ଅସହ୍ୟ ହେଲାଣି ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଟ୍ରା‌ଫିକ୍ ଯନ୍ତ୍ରଣା : ଆଉ କେତେ ମୁଣ୍ଡ ଗଡ଼ିବାକୁ ଅପେକ୍ଷା?

ପ୍ରତିଦିନ ୧୦ରୁ ଅଧିକ ଦୁର୍ଘଟଣା, ୨ ମାସରେ ମଲେଣି ଦୁଇ
କେହି ମାନୁନାହାନ୍ତି ଲେନ୍ ଡ୍ରାଇଭିଂ
ଫାଇନ୍‌ ଆଦାୟରେ ବ୍ୟସ୍ତ ବାବୁ, ଟ୍ରାଫିକ୍‌ ସିଗନାଲ୍‌ ଫେଲ୍‌

ଚନ୍ଦ୍ରଶେଖରପୁର : ମାସେ କି ବର୍ଷେ ନୁହେଁ; ବରଂ ଦୀର୍ଘ ୫ ବର୍ଷ ହେଲା ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଯନ୍ତ୍ରଣାରେ ପେଷି ହେଉଛନ୍ତି ଲକ୍ଷ ଲକ୍ଷ ଲୋକ। ଏହି ସମସ୍ୟା ଦୂର କରିବା ଲାଗି ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି। ରାସ୍ତାରେ ଥିବା ଅଧ ଡଜନରୁ ଅଧିକ କଟ୍‌ ବନ୍ଦ କରାଯାଇଛି। ଓମ୍‌ଫେଡ୍‌ ଛକରେ ଟ୍ରାଫିକ୍‌ ପୋଷ୍ଟ ଖୋଲାଯାଇ ପୁଣି ବନ୍ଦ ହୋଇଛି। ଲେନ୍‌ ଡ୍ରାଇଭିଂ ଲାଗି ଚାଳକଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଟ୍ରାଫିକ୍‌ରେ ପାରାଲାଲ୍‌ ଡ୍ରାଇଭ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ଏତେ ସବୁ ବ୍ୟବସ୍ଥା ପରେ ବି ଟ୍ରାଫିକ୍‌ ନିୟନ୍ତ୍ରଣ ହୋଇପାରୁ ନାହିଁ। ଯେଉଁଥିପାଇଁ ପ୍ରତିଦିନ ଏହି ଜନଗହଳିପୂର୍ଣ୍ଣ ରାସ୍ତାରେ ୧୦ରୁ ଅଧିକ ଦୁର୍ଘଟଣା ଘଟୁଛି। ଆଉ ପ୍ରତି ମାସରେ ଗୋଟିଏ ଯୋଡ଼ିଏ ମୁଣ୍ଡ ବି ଗଡ଼ୁଛି। ଯଦି ଏମିତି ଅବ୍ୟବସ୍ଥା ଲାଗି ରହେ, ତେବେ ଆଗକୁ କେତେ ଯେ ମୁଣ୍ଡ ଗଡ଼ିବ ତାହା ଆକଳନ କରିବା କଷ୍ଟ।

ତ୍ରିଶୂଳିଆ ବ୍ରିଜ୍‌ ଉଦ୍‌ଘାଟନ ହେବା ପରେ ଏହି ରାସ୍ତା ଏବେ କଟକ-ଭୁବନେଶ୍ବର ସହର ପାଇଁ ଲାଇଫ୍‌ ଲାଇନ୍‌ ପାଲଟିଛି। ବାଟ କମ୍‌ ପଡ଼ୁଥିବାରୁ ଦ୍ବୈତ୍ୟନଗରୀର ଲୋକେ ଏହି ରାସ୍ତାରେ ଯିବା ଆସିବା କରିବାକୁ ପସନ୍ଦ କରୁଛନ୍ତି। ଯାହାକି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବାର ପ୍ରମୁଖ କାରଣ ପାଲଟିଛି। ୧୨ କିମି ଦୀର୍ଘ ଏହି ରାସ୍ତାରୁ ଭିଡ଼ ଦୂର ଲାଗି ୨୦୧୯ ସୁଦ୍ଧା ସମାନ୍ତରାଳ ରାସ୍ତା ଖୋଲିବାକୁ ୨୦୧୫ରେ ନିଷ୍ପତ୍ତି ହୋଇଥିଲା। ରାସ୍ତା କେମିତି ସଂଯୋଗ କରାଯିବ, ରାସ୍ତାର ଡିଜାଇନ୍‌ କିଭଳି ହେବ, ରାସ୍ତାପାର୍ଶ୍ବରେ କେଉଁ ସବୁ ବ୍ୟବସ୍ଥା ରହିବ, ଏସବୁ ସ୍ଥିର ହୋଇଥିଲା। କିନ୍ତୁ କାର୍ଯ୍ୟ ଆଗେଇ ପାରିନାହିଁ। ସବୁ କିଛି ଏବେ ଅଧପନ୍ତରିଆ। କେଉଁଠି ଜବରଦଖଲ ସମସ୍ୟା ସୃଷ୍ଟି କରୁଛି ତ ଆଉ କେଉଁଠି ଜଙ୍ଗଲ ଜମି ବାଟ ଓଗାଳିଛି। ଫଳରେ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ପରି ସମାନ୍ତରାଳ ରାସ୍ତାର ଭାଗ୍ୟ ବି ଘୁଞ୍ଚି ଚାଲିଛି।

ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ୨୦ରୁ ଅଧିକ ଘରୋଇ ହସ୍ପିଟାଲ ରହିଛି। କିନ୍ତୁ ପ୍ରବଳ ଭିଡ଼ ଯୋଗୁଁ ବହୁ ସମୟରେ ଆମ୍ବୁଲାନ୍ସରେ ଯିବା ସମୟରେ ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତାହାକୁ ନଜରରେ ରଖି ଏହି ରାସ୍ତାରେ ଆମ୍ବୁଲାନ୍ସ କରିଡର କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏ ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ବରଂ ଏହି ରାସ୍ତା ଏବେ ଦୁର୍ଘଟଣାପ୍ରବଣ ରାସ୍ତା ଭାବେ ଏକ ଖରାପ ପରିଚୟ ଲାଭ କରିଛି। ଗତ ଏକ ବର୍ଷ ହେଲା କରୋନା ଯୋଗୁଁ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ହେଉ ଥିବାରୁ ଏହି ରାସ୍ତାରେ ଦୁର୍ଘଟଣା କିଛି ମାତ୍ରାରେ କମିଛି ସତ; ହେଲେ ନିୟନ୍ତ୍ରଣକୁ ଆସିପାରି ନାହିଁ। ଯଦି ହିସାବକୁ ନିଆଯାଏ ଗତ ଦୁଇ ମାସ ମଧ୍ୟରେ ଏହି ରାସ୍ତାରେ ୩୦ରୁ ଅଧିକ ଛୋଟ ବଡ଼ ଦୁର୍ଘଟଣା ହୋଇଛି। ଯେଉଁଥିରେ ଦୁଇ ଜଣଙ୍କର ଜୀବନ ‌ଯାଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୦୨୦ ମାର୍ଚ୍ଚରେ କରୋନା ହେବା ପୂର୍ବରୁ ଏହି ରାସ୍ତାରେ ଦୁର୍ଘଟଣା ଶୀର୍ଷରେ ପହଞ୍ଚିଥିଲା। ୨୦୧୯ ଜୁନ୍‌ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏହି ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ୯ ଜଣଙ୍କ ମୁଣ୍ଡ ଗଡ଼ିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଏହି ରାସ୍ତାରେ ବାରମ୍ବାର ଘଟୁଥିବା ଦୁର୍ଘଟଣାରେ ରୋକ୍‌ ଲଗାଇବା ଦିଗରେ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। କେବଳ ଯାହା ଧର୍ମକୁ ଆଖିଠାର ପରି ଯେଉଁ ଟ୍ରାଫିକ୍‌ ଡିସିପି ଆସିଲେ ଗୋଟିଏ ଯୋଡ଼ିଏ ନିୟମ କରି ଦେଉଛନ୍ତି। ହେଲେ ସମସ୍ୟାର ସମାଧାନ ହୋଇନାହିଁ।

