ଭୁବନେଶ୍ୱର: ରାଜଧାନୀରେ ଟ୍ରାପିକ୍ ଜାମ୍ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଅଧିକାଂଶ ଦିନ ରାସ୍ତା ଜାମ୍ ହେଉଥିବାରୁ ରାଜଧାନୀବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ବିଶେଷ କରି ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଜାମ୍ ହେଉଥିବାରୁ ଏହାକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ଠପ୍ ହୋଇଯାଉଛି। ରସୁଲଗଡ଼ ଛକରେ ଟ୍ରାଫିକ ଜାମ୍ ନିତିଦିନିଆ ଘଟଣା ହୋଇଥିବା ବେଳେ ଆଜି ଅଧା ରାଜଧାନୀରେ ଟ୍ରାଫିକ ଅଣାୟତ୍ତ ହୋଇପଡ଼ିଥିଲା। ଫଳରେ ରାଜଧାନୀବାସୀ ପ୍ରବଳ ଗୁଳୁଗୁଳି ମଧ୍ୟରେ ଟ୍ରାଫିକ୍ରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ।
ଆଜି ଜାତୀୟ ରାଜପଥରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଓଭରବ୍ରିଜ୍ରେ ସିଆରପି ଛକରୁ ରସୁଲଗଡ଼ ପହଞ୍ଚିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଯାଇଥିଲା। ସକାଳ ସାଢ଼େ ୯ଟାରୁ ପୂର୍ବାହ୍ନ ୧୧ଟା ଯାଏ ରାଜଭବନ ଛକରୁ ଜୟଦେବବିହାର ଛକ, ନୂଆପଲ୍ଲୀ ଅଣ୍ଡରପାସ୍, ଫାୟାର ଷ୍ଟେସନ ଛକ ଏବଂ ଜାତୀୟ ରାଜପଥ-୧୬ରେ ପ୍ରବଳ ଭିଡ଼ ଦେଖାଯାଇଥିଲା। ସେହିପରି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାଜଭବନ ଛକ, ବିମାନବନ୍ଦର ରାସ୍ତା ମଧ୍ୟ ଜାମ୍ ହୋଇଯାଇଥିଲା। ଅପରପକ୍ଷରେ ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଆତ୍ମାହୁତି ଦେଇଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଆଜି ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ, ଛାତ୍ର ସଂଗଠନ ପକ୍ଷରୁ ମହମବତି ଶୋଭାଯାତ୍ରା, ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ସଂଗଠନର କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇଥିଲେ। ଫଳରେ ରାମ ମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଆଦି ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା।