ବରମୁଣ୍ଡାରେ ଟ୍ରାଫିକ୍ ଯନ୍ତ୍ରଣା, ବସ୍‌ଷ୍ଟାଣ୍ଡ୍ ରାସ୍ତା ଘଣ୍ଟା ଘଣ୍ଟା ଧରି ଜାମ୍

ଯାତ୍ରୀଠୁ ନେଇ ବସ୍‌ ସଂଘ ସମସ୍ତେ ଅସନ୍ତୁଷ୍ଟ, ଏଯାଏ ନିର୍ମାଣ ସରିଲାନି ଅସ୍ଥାୟୀ ବସ୍ ଡିପୋ

ଭୁବନେଶ୍ବର: ପୂର୍ବ ଭାରତର ପ୍ରମୁଖ ବସ୍ ଟର୍ମିନାଲ୍ ଭାବେ ନିର୍ମାଣ ହେଉଛି ବରମୁଣ୍ଡା ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ୍‌। ମାତ୍ର ଏବେ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ପ୍ରତିଦିନ ଟ୍ରାଫିକ୍‌ ଜାମ୍ ଲାଗି ରହିଛି। ଦିନବେଳେ ଅସହ୍ୟ ତାତି ସାଙ୍ଗକୁ ଘଣ୍ଟା ଘଣ୍ଟାର ରାସ୍ତା ଜାମ୍ ଉଭୟ ଯାତ୍ରୀ ଓ ଗାଡ଼ିଚାଳକଙ୍କ ଯନ୍ତ୍ରଣାକୁ ଦ୍ବିଗୁଣିତ କରୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅସ୍ଥାୟୀ ବସ୍‌ ଡିପୋ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଓୟୁଏଟି ଫାର୍ମରେ ଏ ପର୍ଯ୍ୟନ୍ତ କାମ ଶେଷ ହୋଇପାରି ନଥିବାରୁ ବସ୍‌ଚାଳକମାନେ ରାସ୍ତାର ଦୁଇପାର୍ଶ୍ବରେ ଗାଡ଼ି ପାର୍କିଂ କରୁଛନ୍ତି। ଯାହା ରାସ୍ତା ଜାମ୍‌ର ଏକ ପ୍ରମୁଖ କାରଣ ପାଲଟିଛି।

୨୦୨୦ ଅଗଷ୍ଟ ଶେଷ ଆଡ଼କୁ ବସ୍‌ଷ୍ଟାଣ୍ଡ୍‌ର ଉନ୍ନତୀକରଣ କାମ ଆରମ୍ଭ ହୋଇଥିଲା। କାମ ଆରମ୍ଭ ହେବାର ୮ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବସ୍ ପାର୍କିଂ ପାଇଁ ଅସ୍ଥାୟୀ ବସ୍‌ ଡିପୋ ନିର୍ମାଣ କାମ ଶେଷ ହୋଇପାରିଲା ନାହିଁ। ଏନ୍ଏଚ୍ ୧୬ର ସଂଲଗ୍ନ ରାସ୍ତା ବସ୍‌ଷ୍ଟାଣ୍ଡ୍‌କୁ ସଂଯୁକ୍ତ କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରୁ ଅନେକ ବେଆଇନ୍ ଭାବେ ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚାଳନା କରୁଛନ୍ତି। ଯାହା ରାସ୍ତା ଜାମ୍‌ର ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏନେଇ ବସ୍‌ ଷ୍ଟାଣ୍ଡ୍‌କୁ କିଛି ଜିନିଷ ଆଣିବାକୁ ଆସିଥିବା ଜଣେ ଯାତ୍ରୀ କହିଛନ୍ତି, ମାସ ମାସ ଧରି ସକାଳ ୯ଟାରୁ ୧୨ଟା ଓ ସନ୍ଧ୍ୟା ବେଳେ ଅସ୍ବାଭାବିକ ଭାବେ ରାସ୍ତା ଜାମ୍ ହେଉଛି। ଏହି ଜାମ୍ ଯୋଗୁଁ ଅନେକ ସମୟରେ ଗାଡ଼ିରୁ ଜିନିଷ ନେବାକୁ ଆସି ମତେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଅପରପକ୍ଷରେ ବସ୍ ଚାଳକମାନେ ରାସ୍ତା କଡ଼ରେ ପାର୍କିଂ କରି ଗାଡ଼ି ଧୋଉଥିବାରୁ ରାସ୍ତା ମଝିରେ ପାଣି ଜମି ଖାଲ ସୃଷ୍ଟି କରୁଛି।

ନିକଟରେ ଇମେଜ୍ କଲେଜ୍‌ରେ ସଡ଼କ ସୁରକ୍ଷା ନିରାପତ୍ତା ଉପରେ ହୋଇଥିବା ବୈଠକରେ ଏନେଇ ବସ୍ ମାଲିକ ସଂଘ ପକ୍ଷରୁ ଓଭରବ୍ରିଜ୍ ତଳେ ଥିବା ସଂଲଗ୍ନ ରାସ୍ତାକୁ ସଜାଡ଼ିବା ପାଇଁ ଦାବି କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ରାସ୍ତା କାମ ହୋଇପାରୁନଥିବାରୁ ପ୍ରତିଦିନ ସେଠାରେ ଛୋଟ ବଡ଼ ଦୁର୍ଘଟଣା ହେଉଥିବା କହିଛନ୍ତି ସଂଘର ସମ୍ପାଦକ ବରଦା ଆଚାର୍ଯ୍ୟ। ବୈଠକକୁ ମାସେ ପୂରିବାକୁ ବସିଥିବା ବେଳେ ଏନ୍‌ଏଚ୍‌ଆଇ ଆଜି ପର୍ଯ୍ୟନ୍ତ ରାସ୍ତା ସଜାଡ଼ୁନଥିବାରୁ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି। ଏହା ସହିତ ଅସ୍ଥାୟୀ ବସ୍ ଡିପୋ କାର୍ଯ୍ୟକ୍ଷମ କରିବାକୁ ବିଡିଏ ଧାର୍ଯ୍ୟ ତାରିଖ ମଧ୍ୟରେ କାମ ସାରିପାରୁନଥିବାରୁ ରାସ୍ତାରେ ବସ୍‌ଚାଳକ ଗାଡ଼ି ପାର୍କିଂ କରୁଥିବା ସେ କହିଛନ୍ତି। ତେବେ ଏ ନେଇ ବିଡିଏର ସଚିବ ହରୀଶ ଚନ୍ଦ୍ର ନାୟକ କହିଛନ୍ତି ଯେ ଆଉ କିଛି ଦିନ ମଧ୍ୟରେ ଅସ୍ଥାୟୀ ବସ୍ ଡିପୋ କାମ ଶେଷ ହେବ। ଏନେଇ ଆସନ୍ତା ସୋମବାର କାମର ତଦାରଖ ପାଇଁ ଯାଉଛୁ। ତେବେ ବର୍ଷା ଦିନେ ଯେପରି ଏହି ବସ୍‌ ଡିପୋରେ ପାଣି ନଜମିବ ସେଥିପାଇଁ ସ୍ବତନ୍ତ୍ର ଭାବେ ଜାଗାର କମ୍ପାକ୍ଟିଂ କରି କାମ କରୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର