ଜାମ୍‌ ଅସମ୍ଭାଳ : ବେଆଇନ ପାର୍କିଂ ପାଇଁ ଲୋକ ଓ ସଂସ୍ଥା ଦାୟୀ ହେବେ

ଲୋକ ଜରିମାନା ଗଣିବେ, ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠା ହେବ: ପୁଲିସ କମିସନର

ଭୁବନେଶ୍ବର : କୌଣସି ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ହୋଟେଲ୍‌, ମଣ୍ଡପ, ମନ୍ଦିର, ମଲ୍‌, ହଲ୍‌, ଫୁଡ୍‌ ସେଣ୍ଟର କିମ୍ବା ରେସ୍ତୋରାଁ ନିକଟରେ ଥିବା ନୋ-ପାର୍କିଂ ଜୋନ୍‌ରେ କେହି ପାର୍କିଂ କରିପାରିବେ ନାହିଁ। ଏହି ସବୁ ସ୍ଥାନରେ ଯେଭଳି ଜାମ୍‌ ପରିସ୍ଥିତି ନ ଉପୁ‌ଜେ, ସେଥିପାଇଁ ସଂସ୍ଥା ବା ଅନୁଷ୍ଠାନ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବେ। ଯଦି ଜାମ୍ ହୁଏ, ବେଆଇନ ପାର୍କିଂ କରିଥିବା ଲୋକଙ୍କଠାରୁ ଜରିମାନା ଆାଦାୟ ହେବ। ଯେଉଁ ସଂସ୍ଥା ଆଗରେ ବେଆଇନ ପାର୍କିଂ ହୋଇଥିବ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଯୋଜନା କରାଯାଉଛି ବୋଲି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ନୂଆ ବ୍ୟବସ୍ଥାକୁ କିପରି ତୁରନ୍ତ ଲାଗୁ କରାଯିବ, ସେନେଇ ଆସନ୍ତା ୬ ତାରିଖରେ ପୁଲିସ କମିସନରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ବସିବାକୁ ଥିବା ସମନ୍ବୟ ବୈଠକରେ ନିଷ୍ପତ୍ତି ନିଆଯିବ।

ରାଜଧାନୀର ସବୁଠୁ ବଡ଼ ସମସ୍ୟା ବେଆଇନ ପାର୍କିଂ ଏବଂ ଏହା ଯୋଗୁଁ ‌ସୃଷ୍ଟି ହେଉଥିବା ଜାମ୍‌ ପରିସ୍ଥିତି। ବରମୁଣ୍ଡାରୁ ପଳାସୁଣି କି ବାଣୀବିହାରୁ ଶିଶୁଭବନ, କଟକରୋଡ, କଳ୍ପନାରୁ ରବିଟକିଜ୍‌, ସଚିବାଳୟ ମାର୍ଗ, ଜୟଦେବ ବିହାରରୁ ପଟିଆରାସ୍ତା ସବୁଠି ଅଧିକାଂଶ ସମୟରେ ଅସମ୍ଭାଳ ଜାମ୍‌। ଗଳି ରାସ୍ତାଗୁଡ଼ିକର ସ୍ଥିତି ବି ଅତି ଶୋଚନୀୟ। ସ୍ଥିତି ଅଣାୟତ୍ତ ହେଉଥିବାରୁ କମିସନରେଟ୍‌ ପୁଲିସ ଏବେଠୁ ଏହାକୁ ନ ସଜାଡ଼ିଲେ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆକଳନ ହେଲାଣି।

ଜାମ୍‌ ପାଇଁ କିଏ ଖଳନାୟକ?

