ସାଢ଼େ ତିନି ଘଣ୍ଟା ଛଟପଟ

ଆଜି ପୂର୍ବାହ୍ନ ୧୧ଟା ୪୫ରୁ ଅପରାହ୍‌ଣ ସାଢ଼େ ୩ଟା ଯାଏଁ ରାଜମହଲରୁ ରାମମନ୍ଦିର ଛକ ଯାଏଁ ଚକା ଜାମ୍ ହୋଇଗଲା। ଯିଏ ଯେଉଁଠି ଥିଲେ ସେଇଠି ରହିଗଲେ। ୮ଟି ସଂସ୍ଥାର ବିକ୍ଷୋଭ ପାଇଁ ଜନପଥରେ ଏହିଭଳି ଅଚଳାବସ୍ଥା ପରିସ୍ଥିତି ସୃଷ୍ଟି ହେଲା। କିନ୍ତୁ ଏହାକୁ ନିୟନ୍ତ୍ରଣ କରିବାରେ କମିସନରେଟ୍ ପୁଲିସ ଏବଂ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଫେଲ୍‌ ମାରିଲେ। ସାଢ଼େ ତିନି ଘଣ୍ଟାରୁ ଅଧିକ ସମୟ ଧରି ହଜାର ହଜାର ଲୋକ ରାସ୍ତା‌ ଉପରେ ଖାଡ଼ା ଉପାସ ଠିଆ ହେଲେ। ବାଇକ୍, କାର୍, ବସ୍‌, ଅଟୋ ସବୁ ରାସ୍ତା ଉପରେ ଷ୍ଟାର୍ଟ ବନ୍ଦ କରି ଅଟକିଗଲେ। କିନ୍ତୁ ଭିଡ଼ ହଟାଇବାକୁ କମିସନରେଟ୍ ପୁଲିସର ଅଧିକାରୀ ପହଞ୍ଚିଲେନି। ଯିଏ ଆସିଲେ ଉପାୟ ଶୂନ୍ୟ ହୋଇ ଫେରିଗଲେ। ପରିଣତି ହେଲା ଗୋଟିଏ ନିଷ୍ପାପ ଶିଶୁ ହସ୍ପିଟାଲରେ ପହଞ୍ଚି ନପାରିବାରୁ ଜୀବନ ଚାଲିଗଲା। ଦୂରଦୂରାନ୍ତରୁ ଆସୁଥିବା ଲୋକ ବ୍ୟାଗ୍ ମୁଣ୍ଡାଇ ଷ୍ଟେସନକୁ ଗଲେ, କିଏ ଟ୍ରେନ୍ ଫେଲ୍‌ ହେଲା କିଏ ବିମାନ। ସ୍କୁଲ ପିଲା ୧୨ଟା ବଦଳରେ ୪ଟାରେ ଘରେ ପହଞ୍ଚିଲେ, ଯିଏ ଜରୁରି କାମରେ ଯାଉଥିଲେ ସେମାନେ ୪ଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଲେ। ବାରମ୍ବାର ଏହିଭଳି ଘଟଣା ଜନପଥରେ ଘଟୁଛି। ଯେଉଁ ରାସ୍ତାକୁ ସରକାର ଏକ ଆଦର୍ଶ ରାସ୍ତା ଭାବେ ନିର୍ମାଣ କରୁଛି ସେ ରାସ୍ତାରେ ଯଦି ଏମିତି ହେଉଛି ତେବେ ରାଜଧାନୀର ଅନ୍ୟ ରାସ୍ତାଗୁଡ଼ିକର ସ୍ଥିତି ଅନୁମେୟ। ଉଦ୍‌ବେଗର ବିଷୟ ଏହି ସବୁ ସମସ୍ୟାର ସମାଧାନ ପାଇଁ ବହୁ ଘୋଷଣା ହୋଇଛି। ହେଲେ ସବୁ ବାହାସ୍ଫୋଟ ପାଲଟିଛି।

