ରାଜଧାନୀରେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣରେ ପୁଲିସ ନୟାନ୍ତ

ଭୁବନେଶ୍ବର : ପୂଜା ତିନ ଦିନ ରାଜଧାନୀବାସୀ ଟ୍ରାଫିକ ସମସ୍ୟା ମଧ୍ୟରେ ପେଷିହୋଇ ଯାଇଥିଲେ। ପୂଜାମଣ୍ଡପ ନିକଟରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷକରି ରସୁଲଗଡ଼, ଝାରପଡ଼ା, ବମିଖାଲ, ପୁରୁଣା ଷ୍ଟେସନ ବଜାର, ନୂଆପଲ୍ଲୀ ଓ ବରମୁଣ୍ଡା ଦୁର୍ଗାମଣ୍ଡପ ନିକଟରେ ଗାଡ଼ିମଟରର ପ୍ରବଳ ଭିଡ଼ ଲାଗି ରହିଥିଲା। ଧୂଳି ଓ ଗାଡ଼ି ଧୂଆଁରେ ଲୋକେ ଅଣ ନିଃଶ୍ବାସୀ ମଧ୍ୟ ହୋଇ ଯାଇଥିଲେ। କଟକରୋଡ, ଜନପଥ ଓ ଜାତୀୟ ରାଜପଥର ରସୁଲଗଡ଼ ଫ୍ଲାଏ ଓଭର, ବାଣୀବିହାର ଛକ, ସତସଙ୍ଗବିହାର ଛକରେ ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଇଥିଲା। ଏବର୍ଷ ପୂଜାମଣ୍ଡପ ଓ ଏହାର ଆଖପାଖରେ ଲାଗୁଥିବା ଭିଡ଼ ଦିନରୁ ଆରମ୍ଭ ହୋଇ ସଂଧ୍ୟା ତଥା ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା। ଟ୍ରାଫିକ ପୁଲିସ ସଂପୂର୍ଣ୍ଣ ଭାବେ ସଜାଗ ଥିଲେ ମଧ୍ୟ ପୂଜା ସମୟରେ ସୃଷ୍ଟି ହୋଇଥିବା କୃତ୍ରିମ ଜାମ୍‌କୁ ନିୟନ୍ତ୍ରଣ କରିପାରି ନ ଥିଲେ। କାରଣ ଲୋକ ବେପରୁଆ ଭାବେ ପୂଜା ମଣ୍ଡପ ନିକଟରେ ବାଇକ୍‌ ଓ କାର୍‌ ପାର୍କିଂ କରି ଦେଇଥିଲେ। ଉଠା ଦୋକାନୀମାନେ ମଧ୍ୟ ପୂଜା ମଣ୍ଡପ ଚାରି ପଟେ ପସରା ମେଲାଇ ଦେଇଥିଲେ। ଟ୍ରାଫିକ ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ନୟାନ୍ତ ହୋଇ ଯାଇଥିଲା। ଗୋଟିଏ ଛକରୁ ଆଉ ଗୋଟିଏ ଛକକୁ ଯିବା ଲାଗି ଅତିକମରେ ଅଧଘଣ୍ଟା ଲାଗି ଯାଉଥିଲା। ପୂଜା ସମୟରେ ରାଜଧାନୀରେ ସୃଷ୍ଟି ହେବାକୁ ଥିବା ଟ୍ରାଫିକ ଜାମ୍‌ ପରିସ୍ଥିତିର ମୁକାବିଲା କରିବା ଲାଗି ‘ମୋ ବସ’ ଚଳାଚଳକୁ ଦିନ ୨ଟା ପରେ ବନ୍ଦ କରାଯାଇଥିଲା। ସେହିପରି ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଆଗରେ ଏସ୍‌ପିଓଙ୍କୁ ମଧ୍ୟ ନିଯୁକ୍ତି ମିଳିଥିଲା। କିନ୍ତୁ ଏ ସବୁ ସତ୍ତ୍ବେ ଅସମ୍ଭାଳ ହୋଇ ପଡ଼ିଥିଲା ଟ୍ରାଫିକ ସମସ୍ୟା।

ସମ୍ବନ୍ଧିତ ଖବର