ବେକାବୁ ମ୍ୟୁଜିୟମ୍‌ ଛକ, କେହି ମାନୁନାହାନ୍ତି ସିଗ୍‌ନାଲ

ଭିଡ଼ ନିୟନ୍ତ୍ରଣ ଛାଡ଼ି ଜରିମାନା ଆଦାୟରେ ବ୍ୟସ୍ତ ପୁଲିସ

ଗହଳି ବେ‌ଳେ ଚେକିଂ
କଳ୍ପନା ଛକରେ ଥିବା ମ୍ୟୁଜିୟମ ସାମ୍ନାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସିଗ୍‌ନାଲ ବ୍ୟବସ୍ଥା କରାଯାଇଛି। ଏଠାରୁ ତିନି ଦିଗକୁ ରାସ୍ତା ରହିଛି। ବିଏମ୍‌ସି ଅଫିସ୍‌ ‌ଦେଇ ମାଉସୀ ମା’ ଛକକୁ ଯାଇଥିବା ରାସ୍ତାକୁ କଳ୍ପନା ଆଡୁ ଆସୁଥିବା ଗାଡ଼ି ଓ ସାମନ୍ତରାପୁରରୁ କଳ୍ପନା ଯାଉଥିବା ଗାଡ଼ି ଏହି ଛକରେ ମୁହାଁମୁହିଁ ହେଉଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଥିବା ସିଗ୍‌ନାଲ ବ୍ୟବସ୍ଥାକୁ କିନ୍ତୁ କେହି ମାନୁ ନାହାନ୍ତି। କିଛି ଗାଡ଼ି ମାଉସୀ ମା’ ଛକରୁ ଆସି ରବି ଟକିଜ୍‌ ପାର୍ଶ୍ବକୁ ଯିବା ପାଇଁ ଉଦ୍ୟମ କଲାବେଳେ ସେଠାରେ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଗୋଟିଏ ପଟେ ପୁରୀରୁ ଆସୁଥିବା ବସ୍ ଛିଡ଼ା ହେଉଥିବା ବେଳେ ବିପରୀତ ଦିଗରେ ପୁରୀକୁ ଯାଉଥିବା ବସ୍‌ ଛିଡ଼ା ହୋଇ ରହୁଛି। ମ୍ୟୁଜିୟମ୍‌ ମୁଖ୍ୟ ଫାଟକ ଗୋଟିଏ ପାର୍ଶ୍ବରେ ୧୦ରୁ ୧୫ ଉଠା ଦୋକାନୀ ବସୁଥିବା ବେ‌ଳେ ୨୦ ଫୁଟ ଦୂରରେ ପୁଲିସ ନିୟମିତ ଗାଡ଼ି ଯାଞ୍ଚ କରୁଛି। ସେହିଭଳି କଳ୍ପନା ଛକଠାରୁ ପୁରୀ ବସ୍‌ ରହୁଥିବା ସ୍ଥାନ ପର୍ଯ୍ୟନ୍ତ ରାସ୍ତାର ୫୦ ପ୍ରତିଶତରୁ ଅଧିକ ସ୍ଥାନ ଜବରଦଖଲରେ ରହୁଛି। ଫଳରେ ଦୀର୍ଘ ସମୟ ଧରି ରାସ୍ତା ଉପରେ ଗାଡ଼ି ଛିଡ଼ା ହୋଇ ରହୁଛି।

ଭୁବନେଶ୍ବର: ଦିନକୁ ଦିନ ବେକାବୁ ହୋଇଯାଉଛି ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା। କମିସନରେଟ୍‌ ପୁଲିସ ଏହାକୁ ବ୍ୟବସ୍ଥିତ କରିବାକୁ ଯେତିକି ଉଦ୍ୟମ କରୁଛି ପରିଚାଳନାଗତ ତ୍ରୁଟି କାରଣରୁ ତାହା ଅଧିକ ବିଗିଡ଼ି ଯାଉଛି। ଟ୍ରାଫିକ୍‌ କନ୍‌ଷ୍ଟେବଲ୍‌ ଥିଲେ ସୁଦ୍ଧା କେତେକ ନିର୍ଦ୍ଦିଷ୍ଟ ଜାଗାରେ ଚାଳକ ଟ୍ରାଫିକ୍‌ ସିଗ୍‌ନାଲ ମାନୁନାହାନ୍ତି। ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା କିପରି ବିପର୍ଯ୍ୟସ୍ତ ହୋଇପଡ଼ିଛି ମ୍ୟୁଜିୟମ ଛକ ହିଁ ତା’ର ଉଦାହରଣ ପାଲଟିଛି। ଏଠାରେ ଲାଗିଥିବା ଟ୍ରାଫିକ୍‌ ସିଗ୍‌ନାଲ କେହି ମାନୁ ନଥିବା ବେଳେ ଉଠାଦୋକାନୀ, ଅଟୋ ଆଦି ଅଧା ରାସ୍ତା ମାଡ଼ି ବସୁଛନ୍ତି। ଏପଟେ ଭିଡ଼ ନିୟନ୍ତ୍ରଣ କରିବା ବଦଳରେ ଟ୍ରାଫିକ ପୁଲିସ ଛକ ଉପରେ ଗାଡ଼ି ଅଟକାଇ ଜରିମାନା ଆଦାୟ କରୁଥିବାରୁ ସମସ୍ୟା ଦ୍ବିଗୁଣିତ ହୋଇଯାଉଛି। ପ୍ରତ୍ୟେକ ଦିନ ଅସମ୍ଭାଳ ଭିଡ଼, ଦୁର୍ଘଟଣା ଏଠାରେ ଘଟୁଥିଲେ ହେଁ କମିସନରେଟ୍ ପୁଲିସ ଏହାର ସମାଧାନ କରିବା ବଦଳରେ ଜରିମାନା ଆଦାୟ ଚକ୍କରରେ ଭିଡ଼କୁ ନିୟନ୍ତ୍ରଣ ବାହାରକୁ ଛାଡ଼ି ଦେଉଛି। ରାଜଧାନୀର ପ୍ରମୁଖ ଅଞ୍ଚଳକୁ ପ୍ରବେଶ ପଥ ପାଲଟିଥିବା ଏହି ଛକରେ ଟ୍ରାଫିକ ବ୍ୟବସ୍ଥା କିପରି ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହା ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ପ୍ରତ୍ୟେକ ଦିନ ଅଙ୍ଗେ ନିଭାଉଛନ୍ତି। କଳ୍ପନା ଛକରୁ ଆସୁଥିବା ଲୋକ ମାଉସୀ ମା’ ଛକ ପାର୍ଶ୍ବକୁ ଗଲାବେଳକୁ, ରବି ଟକିଜ୍‌ ପାର୍ଶ୍ବରୁ ଆସୁଥିବା କଳ୍ପନା ଛକକୁ ଗଲା ବେଳକୁ, ମାଉସୀ ମା’ ଛକ ପାର୍ଶ୍ବରୁ ଆସୁଥିବା ଲୋକ ବିଜେବି କଲେଜ କିମ୍ବା କଳ୍ପନା ପାର୍ଶ୍ବକୁ ଯିବାବେଳେ ମୁହାଁମୁହିଁ ହେଉଛନ୍ତି। କେତେବେଳେ ଗାଡ଼ି ଲୋକଙ୍କ ଉପରେ ଚଢ଼ି ଯାଉଛି ତ କେତେବେଳେ କାର୍‌ ପଛକୁ ଅଟୋ ପିଟି ଦେଉଛି। ଏସବୁ ବିଭ୍ରାଟ ପଛରେ ଅଟୋ ଚାଳକଙ୍କ ବେପରୁଆ ଗାଡ଼ି ଚାଳନ ଯେ ପ୍ରମୁଖ କାରଣ ତାହା କାହାକୁ ଅଛପା ନାହିଁ। ହେଲେ ପାଟି ଫିଟାଇବାକୁ କାହାର ସାହସ ନାହିଁ। ସାଧାରଣ ଲୋକ ଯଦି ପାଟି ଫିଟାଉଛନ୍ତି ଅଟୋ ଚାଳକମାନେ ମିଶିକି ଆକ୍ରମଣ କରୁଛନ୍ତି। ଆଉ ପୁଲିସ ଚାନ୍ଦା ନେଇ ନିରବଦ୍ରଷ୍ଟା ସାଜୁଛି। ଫଳରେ ଏଠାରେ ଲାଗିଥିବା ଟ୍ରାଫିକ୍‌ ସିଗନାଲ୍‌ କ’ଣ ସଙ୍କେତ ଦେଉଛି ତାହାକୁ କେହି ଅପେକ୍ଷା କରନ୍ତିନି କି ମାନନ୍ତିନି।