ଅଧିକାଂଶ ଜାଣନ୍ତିନି ଲେନ୍ ଡ୍ରାଇଭିଂ
ଏହି ରାସ୍ତାର ଉଭୟ ପାର୍ଶ୍ବରେ ୬ଟି ଲେନ୍ ରହିଛି। ଯଦି ଏହି ଲେନ୍‌ଗୁଡ଼ିକୁ ସଠିକ୍‌ ଭାବେ ବ୍ୟବହାର କରାଯାଇ ଲେନ୍‌ ଡ୍ରାଇଭିଂକୁ କଡ଼ାକଡ଼ି କରାଯାଏ, ତେବେ ସେଭଳି ଦୁର୍ଘଟଣା ହେବ ନାହିଁ ବୋଲି ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ମତପ୍ରକାଶ କରିଛନ୍ତି।‌ ଟ୍ରାଫିକ୍‌ ବିଶେଷଜ୍ଞ ବିଭୂପ୍ରସାଦ ଦାସଙ୍କ କହିବାନୁଯାୟୀ ପ୍ରତିମାସରେ କମିସନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଟିମ୍‌କୁ ନେଇ ବିଚାର ବିମର୍ଶ ଓ ମାନସ ମନ୍ଥନ ହେଉଛି। ତେବେ ସାଧାରଣ ଯାତ୍ରୀ ଜାଣନ୍ତି ନାହିଁ ଲେନ୍ ଡ୍ରାଇଭ୍‌ କ’ଣ? ଯେଉଁଥିପାଇଁ ଅନେକ ସମୟରେ ଆମ୍ବୁଲାନ୍ସ୍‌କୁ ଟ୍ରାଫିକ୍ ଛକରେ ରାସ୍ତା ମିଳୁ ନାହିଁ। କଳିଙ୍ଗ ହସ୍ପିଟାଲ ଛକ, ଜାଭିୟର୍‌ ଛକ, ଡମଣା ଛକ, ପଟିଆ ଛକ, କିଟ୍ ଛକରେ ଲେନ୍ ଡ୍ରାଇଭିଂ ଦେଖିବାକୁ ମିଳୁନି। ରଙ୍ଗ୍‌ ଡ୍ରାଇଭ୍ ଓ ଫୁଟପାଥ୍‌ ଉପରେ ଚାଳକମାନେ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ବଢ଼ୁଛି।

