ଭୁବନେଶ୍ବର: ଭୁବନେଶ୍ବର ଟ୍ରାଫିକ ପୁଲିସର ମୁଣ୍ଡବିନ୍ଧା ସାଜିଛି ରସୁଲଗଡ଼ ଛକ। ଅଧିକାଂଶ ଦିନ ଏହି ଛକ ଜାମ୍ ହେଉଛି। ଏଠାକାର କିଛି ସ୍ଥାନରେ ଟ୍ରାଫିକ୍ ପୁଲିସ ଥାଇ ମଧ୍ୟ ଅସହାୟ ହୋଇପଡ଼ୁଛନ୍ତି ତ କେଉଁଠି ପୁଲିସ ନଥିବାରୁ ଅମାନିଆ ଚାଳକଙ୍କ ପାଇଁ ଟ୍ରାଫିକ୍ର ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡୁଛି। ପୂର୍ବରୁ ହଂସପାଳ ଓଭର୍ବ୍ରିଜ କିମ୍ବା ଜାତୀୟ ରାଜପଥ ଜାମ୍ ରହୁଥିବାରୁ ରସୁଲଗଡ଼ ଛକ ଜାମ୍ ହେଉଥିବା କୁହାଯାଉଥିଲା, କିନ୍ତୁ ଏବେ ଅନେକ ସମୟରେ ଜାତୀୟ ରାଜପଥରେ ଆଦୌ ଟ୍ରାଫିକ ଜାମ୍ ନଥିଲେ ମଧ୍ୟ ରସୁଲଗଡ଼ ଛକ ଘଣ୍ଟା ଘଣ୍ଟା ଧରି ଜାମ୍ ହୋଇ ରହୁଛି। ରାଜଧାନୀର ଅନ୍ୟ ପ୍ରମୁଖ ଛକ ଅପେକ୍ଷା ଏହି ଛକରେ ଅଧିକ ଜାମ୍ ହେଉଛି।
ଭୁବନେଶ୍ବର ସହରର ଅନ୍ୟତମ ପ୍ରମୁଖ ପ୍ରବେଶ ପଥ ହେଉଛି ରସୁଲଗଡ଼। ଭୁବନେଶ୍ବରରୁ ପୁରୀ ଓ କଟକ ଯାଉଥିବା ବସ୍ ଏବଂ କଟକ ପଟୁ ବିଭିନ୍ନ ଜିଲ୍ଲାରୁ ଭୁବନେଶ୍ବରକୁ ଆସୁଥିବା ବସ୍ ଏହି ଛକରେ ଛିଡ଼ା ହୁଅନ୍ତି। କଟକ ଯାଉଥିବା ବସ୍ଗୁଡ଼ିକ ତାରିଣୀ ମନ୍ଦିର ନିକଟରେ ଛିଡ଼ାହୁଏ। ଏହି ରାସ୍ତା ଦେଇ ରାଜ୍ୟର କୋଣ ଅନୁକୋଣକୁ ବସ୍ ଯାଉଥିବାରୁ ଅନେକ ସମୟରେ ଏକାଧିକ ବସ୍ ଛିଡ଼ା ହୋଇ ରହିଥାଏ। ଫଳରେ ଅନ୍ୟ ଗାଡ଼ିଗୁଡ଼ିକ ଅତିକ୍ରମ କରିବାରେ ସମସ୍ୟା ହୋଇଥାଏ। ଏହାସହିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଏହା ପ୍ରମୁଖ ପ୍ରବେଶ ପଥ। ଏହି ଛକକୁ ଲାଗି ପାର୍କିଂ ଥିବାରୁ ଦିନସାରା ଶହ ଶହ ଟ୍ରକ୍ ଯିବା ଆସିବା କରୁଥାନ୍ତି। ଫଳରେ ପ୍ରବଳ ଭିଡ଼ ହୋଇଥାଏ। ଜିଜିପି କଲୋନି ଦେଇ କେନାଲ ରୋଡ୍କୁ ମଧ୍ୟ ଏଠାରେ ପ୍ରବେଶ ପଥ ରହିଛି। ଏହି ଗଳିରୁ ବାହାରି ଯେଉଁମାନେ କଟକ ଆଡ଼କୁ ଯିବାକୁ ଚାହାନ୍ତି, ସେମାନେ ରଙ୍ଗ୍ରୁଟ୍ରେ ଯାଇ ଶିଳ୍ପାଞ୍ଚଳ କଟ୍ରେ ବାମପାର୍ଶ୍ବ ରାସ୍ତା ଧରନ୍ତି। ଏହି କଟ୍ପାଖରେ ଥିବା ଏକ ପେଟ୍ରୋଲ ଟାଙ୍କିକୁ ମଧ୍ୟ ରଙ୍ଗ୍ରୁଟ୍ରେ ଲୋକ ଯାଇଥାନ୍ତି। ଏଣୁ ଏଠାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାସହ ଦୁର୍ଘଟଣା ଆଶଙ୍କା ରହିଛି। ଏବେ ଏହି ଫ୍ଲାଏଓଭର ବ୍ରିଜ୍ ତଳେ ବାଇକ୍ ପାର୍କିଂ କରି କେତେକ ଡେଲିଭରି ବଏ ବସି ରହୁଛନ୍ତି। ସେଠାରେ କାର୍, ଟ୍ରକ ଆଦି ମଧ୍ୟ ପାର୍କିଂ କରାଯାଉଛି। କଟକ ଓ ଭୁବନେଶ୍ବରରୁ ପୁରୀ ଯାଉଥିବା ବସ୍ ଆଗପଛ ହୋଇ ଗୋଟିଏ ଜାଗାରେ ଛିଡ଼ା ହୋଇ ରହୁଥିବାରୁ ଏଠାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏହି ଛକରେ ଟ୍ରାଫିକ୍ ପୁଲିସ ମୁତୟନ ହୁଅନ୍ତି, ହେଲେ ଏହି ଟ୍ରାଫିକ୍ ପୋଷ୍ଟ୍ଟି ପୁରୀରାସ୍ତା ପଟକୁ ରହୁଥିବାରୁ ଛକର ଅନ୍ୟ ପାଖଗୁଡ଼ିକର ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼େ।
ସେହିଭଳି ଏସ୍ପ୍ଲାନେଡ୍ ମଲ୍ ସାମ୍ନା ତଥା ରସୁଲଗଡ଼ ଶିଳ୍ପାଞ୍ଚଳକୁ ପ୍ରବେଶ ଦ୍ବାରରେ ଅନୁରୂପ ସ୍ଥିତି ସୃଷ୍ଟି ହେଉଛି। ରସୁଲଗଡ଼ ଶିଳ୍ପାଞ୍ଚଳ ମଧ୍ୟରେ ଶିଳ୍ପ ପ୍ରତିଷ୍ଠାନ ଓ ବାଣୀବିହାର ରେଳଷ୍ଟେସନକୁ ପ୍ରତିଦିନ ହଜାର ହଜାର ଲୋକ ଏହି ଛକ ଦେଇ ଯାଉଛନ୍ତି। ଅନେକ ବାଇକ୍ ଚାଳକ ରଙ୍ଗ୍ରୁଟ୍ରେ ବମିଖାଲ ଓଭରବ୍ରିଜ୍ ଦେଇ ଦ୍ରୁତଗତିରେ ଯାଉଛନ୍ତି। ଫଳରେ ବମିଖାଲ ପଟୁ ସର୍ଭିସ୍ ରୋଡ୍ରେ ରସୁଲଗଡ଼ ଆସୁଥିବା ଗାଡ଼ି ଚାଳକଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି। ଏନେଇ ଟ୍ରାଫିକର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରସୁଲଗଡ଼ ଛକରୁ ଟ୍ରାଫିକ ଜାମ୍ କମାଇବା ପାଇଁ ବହୁ ପଦକ୍ଷେପ ନିଆଯାଇଛି। ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ କରାଯାଇଛି। ବେଆଇନ ପାର୍କିଂ ଓ ରୁଙ୍ଗ୍ ରୁଟ୍ରେ ଯାଉଥିବା ଗାଡ଼ି ଉପରେ ନଜର ରଖାଯାଉଛି। ଅଧିକ କର୍ମଚାରୀ ମଧ୍ୟ ଦିଆ ଯାଉଛି। କିନ୍ତୁ ସତ ହେଉଛି, ପ୍ରତି ସନ୍ଧ୍ୟାରେ ବିଭାଗର ଏସବୁ ପଦକ୍ଷେପ ଯେ ପାଣିର ଗାର, ତାହା ପ୍ରମାଣିତ ହୋଇଚାଲିଛି।