ଫୁଡ୍‌ସେଣ୍ଟର ଓ ରେସ୍ତୋରାଁ
ରାଜଧାନୀର ରେସ୍ତୋରାଁ, ହୋଟେଲ୍‌ରେ ବିଭିନ୍ନ ସମୟରେ ଭିଡ଼ ରହୁଛି। ବିଶେଷକରି ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଦୋକାନ ଏବଂ ରେସ୍ତୋରାଁରେ ଅସମ୍ଭାଳ ଭିଡ଼ ହେଉଛି। ହେଲେ ଏଠାରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକମାନେ ରାସ୍ତାରେ ଉପରେ ଗାଡ଼ି ରଖିଦେଉଛନ୍ତି। ଯେଉଁଥିପାଇଁ ଏହି ରାସ୍ତାରେ ନାହିଁ ନଥିବା ଜାମ୍‌ ପରିସ୍ଥିତି ଉପୁଜୁଛି। ଏହାର ଉଦାହରଣ ସହିଦନଗର ରୁପାଲି ଛକ ନିକଟରେ ଥିବା ଏକାଧିକ ଚାଟ୍‌ ଦୋକାନ ସମ୍ମୁଖ, ୟୁନିଟ-୯ରେ ଥିବା ଖାଓ ଗଳି, କିଟ୍‌ ଛକ ନିକଟରେ ବିଭିନ୍ନ ଫାଷ୍ଟଫୁଡ୍‌ ଷ୍ଟଲ୍‌, ଓୟୁଏଟି-ଜାଗମରା ରାସ୍ତା, ଶୈଳଶ୍ରୀ ବିହାର-ଇନ୍‌ଫୋସିଟି ରାସ୍ତା ପ୍ରମୁଖ।

ସରକାରୀ ଅଫିସ୍‌
କେବଳ ବେସରକାରୀ ସଂସ୍ଥା ନୁହେଁ ପାର୍କିଂ ବ୍ୟବସ୍ଥା ଉଜୁଡ଼ିବା ପାଇଁ ସରକାରୀ ସଂସ୍ଥା ବି ବହୁ ପରିମାଣରେ ଦା‌ୟୀ। ଆଚାର୍ଯ୍ୟବିହାର ନିକଟ ଆର୍‌ଟିଓ-୧ ଅଫିସ୍‌ ସମ୍ମୁଖ ହେଉ କି ବିଏମ୍‌ସି ଓ ବିଡିଏ ଅଫିସ ସମ୍ମୁଖ; ଏଠାରେ ପ୍ରତିଦିନ ରାସ୍ତା ଉପରେ ଗାଡ଼ି ପାର୍କିଂ ହୋଇ ରହୁଥିବାରୁ ରାସ୍ତା ଜାମ୍ ହେଉଛି। ସେହିପରି ଇପିକଲ୍‌, ଇଡ୍‌କୋ, ନ’ତାଲା, ସଚିବାଳୟ ପଛ ପାର୍ଶ୍ବ ଅଞ୍ଚଳ ଆଦିରେ ଲୋକମାନେ ରାସ୍ତା ଉପରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଥିବାରୁ ଏଠାରେ ଅସମ୍ଭାଳ ପରିସ୍ଥିତି ଉପୁଜୁଛି।