ହୋଇପାରିଲାନି ଆମ୍ବୁଲାନ୍‌ସ କରିଡର

ଭୁବନେଶ୍ବର : ରାଜଧାନୀରେ ଘରୋଇ ଆମ୍ବୁଲାନ୍‌ସ ଚଳାଚଳ ପାଇଁ ସ୍ବତନ୍ତ୍ର ଭାବେ ଏକ କରିଡର ନିର୍ମାଣ କରିବା ପାଇଁ ଉଦ୍ୟମ ଆରମ୍ଭ ହେବାର ୪ବର୍ଷ ବିତିଲାଣି। ସ୍ବତନ୍ତ୍ର‌ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଆଗ୍ରହ ପ୍ରକାଶ କରିବା ସହିତ କମିସନରେଟ ପୁଲିସକୁ ଏଥିପାଇଁ ନିର୍ଦେଶ ଦେଇଥିଲେ। ଯାହାଫଳରେ ଟ୍ରାଫିକ୍‌ ଜାମ୍‌ କିମ୍ବା ଭିଭିଆଇପିଙ୍କ ଯାତାୟାତ ସମୟରେ ଆମ୍ବୁଲାନ୍‌ସ ଅଟକିବ ନାହିଁ। ମାତ୍ର ଏହି ନିଷ୍ପତ୍ତି କୁଆଡ଼େ ହଜି ଗଲାଣି। ଏଥିପାଇଁ ଏକାଧିକର ଥର ବୈଠକ ବସିଲା। ଘରୋଇ ହସ୍ପିଟାଲର ଅଧିକାରୀଙ୍କୁ ଡାକି ଆଲୋଚନା ହେଲା। ମାତ୍ର ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହା ଭିତରେ ଅନେକ କମିସନର ବଦଳି ଗଲେଣି କିନ୍ତୁ ଯୋଜନା କେବଳ ନିଷ୍ପତ୍ତିରେ ହିଁ ରହି ଯାଇଛି।

ରାଜଧାନୀରେ ଘରୋଇ ଆମ୍ବୁଲାନ୍‌ସ ପାଇଁ ସ୍ବତନ୍ତ୍ର କରିଡର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ନିର୍ଦେଶ ଦେଇଥିଲେ। ସେ ସମୟର ପୁଲିସ କମିସନର ରାଜେନ୍ଦ୍ର ପ୍ରସାଦ ଶର୍ମା ଏ ସଂକ୍ରାନ୍ତରେ ଏକାଧିକ ବାର ବୈଠକ ଡାକିଥିଲେ। ଏପରିକି ଜାତୀୟ ରାଜପଥ କର୍ତୃପକ୍ଷ, ପୂର୍ତ ବିଭାଗ, କମିସନରେଟ ପୁଲିସ ଓ ବିଏମ୍‌ସିକୁ ନେଇ ଏକ କମିଟି ଗଠନ କରାଯାଇଥିଲା। କିଭଳି ଏହି ଆମ୍ବୁଲାନ୍‌ସ କରିଡର କାର୍ଯ୍ୟକାରୀ ହେବ ତାହାର ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କମିଟିକୁ ଦାୟିତ୍ବ ଦିଆଯାଇଥିଲା। ପରବର୍ତୀ ସମୟରେ ଘରୋଇ ହସ୍ପିଟାଲ, ଆଇଟି ବିଶେଷଜ୍ଞ, ୧୦୮ ଆମ୍ବୁଲାନ୍‌ସ ଓ ପୁଲିସକୁ ନେଇ ସବ୍ କମିଟି ମଧ୍ୟ ଗଠନ କରାଯାଇଥିଲା। ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଥିଲା। ସେହିପରି ରାଜଧାନୀର କେତେକ ସ୍ଥାନରେ ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ପୂର୍ତ ବିଭାଗକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହାସହ ବିଭିନ୍ନ ଛକରେ ମୁତୟନ ହେଉଥିବା ଟ୍ରାଫିକ୍ ପୁଲିସଙ୍କୁ ୱାକିଟକି ଜରିଆରେ ଆମ୍ବୁଲାନ୍‌ସର ଚଳାଚଳ ସଂପର୍କରେ ସୂଚନା ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଯାହାଫଳରେ ଆମ୍ବୁଲାନ୍‌ସ ଯିବା ସମୟରେ ରାସ୍ତାର କୌଣସି ସ୍ଥାନରେ ନ ଅଟକି ଚଳାଚଳ କରିପାରିବ। ଜିପିଏସ୍ ସହାୟତାରେ ଏସବୁକୁ ନିୟନ୍ତ୍ରଣ କରିବାକୁ ଅଧିକାରୀମାନେ ଚିନ୍ତା କରିଥିଲେ। ଯେହେତୁର ରାଜଧାନୀରେ ୧୦୮ ଆମ୍ବୁଲାନ୍‌ସ ଜିପିଏସ୍‌ ସହାୟତାରେ ଚଳାଚଳ କରୁଛି ତେଣୁ ୧୦୮ ଆମ୍ବୁଲାନ୍‌ସ ଚଳାଉଥିବା କର୍ତୃପକ୍ଷଙ୍କୁ ମଧ୍ୟ ଏଥିପାଇଁ ସାମିଲ କରାଯାଇଥିଲା। ବାଙ୍ଗାଲୁରୁ, ଚେନ୍ନାଇ ଓ ଗୁରୁଗ୍ରାମରେ ପୂର୍ବରୁ ଏଭଳି କରିଡର୍‌ ବେଶ ସଫଳତାର ସହ କାର୍ଯ୍ୟ କରୁଛି। ଏତେସବୁ ଉଦ୍ୟମ ଓ ପଦକ୍ଷେପର ଫଳ ଶୂନ। ନିଷ୍ପତ୍ତିର ଦୀର୍ଘବର୍ଷ ପରେ ମଧ୍ୟ ରାଜଧାନୀରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ସମ୍ବନ୍ଧିତ ଖବର