ଡ୍ରପ୍‌-ଟାକ୍ସି ବେପାର: ଏହି ଛକରେ ଭିଡ଼ ନିୟନ୍ତ୍ରଣ ନହେବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଏଠାରେ ଚାଲିଥିବା ‘ଡ୍ରପ୍‌ ଟାକ୍ସି’ ବେପାର। ଦିନ ତମାମ୍‌ ଏହି ବେପାର ଏଠାରେ ଚାଲୁଥିବାରୁ ରାସ୍ତାର ଅଧା ସ୍ଥାନ ଜବରଦଖଲ ହେଉଛି। ପୁରୀରୁ ଗ୍ରାହକଙ୍କୁ ଭୁବନେଶ୍ବରେ ଛାଡ଼ିବା ପରେ କିମ୍ବା ପୁରୀରୁ ଭଡ଼ା ଆଣିବା ପାଇଁ ଭୁବନେଶ୍ବରରୁ ଗାଡ଼ି ଯାଉଥିବା ବେ‌ଳେ ଫାଙ୍କା ଯାଇଥାଏ। ଏଣୁ ଏଠାରୁ ସେମାନେ ଯାତ୍ରୀ ଉଠାଇଥାନ୍ତି। ଜଣଙ୍କୁ ଶହେ ଟଙ୍କା ହିସାବରେ ଅତି କମ୍‌ରେ ୫ଶହ ଟଙ୍କା ମିଳିଥାଏ। ଗାଡ଼ି ବଡ଼ ହେଲେ ପରିମାଣ ବଢ଼ିଥାଏ। ଏହା ସିଧାସଳଖ ଚାଳକ ପକେଟ୍‌କୁ ଯାଇଥାଏ। ଏଠାରେ ଗାଡ଼ି ଛିଡ଼ା କରି ସେମାନେ ଯାତ୍ରୀଙ୍କୁ ଉଠାଇଥାନ୍ତି। ଭଡ଼ା ସାଙ୍ଗକୁ ଡ୍ରପ୍‌ ବେପାର ଭଲ ଜମୁଥିବାରୁ ଟ୍ୟାକ୍ସି ଚାଳକ ବି ଏଠାରେ ଅଘୋଷିତ ଭାବେ ଟ୍ୟାକ୍ସି ଷ୍ଟାଣ୍ଡ କରିଦେଇଛନ୍ତି। ରାସ୍ତା କଡ଼ରେ ଏହି ବେପାର ବର୍ଷ ବର୍ଷ ଧରି ଚାଲୁଛି। ପୁଲିସ ହାତଗୁଞ୍ଜା ନେଇ ଏପରି ବେଆଇନ୍‌ ପାର୍କିଂ ପାଇଁ ଅନୁମତି ଦେଉଥିବା ଅଭିଯୋଗ ହେଉଛି। ରାସ୍ତା ଉପରେ ଅଟୋ, ବସ୍‌ ପାର୍କିଂ: ଛକର ଗୋଟିଏ ପଟେ ଅଟୋ ଷ୍ଟାଣ୍ଡ ଥିବା ବେଳେ ବିପରୀତ ଦିଗରେ ବସ୍‌ ପାର୍କିଂ ହେଉଛି। ଅଟୋଚାଳକମାନେ ରାସ୍ତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟୋ ଛିଡ଼ା କରି ଗ୍ରାହକ ଯୋଗାଡ଼ କରୁଛନ୍ତି। ଏପଟେ ବସ୍‌ ପାର୍କିଂ ଫଳରେ ଅନ୍ୟଦିଗରୁ ଆସୁଥିବା ଗାଡ଼ି ଦେଖାଯାଉ ନଥିବାରୁ ଦୁର୍ଘଟଣା ହେଉଛି। ଗୋଟିଏ ପଟେ ପୁରୀରୁ ଆସୁଥିବା ବସ୍‌ ରହୁଥିବା ବେଳେ ବିପରୀତ ଦିଗରେ କଟକ ଓ ଭୁବନେଶ୍ବରରୁ ଯାଉଥିବା ବସ୍‌ ରହୁଛି। ଓହ୍ଲାଉଥିବା ଲୋକଙ୍କୁ ନେବାପାଇଁ ଅଟୋ ଭିଡ଼ ଜମାଉଛନ୍ତି। ଯାହା ଏହି ଛକରେ ଅବ୍ୟବସ୍ଥିତ ଟ୍ରାଫିକ ବ୍ୟବସ୍ଥାର ଅନ୍ୟ ଏକ ପ୍ରମୁଖ କାରଣ।

