୍‌ ଆସିଥିଲା। ବାଇକ୍‌ ଚାଳକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବାରୁ ୧ ହଜାର ଟଙ୍କା ତୁରନ୍ତ ଜରିମାନା ଜମା କରିବା ପାଇଁ ଆଦେଶ ରହିଥିଲା। ଚୋରି ଗାଡ଼ିରୁ ଚାଲାଣ କଟାଯାଇଥିବା ଦେଖିବା ପରେ ସେ ଏୟାରପୋର୍ଟ ଥାନାରେ ପହଞ୍ଚିଥିଲେ। ଏହାପରେ ପୁଲିସ ସିସିଟିଭି କ୍ୟାମେରା ଅଣ୍ଡାଳିଥିଲା। ଏଥିରେ ଥିବା ଚିତ୍ରରୁ ବିଚିତ୍ର ତଥ୍ୟ ପଦାକୁ ଆସିଥିଲା। ଅଭିଯୁକ୍ତ ୧୦ ତାରିଖ ଦିନ ବାଇକ୍‌ ଧରି କଳ୍ପନା ଛକରୁ ରାଜମହଲ ଆଡ଼େ ଯାଉଥିବାର ଦୃଶ୍ୟ ରହିଥିଲା। ୧୨ ତାରିଖ ଦିନ ରୂପାଲି ଛକରେ ଯାଉଥିବାରୁ ଦୃଶ୍ୟ ରହିଥିଲା। ବାଇକ୍‌ ପଛରେ ଜଣେ ବସିଥିବା ବେଳେ ଚାଳକ ହେଲ୍‌ମେଟ୍‌ ପିନ୍ଧି ନଥିଲା। ଅନାୟାସରେ ଚୋରା ଗାଡ଼ିକୁ ଧରି ଅଭିଯୁକ୍ତ ବିଚରଣ କରୁଥିବା ଦେଖାଯାଇଥିଲା।

କରୋନା କଟକଣା ସମୟରେ ଛକକୁ ଛକ ପୁଲିସ ଜଗି ରହିବା ସହ ବିଭିନ୍ନ ସ୍ଥାନରେ ଚେକିଂ ଚାଲିଥିଲା। ପ୍ରତିଟି ଗାଡ଼ିକୁ ଯାଞ୍ଚ କରି ପୁଲିସ ଛାଡ଼ୁଥିଲା। ହେଲେ ଚୋରା ଗାଡ଼ିଟି କିଭଳି ସହର ସାରା ବୁଲି ପାରିଲା ସେ ନେଇ ପୁଲିସର ପାରିବା ପଣିଆ ଉପରକୁ ଆଙ୍ଗୁଠି ଉଠିଛି।

ସମ୍ବନ୍ଧିତ ଖବର