ଜାମରେ ଯାଉଛି ଜୀବନ : ଦୋଷ ‌ଲୁଚାଇବାକୁ ପ୍ରତିଯୋଗିତା

ଇନ୍ସପେକ୍ଟରଙ୍କୁ କୈଫିୟତ ତଲବ

ଭୁବନେଶ୍ବର : ସୋମବାର ରାଜଧାନୀରେ ସୃଷ୍ଟି ହୋଇଥିବା ଅହେତୁକ ଜାମରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟଣାର ଭିତିରି ଅନୁସନ୍ଧାନ ଆରମ୍ଭ କରିଛି ଖାରବେଳନଗର ଥାନା ପୁଲିସ। ଦୁଇ ଦିନ ହେବ ପୁଲିସର ଦୁଇଟି ଟିମ ସତ୍ୟନଗର ରାଜକୁମାର ବସ୍ତିକୁ ଯାଇ ମୃତ ନାବାଳିକାର ପରିବାର ଲୋକଙ୍କ ସହିତ କଥାବର୍ତା ଆରମ୍ଭ କରିଛନ୍ତି। ଯାହା ସୂଚନା ମିଳିଛି, ପରିବାର ଲୋକ ଆସନ୍ତାକାଲି ଏ ନେଇ ଥାନାରେ ଅଭିଯୋଗ କରିବେ। ଥାନାରେ ଅଭିଯୋଗ ହେବା ପରେ ନୀଳାଚଳ ହସ୍ପିଟାଲ କତୃର୍ପକ୍ଷଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏପରି କ୍ଷେତ୍ରରେ ଲାଗୁଛି ସମସ୍ତେ ଯେପରି ଦୋଷ ଲୁଚାଇବାକୁ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଛନ୍ତି। ପୁଲିସଠାରୁ ଆରମ୍ଭ କରି ହସ୍ପିଟାଲ୍‌ କର୍ତୃପକ୍ଷ ଶେଷରେ ସତ୍ୟନଗର ଶ୍ମଶାନ କର୍ମଚାରୀ କିପରି ବେପରୁଆ ଢଙ୍ଗରେ କାମ କରିଛନ୍ତି, ତାହା ଜଳଜଳ ଦେଖାଯାଉଛି।

ସୂଚନା ଅନୁଯାୟୀ, ଘଟଣା ଦିନ ନାବାଳିକାକୁ ଅଚେତ ଅବସ୍ଥାରେ ପରିବାର ଲୋକ ହସ୍ପିଟାଲ ଆଣିଥିଲେ। ପରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ। ନିୟମ ଅନୁଯାୟୀ ହସ୍ପିଟାଲକୁ କୌଣସି ମୃତଦେହ ଆସିବା କ୍ଷଣି ହସ୍ପିଟାଲ କତୃର୍ପକ୍ଷ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ଥାନାକୁ ଖବର ଦେବା କଥା। ପରେ ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବ। ଏହା ପରେ କ୍ୟାପିଟାଲ ହସ୍ପିଟାଲ ନେଇ ବ୍ୟବଚ୍ଛେଦ କରାଇବ। କିନ୍ତୁ ହସ୍ପିଟାଲ କତୃର୍ପକ୍ଷ ନାବାଳିକାକୁ ମୃତ ଘୋଷଣା କରି ପୁଲିସକୁ ଖବର ଦେବାକୁ ଭୁଲି ଯାଇଥିଲେ। ପରେ ନାବାଳିକାଙ୍କ ପରିବାର ଲୋକ ସତ୍ୟନଗର ଶ୍ମଶାନରେ ଶବଦାହ କରି ଦେଇଥିଲେ। ଯାହାକି ସଂପୂର୍ଣ୍ଣ ବେଆଇନ।