ଅଟୋ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି
ପ୍ରତ୍ୟେକ ଦିନ ଏଠା‌ରେ ଟ୍ରାଫିକ୍‌ ସମସ୍ୟା‌ ପାଇଁ ଦେଖାଯାଉଛି। ଅଟୋଗୁଡ଼ିକ ରାସ୍ତା ଉପରେ ମନଇଚ୍ଛା ପାର୍କିଂ କରୁଛନ୍ତି। ଯିଏ ଯୁଆଡ଼େ ପାରୁଛି ମାଡ଼ି ଯାଉଥିବାରୁ ଅନେକ ସମୟରେ ଏହି ଛକରୁ କଳ୍ପନା ଯିବା ବେଳେ ଓ କଳ୍ପନାରୁ ରବି ଟକିଜ୍‌ ଆଡ଼କୁ ଯିବା ବେଳେ ଏଠାରେ ସମସ୍ୟା ହେଉଛି।
ଇପ୍‌ସିତା ରାଉଳ, ଭୁବନେଶ୍ବର

ନିୟମ ମାନୁନଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ
କେତେକ ଯୁବକଙ୍କର ଆଇନ ଭାଙ୍ଗିବାକୁ ନେଇ ପ୍ରତିଯୋଗିତା ହେଉଛି। ପୁଲିସ ଥିବା ବେଳେ ବି ସେମାନେ ସିଗ୍‌ନାଲ ଭାଙ୍ଗି ମାଡ଼ି ଯାଉଛନ୍ତି। ଫଳରେ ସମସ୍ୟା ହେଉଛି। ଆଇନ ଭାଙ୍ଗୁଥିବା ଚାଳକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହଲେ ଏଭଳି ସମସ୍ୟା ସହର ସାରା ବ୍ୟାପିବା ଆଶଙ୍କା ରହିଛି।
ଭରତ ବିଶ୍ବାଳ, ଭୁବନେଶ୍ବର

ଖୁବ୍‌ ଶୀଘ୍ର ସମାଧାନ ହେବ
ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ଯୋଜନା ରହିଛି। କଳ୍ପନା ଛକର ଏହି ସମସ୍ୟା ସମାଧାନ ପାଇଁ ଆମେ ଉଦ୍ୟମ କରିବୁ।
ଅନୁପ ସାହୁ, ଡିସିପି

ସମ୍ବନ୍ଧିତ ଖବର