ନାକେଦମ୍‌ କରୁଛି ସେହି ୩ କିମି ରାସ୍ତା
ଓମ୍‌ଫେଡ୍‌ ଛକରୁ ପଟିଆ ଛକ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ଗାଡ଼ି ଚାଳକ ନାକେଦମ ହେଉଛନ୍ତି। ଏହି ରାସ୍ତା ପାର୍‌ ହେବାକୁ ଚାଳକଙ୍କୁ ବେଳେବେଳେ ଅଧ ଘଣ୍ଟାରୁ ଅଧିକ ସମୟ ବି ଲାଗିଯାଉଛି। ପାରାଲାଲ୍‌ ଟ୍ରାଫିକ୍‌ ସିଗନାଲ୍‌ ବ୍ୟବସ୍ଥା ଲାଗୁ ହେବା ପରେ ମଧ୍ୟ କୌଣସି ଫରକ ପଡ଼ୁନାହିଁ। ଅଧିକାଂଶ ସମୟରେ ଡମଣା ଛକରୁ ଡମଣା ଗାଁକୁ ଯାଉଥିବା ଯାତ୍ରୀଙ୍କ ପାଇଁ ମାତ୍ର ୨୦ ସେକେଣ୍ଡ୍‌ ଟ୍ରାଫିକ୍‌ ସିଗନାଲ୍‌ ଅନ୍‌ ରହୁଛି। ଚାରି ଚକିଆ ଗାଡ଼ି ଲମ୍ବା ଧାଡ଼ିରେ ଥିବା ବେଳେ ଏହି ସମୟରେ ଅତିବେଶିରେ ୧୦ଟା ଗାଡ଼ି ଯିବା ପରେ ସିଗନାଲ୍‌ ବନ୍ଦ ହୋଇଯାଉଛି। ଫଳରେ ପଛକୁ ପଛ ଗାଡ଼ି ଭିଡ଼ ଲାଗିରହୁଛି। ଏହି ରାସ୍ତାର ଫୁଟପାଥ୍‌କୁ ଏବେ ବ୍ୟବସାୟୀମାନେ କବ୍‌ଜା କରି ନେଇଛନ୍ତି। ତେଣୁ ଚାଳକମାନେ ଜିନିଷ କିଣିବାବେଳେ ରାସ୍ତାରେ ଗାଡ଼ି ପାର୍କିଂ କରି କିଣାକିଣି କରୁଛନ୍ତି। ସେହିପରି ଅଟୋ କିମ୍ବା ବସ୍ ଚାଳକ ମନଇଚ୍ଛା ରାସ୍ତା ପାର୍ଶ୍ବରେ ଗାଡ଼ି ଅଟକାଇ ଯାତ୍ରୀଙ୍କୁ ଉଠାଉଥିଲେ ମଧ୍ୟ ଏମାନଙ୍କ ଉପରେ ରୋକ୍‌ ଲଗାଇବାକୁ କେହି ନାହାନ୍ତି। ଏହି ରାସ୍ତାରେ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଚନ୍ଦ୍ରଶେଖରପୁର ଥାନା‌ ଉପର ମହଲାରେ ଟ୍ରାଫିକ୍‌ ଥାନା ପ୍ରତିଷ୍ଠା ହୋଇଛି। ୧୦ ରୁ ଅଧିକ ଟ୍ରାଫିକ୍ ପୁଲିସଙ୍କ ସମେତ ଜଣେ ଆଇଆଇସି ନିୟୋଜିତ ହୋଇଛନ୍ତି। ଯେଉଁମାନେ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଯାତ୍ରୀଙ୍କଠାରୁ ତଣ୍ଡ ଆଦାୟ କରୁଛନ୍ତି। ମାତ୍ର ଟ୍ରାଫିକ୍ ନିୟନ୍ତ୍ରଣ କଥା ପଡ଼ିଲେ ‌ ସେମାନଙ୍କୁ ଘଟଣାସ୍ଥଳରେ ଦେଖିବାକୁ ମିଳୁ ନାହିଁ।

ଟ୍ରାଫିକ୍‌ ସଚେତନତା କେଉଁଠି?
ଏବର୍ଷ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ସପ୍ତାହ ବଦଳରେ ମାସେ ପର୍ଯ୍ୟନ୍ତ ଚାଲୁ ରହିଛି। ହେଲେ କାର୍ଯ୍ୟକ୍ରମ ଉଦ୍‌ଘାଟନ ପରେ ସଚେତନତା ଏକପ୍ରକାର ପ୍ରହସନ ପାଲଟିଛି। କିଏ କେଉଁଠି ସଚେତନ କରୁଛି ତାହା କାହାରିକୁ ଜଣା ନାହିଁ। ପ୍ରଥମେ ପ୍ରଥମେ କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନରେ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ କାର୍ଯ୍ୟକ୍ରମ କରାଗଲା। ତେବେ ଏବେ ଆଉ ସେଭଳି କିଛି ଦେଖିବାକୁ ମିଳୁନି। ବରଂ ଟ୍ରାଫିକ୍‌ ବାବୁମାନେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ଜରିମାନା ଆଦାୟ କରିବାରେ ବ୍ୟସ୍ତ। ବେଆଇନ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି। ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ପ୍ରସ୍ତୁତ କରାଯାଇ ସହରରେ ବୁଲୁଛି ବୋଲି କୁହାଯାଉଛି। ତେବେ ସେଥିରୁ ଲୋକେ କେତେ ବୁଝୁଛନ୍ତି, ତାହା ଭଗବାନଙ୍କୁ ଜଣା।

ସମ୍ବନ୍ଧିତ ଖବର