ବଡ଼ କଥା ହେଉଛି, ନାବାଳିକାଜଣକ ହସ୍ପିଟାଲକୁ ଯିବା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ଆଦି ଘଟଣାର ସିସିଟିଭି ଫୁଟେଜ୍‌ ରହିବା ସହିତ ସ୍ଥାନୀୟ ଲୋକ ଏହାକୁ ମୋବାଇଲ ଫୋନ୍‌ରେ ସୁଟିଂ ମଧ୍ୟ କରିଛନ୍ତି। ଗତ ଦୁଇ ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହା ଏବେ ହସ୍ପିଟାଲ କତୃର୍ପକ୍ଷଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ହସ୍ପିଟାଲ କତୃର୍ପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯୋଜନା ହେଉଛି ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଖାରବେଳନଗର ଥାନା ପୁଲିସ କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ବରିଷ୍ଠ ଅଧିକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଖାମଖିଆଲି ମନୋଭାବରୁ ଏଭଳି ଏକ ଅଘଟଣ ଘଟିଥିଲା। ମାତ୍ର ଏହା ପରେ ପୁଲିସ ଯେପରି ତତ୍ପରତା ପ୍ରକାଶ କରିବା କଥା, ତାହା କରି ନଥିଲା। ଘଟଣାକୁ ଅତି ହାଲୁକା ଭାବେ ନେଇ ଥିଲା ବୋଲି ଅନେକ ଅଭିଯୋଗ କରୁଛନ୍ତି। ତେଣୁ ଖାରବେଳନଗର ଥାନା ଇନ୍ସପେକ୍ଟର ଜ୍ଞାନେନ୍ଦ୍ର ସାହୁଙ୍କୁ ଏ ନେଇ ଡିସିପିଙ୍କ କାର୍ଯ୍ୟାଳୟରୁ କୈଫିୟତ ତଲବ ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ, ଆଉ ଏକ ସାଂଘାତିକ ଘଟଣା ପଦାକୁ ଆସିଛି। ବିନା ମୃତ ସାର୍ଟିଫିକେଟରେ ସତ୍ୟନଗର ଶ୍ମଶାନରେ କାମ କରୁଥିବା ବିଏମ୍‌ସି କର୍ମଚାରୀ ନାବାଳିକାର ମୃତଦେହକୁ କିଭଳି ଦାହ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ବିଏମ୍‌ସି କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଲାଣି।

ହସ୍ପିଟାଲଠାରୁ ଆରମ୍ଭ କରି କମିସନରେଟ ପୁଲିସ ଓ ସତ୍ୟନଗର ଶ୍ମଶାନ କର୍ମଚାରୀଙ୍କ ବେପରୁଆ ମନୋଭାବକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଆଶ୍ଚର୍ଯ୍ୟର କଥା ହେଉଛି, ସମସ୍ତ ଘଟଣାର ସିସିଟିଭି ଫୁଟେଜ ଓ ଭିଡିଓ ରେକର୍ଡିଂ ଥିଲେ ମଧ୍ୟ ଖାରବେଳନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ବି ରୁଜୁ କରିପାରିଲା ନାହିଁ। ଅନ୍ୟପକ୍ଷରେ ମୃତ ନାବାଳିକା ବଦଳରେ କେହି କାହାକୁ ହତ୍ୟା କରି ଏଭଳି ଆରାମରେ ହସ୍ପିଟାଲ ଯାଇ ସେଠାରୁ ଆସି ସତ୍ୟନଗର ଶ୍ମଶାନରେ ଶବଦାହ ଯେ କରିନ ପାରିବ, ତାର ଗ୍ୟାରେଣ୍ଟି ମଧ୍ୟ ଦେଇ ହେଉ ନାହିଁ ବୋଲି କୁହାଯାଉଛି।

ଏଠି ପ୍ରଶ୍ନ ଉଠୁଛି ହସ୍ପିଟାଲ କତୃର୍ପକ୍ଷ କାହିଁକି ପୁଲିସକୁ ଖବର ଦେଇ ନ ଥିଲେ ? କାହିଁକି ଆଇନକୁ ବେଖାତିର କରିଥିଲେ ହସ୍ପିଟାଲ କତୃର୍ପକ୍ଷ ? ଯାହାର ଉତ୍ତର ନା ହସ୍ପିଟାଲ କତୃର୍ପକ୍ଷଙ୍କ ପାଖରେ ନା ପୁଲିସ ପାଖରେ ଅଛି। ସମସ୍ତେ ଏବେ ଚୁପ୍‌।

ସମ୍ବନ୍ଧିତ ଖବର