ଜଟଣୀ: ସ୍ଥାନୀୟ ହରିଭାଇନା ଛକରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ଭିଡ଼ ସମ୍ପ୍ରତି ଜଟଣୀ ସହରବାସୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ସବୁଦିନ ସକାଳ ୧୦ଟା ପର୍ଯ୍ୟନ୍ତ ହେଉଥିବା ଟ୍ରାଫିକ୍ ଜାମ୍‌ରେ ସହରବାସୀ ନାକରେ କାନ୍ଦିବା ସ୍ଥିତି ଉପୁଜୁଛି। ଫଳ‌ରେ କର୍ମଜୀବୀଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବଡ଼ ହଇରାଣ ହେଉଛନ୍ତି। ସକାଳ ସମୟରେ ଭାରୀଯାନ ଚଳାଚଳ ବେଶି ହେଉଥିବା ବେଳେ ଟ୍ରାଫିକ୍ କର୍ମଚାରୀ ରହୁନଥିବାରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ସେହିଭଳି ସକାଳେ ଏହି ଛକରେ ବସୁଥିବା ଶ୍ରମିକ ହାଟ ବି ଭିଡ଼ର ଅନ୍ୟତମ କାରଣ ବୋଲି କୁହାଯାଉଛି।

Advertisment

ଜଟଣୀ ଟାଉନ୍‌ରେ ହରିଭାଇନା ଛକଟି ସବୁଠୁ ଗୁରୁତ୍ବପୂର୍ଣ୍ଣ ଛକ। ଭୁବନେଶ୍ବର ପଟୁ ଏହା ଜଟଣୀ ସହରର ପ୍ରବେଶ ଦ୍ବାର‌ ହୋଇଥିବା ବେଳେ ଭୁବନେଶ୍ବର ଯିବା ପାଇଁ ସହରବାସୀଙ୍କ ମୁଖ୍ୟ ଛକ। କୁଦିଆରୀ ଅଞ୍ଚଳକୁ ବାଦ୍‌ ଦେଲେ ସହରର ଅନ୍ୟ ସବୁ ଅଞ୍ଚଳର ଲୋକେ ଏହି ଛକ ଦେଇ ୧୬ ନମ୍ବର ଜାତୀୟ ରାଜପଥକୁ ଆସି ରାଜଧାନୀକୁ ଯାତାୟାତ କରନ୍ତି। ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି। ସକାଳ ବେଳା ବଡ଼ବଡ଼ ଟ୍ରକ, ହାଇୱା ଗାଡ଼ି ଏହି ଛକ ଦେଇ ବେଶି ସଂଖ୍ୟାରେ ଚଳପ୍ରଚଳ ହୋଇଥାଏ। ବଡ଼ କଥା ହେଉଛି ଏହି ଛକ ଦେଇ ଆଇଆଇଟି, ନାଇଜର ଭଳି ଶିକ୍ଷାନୁଷ୍ଠାନକୁ ରାସ୍ତା ପଡ଼ିଛି। ସେହିଭଳି ଖୋର୍ଦ୍ଧା, ପିପିଲି ଓ ଖୋର୍ଦ୍ଧାରୋଡ୍‌ ରେଳଷ୍ଟେସନ୍‌କୁ ଲୋକେ ଏହି ଛକ ଦେଇ ହିଁ ଯାତାୟାତ କରନ୍ତି।