ମଲ୍‌ ଓ ହଲ୍‌
ସମସ୍ତ ମଲ୍‌ ଅଣ୍ଡରଗ୍ରାଉଣ୍ଡ ଓ ବେସମେଣ୍ଟ୍‌ ପାର୍କିଂ ପାଇଁ ନେଇଥିବା ବେଳେ ଏଠାରେ ଗୋଦାମ କରିଛନ୍ତି। ଫଳରେ ୩୦ରୁ ୪୦ଟି କାର୍ ପାର୍କିଂ ହେବାକୁ ଥିବା ସ୍ଥାନରେ ମାତ୍ର ୭/୮ଟି ଗାଡ଼ି ରହୁଛି। ଯେଉଁଥିପାଇଁ ଲୋକମାନେ ମଲ୍‌ ସମ୍ମୁଖ ରାସ୍ତାରେ ପାର୍କିଂ କରୁଛନ୍ତି। ମଲ୍‌ଗୁଡ଼ିକ ବିନା ପାର୍କିଂ ଫି’ରେ ଲୋକଙ୍କୁ ପାର୍କିଂ ଯୋଗାଇବା ନିୟମ ଥିଲେ ହେଁ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଥିବାରୁ ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଛି। ଜନପଥରେ ଥିବା ସପିଂ ମଲ୍‌ରୁ ଆରମ୍ଭ କରି ରସୁଲଗଡ଼ ଛକ ନିକଟରେ ଥିବା ମଲ୍‌, ନୂଆପଲ୍ଲୀ ଛକରେ ଥିବା ମଲ୍‌, ସହିଦନଗରରେ ଥିବା ମଲ୍‌ ପ୍ରମୁଖ ଯୋଗୁଁ ନିକଟବର୍ତ୍ତୀ ରାସ୍ତାରେ ଅସମ୍ଭାଳ ଜାମ୍‌ ପରିସ୍ଥିତିର ସାମ୍ନା କରୁଛନ୍ତି। ସେହିପରି ସିନେମା ହଲ୍‌ ସମ୍ମୁଖରେ ବି ଜାମ୍‌ ପରିସ୍ଥିତି ଉପୁଜୁଛି। ହଲ୍‌ଗୁଡ଼ିକ ଯଦିଓ ପାର୍କିଂ ବ୍ୟବସ୍ଥା କରୁଛନ୍ତି କିନ୍ତୁ ଏଠାରୁ ଗାଡ଼ିଗୁଡ଼ିକ ଶୃଙ୍ଖଳିତ ଭାବେ ବାହାରିବ ତାହା ଉପରେ ନଜର ରଖୁନଥିବାରୁ ସୋ’ ସରିବା ପରେ ସାମ୍ନା ରାସ୍ତାରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଛି। ଯେମିତି ମହାରାଜା ସିନେମା ହଲ୍‌ ପାଇଁ ଜାତୀୟ ରାଜପଥ, କେଶରୀ ହଲ୍‌ ପାଇଁ ସଚିବାଳୟ ମାର୍ଗ, ଏସ୍‌ କମ୍ପ୍ଲେକ୍ସ ପାଇଁ ଶ୍ରୀୟା ଛକ ପର୍ଯ୍ୟନ୍ତ ରାସ୍ତାରେ ଜାମ୍ ହେଉଛି।

ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର
ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରଗୁଡ଼ିକ ଯୋଗୁଁ ମଧ୍ୟ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ସ୍କୁଲ୍‌ ଆରମ୍ଭ ହେଉ କି ଛୁଟି ସମୟ। ଅଭିଭାବକମାନେ ରାସ୍ତା ଉପରେ ମନଇଚ୍ଛା ଗାଡ଼ି ପାର୍କିଂ କରି ପଳାଉଥିବାରୁ ସେହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ରାଜଧାନୀରେ ଥିବା ବିଭିନ୍ନ କୋଚିଂ ସେଣ୍ଟରଗୁଡ଼ିକ ସାମ୍ନାରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି।

ମନ୍ଦିର, ମଣ୍ଡପ ଓ ହୋଟେଲ୍‌
କେତେକ ହାତଗଣତି ହୋଟେଲ୍‌ ଓ ମଣ୍ଡପକୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାର୍କିଂ ବ୍ୟବସ୍ଥା ନାହିଁ। ବାହାଘର, ବ୍ରତଘର କିମ୍ବା କୌଣସି ଉତ୍ସବ ହେଲେ ଲୋକମାନେ ଗାଡ଼ିକୁ ନୋ-ପାର୍କିଂ ଜୋନ୍‌ରେ ରଖୁଛନ୍ତି। ଉତ୍ସବ ସରିବା ପର୍ଯ୍ୟନ୍ତ ସେଠାରେ ଏକପ୍ରକାର ଯାତାୟାତ ଠପ୍‌ ହୋଇଯାଉଛି। ଜାମ୍ ଯୋଗୁଁ ଗାଡ଼ି ହର୍ଣ୍ଣରେ ସ୍ଥାନୀୟ ଅଞ୍ଚଳ କମ୍ପୁଛି। ସେହିପରି କେତେକ ମନ୍ଦିର ମଧ୍ୟ ମୁଖ୍ୟରାସ୍ତାକୁ ଲାଗି ରହିଛି। ଉଦାହରଣ ସ୍ବରୂପ ଶନିବାର ଦିନ ଶନିମନ୍ଦିର ସମ୍ମୁଖ ହେଉ କି ଇସ୍କନର ଉତ୍ସବ ସମୟର ଜାତୀୟ ରାଜପଥର ଦୃଶ୍ୟ।

ସମ୍ବନ୍ଧିତ ଖବର