ଭୁବନେଶ୍ୱର: ମହାନବମୀ ଅବସରରେ ସୋମବାର ଦେବୀ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିଛି। ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼, ସହିଦନଗର, ନୟାପଲ୍ଲୀ, ବରମୁଣ୍ଡା, ଝାରପଡ଼ା ଓ ବମିଖାଲରେ ସବୁଠାରୁ ଅଧିକ ଗହଳି ଲାଗିଛି। ଦୁର୍ଗା ପୂଜାରେ ଶ୍ରଦ୍ଧାଳୁଙ୍କ ଯୋଗୁଁ ପୂଜା ମଣ୍ଡପରେ ଭିଡ ରହୁଥିବା ବେଳେ ମୁଖ୍ୟ ରାସ୍ତାଗୁଡ଼ିକ ଅବସ୍ଥା ମଧ୍ୟ ସମାନ। କଳ୍ପନା ଛକ ଠାରୁ ହଂସପାଳ ପର୍ଯ୍ୟନ୍ତ, ବାଣୀ ବିହାର ଛକ ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ ରହୁଛି। ସେହିଭଳି ଜୟଦେବ ବିହାର ଠାରୁ ସିଆରପି ଛକ ଓ ଫାୟାର ଷ୍ଟେସନ ଠାରୁ ବରମୁଣ୍ଡା ଯାଏଁ ରାସ୍ତ ଅତିକ୍ରମ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି।

Advertisment

publive-image

ଦୁର୍ଗା ପୂଜା ପାଇଁ ଆଗାମୀ ୨ ଦିନ ଯାଏଁ ସନ୍ଧ୍ୟା ସମୟରେ ଭିଡ ରହିବ। ଦଶହରା ଉପଲକ୍ଷେ ମଙ୍ଗଳବାର ସହରର କିଛି ମୁଖ୍ୟ ସ୍ଥାନଗୁଡ଼ିକରେ ରାବଣ ପୋଡ଼ି ଆୟୋଜନ କରାଯାଉଛି। ରାବଣ ପୋଡ଼ି ପାଇଁ ପୂର୍ବରୁ କମିସନରେଟ ପୁଲିସ ଗାଇଡଲାଇନ ଜାରି କରାଯାଇଛି। ଯେଉଁସ୍ଥାନରେ ରାବଣ ପୋଡ଼ି ଆୟୋଜନ ହେବ, ସେଠାରେ ଠେଲା ବ୍ୟବସାୟୀଙ୍କୁ ଦୂରରେ ରହିବାକୁ କୁହାଯାଇଛି। ସେହିପରି ଜାତୀୟ ରାଜପଥରେ ବଡ଼ ବଡ଼ ଗାଡ଼ିଗୁଡ଼ିକର ଚଳାଚଳ ପାଇଁ କଟକଣା ଜାରି କରାଯାଇଛି। ଦଶହରା ପରେ ବୁଧବାର ଭସାଣୀ ସମାରୋହ ହେବ। ଫଳରେ ରାଜଧାନୀର କିଛି ରାସ୍ତା ଭିଡ଼ ରହିବ।