ତେଣୁ କେବଳ ସକାଳ ନୁହେଁ, ରାତି ୧୦ଟା ପର୍ଯ୍ୟନ୍ତ ଏହି ଛକରେ ଗହଳି ଲାଗି ରହୁଛି। ସକାଳ ସମୟରେ ଲୋକମାନେ ମାର୍କେଟିଂ କରିବାକୁ ଆସୁଥିବା ବେଳେ ଟ୍ରକ, ହାଇୱା, ବସ୍ ଆଦି ଯାତାୟାତ କରୁଥିବାରୁ ଅସମ୍ଭାଳ ଭିଡ଼ ହୋଇଯାଉଛି। ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ପୁଲିସ କର୍ମଚାରୀ ନଥିବାରୁ ଗାଡ଼ିଚାଳକମାନେ ମନଇଚ୍ଛା ଏଣେତେଣେ ଗାଡ଼ି ପୂରାଉଛନ୍ତି। ଫଳରେ ଛକ ଜାମ୍‌ ହୋଇଯାଉଛି ଏବଂ ଘଣ୍ଟାଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ରେ ଲୋକେ ଫସି ଯାଉଛନ୍ତି। ସେହିପରି ମାର୍କେଟିଂ କରିବାକୁ ଆସୁଥିବା ଲୋକମାନେ ନିଜର ବାଇକ୍ ସବୁକୁ ମନଇଚ୍ଛା ଏଠିସେଠି ପାର୍କିଂ କରୁଛନ୍ତି। ମୋଟାମୋଟି ଭାବେ ଦେଖିଲେ ଏହି ଛକରେ ଭିଡ଼ ନିୟନ୍ତ୍ରଣ କରିବାକୁ କେହି ନାହାନ୍ତି। ସବୁଠୁ ବେଶି ସମସ୍ୟା ହେଉଛି ଶ୍ରମିକ ହାଟ। ସକାଳେ ଏଠାରେ ଶହଶହ ଶ୍ରମିକ ଶ୍ରେଣୀୟ ଲୋକ କାମକୁ ଯିବା ପାଇଁ ଅପେକ୍ଷା କରି ରହନ୍ତି। ସେମାନଙ୍କୁ ନେବା ଆଣିବା ପାଇଁ ଆସୁଥିବା ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତା ମଝିରେ ଠିଆ ହେଉଛନ୍ତି। କେହି କହିବାକୁ ନାହିଁ। ଅଧିକାଂଶ ସମୟରେ ଶ୍ରମିକମାନେ ସ୍ଥିର ଭାବେ ନ ବସି ଛକରେ ଏଣେତେଣେ ବୁଲୁଛନ୍ତି। ରାସ୍ତା ମଝିରେ ଠିଆ ହୋଇ ଗପୁଛନ୍ତି। ଏହି ଛକରେ ଟ୍ରାଫିକ୍‌ ପୋଷ୍ଟଟିଏ ରହିଥିଲେ ମଧ୍ୟ ବହୁ ସମୟରେ ପୁଲିସ କର୍ମଚାରୀଙ୍କ ଦର୍ଶନ ନଥାଏ।

ସ୍ଥାନୀୟ ବାସିନ୍ଦା ଗୋପାଳ ଜେନାଙ୍କ କହିବା କଥା ବେଳେବେଳେ ଟ୍ରାଫିକ୍ ଭିଡ଼ ଏମିତି ସ୍ଥିତି ସୃଷ୍ଟି କରୁଛି ଯେ ଥରେ ପଶିଗଲେ ବାହାରିବା ବାଟ ମିଳେନାହିଁ। କୌଣସି ଚକ୍ରବ୍ୟୁହରେ ଫସିବା ଭଳି ଲାଗେ। ନା ଆଗକୁ ଯାଇହୁଏ ନା ପଛକୁ ଫେରିହୁଏ। ସ୍କୁଲ ପିଲାମାନେ ତ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି। ଟ୍ରାଫିକ୍‌ ପୁଲିସ୍ ରହୁନଥିବାରୁ ଏଭଳି ଯମଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ତେବେ ଏନେଇ ଥାନା ଅଧକାରୀ ସୌମ୍ୟକାନ୍ତ ବଳିଆରସିଂହ କହିଛନ୍ତି ଯେ ଏହି ଛକ ପାଇଁ ଟ୍ରାଫିକ୍‌ କର୍ମଚାରୀ ନିଯୁକ୍ତି କରାଯାଇଛି। କିନ୍ତୁ ସେମାନେ ଡିଉଟିକୁ ଆସିବା ପୂର୍ବରୁ ବିଶେଷକରି ସକାଳ ସମୟରେ ଶ୍ରମିକମାନେ ଛକରେ ଛିଡ଼ା ହେଉଥିବାରୁ ବେଶି ଭିଡ଼ ହେଉଛି। ତେଣୁ ପୌର ପ୍ରଶାସନ ସହ ଆଲୋଚନା କରି ସେମାନଙ୍କୁ ଅନ୍ୟତ୍ର ଅପେକ୍ଷା କରାଇବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।