ଚନ୍ଦ୍ରଶେଖରପୁର : ଲାଗୁ ହୋଇଛି ଟ୍ରାଫିକ୍ କଟକଣା। ନିୟମ ଉଲ୍ଲଂଘନ କଲେ ଶହେ କି ଦୁଇ ଶହ ନୁହେଁ, ଅତି କମ୍ରେ ହଜାରେ ଟଙ୍କା ଜରିମାନା ଦେବାକୁ ହେଉଛି। ନିୟମ କଡ଼ାକଡ଼ି ହୋଇଥିବାରୁ ଦୁଇ ଦିନ ହେଲା ଲୋକଙ୍କ ନିଦ ହଜିଗଲାଣି। ଟ୍ରାଫିକ୍ ସିଗନାଲ୍ ନ ମାନିଲେ ପୁଲିସ ବାବୁମାନେ ମାଡ଼ି ବସୁଛନ୍ତି। ହେଲମେଟ୍ ନ ପିନ୍ଧିଲେ ଫାଇନ୍ କାଟୁଛନ୍ତି। ଟ୍ରାଫିକ୍ ସିଗନାଲ୍ ମାନିବାରେ ଟିକିଏ ଏପାଖ ସେପାଖ ହେଲେ ସଙ୍ଗେ ସଙ୍ଗେ ଗାଡ଼ି ଚାବି ଖୋଲି ନେଉଛନ୍ତି ଟ୍ରାଫିକ୍ରେ ଥିବା କନେଷ୍ଟବଳ। ନିକଟରେ ଥିବା ବଡ଼ ବାବୁଙ୍କୁ ଚାବି ଧରାଇ ଦେଉଛନ୍ତି। ବାବୁ ମଧ୍ୟ ଗଛ ତଳେ ବସି ଆଗ ପଛ ବିଚାର ନ କରି ଫାଇନ୍ କାଟି ଦେଉଛନ୍ତି। ହଜାରେ ବାହାର କର, ନ ହେଲେ ଗାଡ଼ି ରହିଲା। ଗତକାଲିଠାରୁ ନୂଆ ଟ୍ରାଫିକ୍ ବ୍ୟବସ୍ଥା ଲାଗୁ ହେବା ପରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଟ୍ରାଫିକ୍ କଟକଣାକୁ ନେଇ କେତେକ ଲୋକେ ସ୍ବାଗତ କରିଥିବା ବେଳେ ଅନେକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରାଫିକ୍ ନିୟମ କଡ଼ାକଡ଼ି କରିବା ପୂର୍ବରୁ ପ୍ରଥମେ ରାସ୍ତା ସଜାଡ଼ିବା, ଜେବ୍ରା କ୍ରସିଂ ଠିକ୍ କରିବା, ସିଗନାଲ୍ ଲାଇଟ୍ ଠିକ୍ କରାଯିବାର ଆବଶ୍ୟକତା ରହିଛି ବୋଲି ଏହି ଜନଗହଳିପୂର୍ଣ୍ଣ ରାସ୍ତାର ଟ୍ରାଫିକ୍ ପୋଷ୍ଟ ଓ ଜେବ୍ରା କ୍ରସିଂର ସ୍ଥିତି ଅନୁଧ୍ୟାନ କରିବା ସମୟରେ ଲୋକେ ମତ ଦେଇଥିଲେ।
ଜୟଦେବ ବିହାର ଛକରୁ ମ୍ୟାଗନେଟ୍ ଛକ ମଧ୍ୟରେ ୬ଟି ଟ୍ରାଫିକ୍ ପୋଷ୍ଟ ରହିଛି। ଏହି ପୋଷ୍ଟଗୁଡ଼ିକରେ ଟ୍ରାଫିକ୍ ପରିଚାଳନା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଟ୍ରାଫିକ୍ ସିଗନାଲ୍ ଠିକ୍ ନ ଥିବାରୁ ଚାଳକ ଦ୍ବନ୍ଦ୍ବରେ ପଡ଼ୁଛି। କେଉଁଆଡ଼େ ଯିବେ? ଟ୍ରାଫିକ୍ ପୋଷ୍ଟର କେଉଁଠି ରହିବେ? ଜେବ୍ରା କ୍ରସିଂ କେଉଁଟା? ଲୋକେ ସେ ବିଷୟରେ ଜାଣିପାରୁ ନାହାନ୍ତି।
ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି, କଳିଙ୍ଗ ହସ୍ପିଟାଲ ଛକ ନିକଟରେ। ଏଠାରେ ସବୁଠାରୁ ଅଧିକ ଫାଇନ୍ ଆଦାୟ କରାଯାଉଥିବା ବେଳେ ଟ୍ରାଫିକ୍ରେ ଲୋକେ ହଟହଟା ହେଉଛନ୍ତି। ଛକରେ ଦୁଇଟି ଲେଖାଏଁ ଜେବ୍ରା କ୍ରସିଂ ରହିଛି। ଲୋକେ କେଉଁ ଜେବ୍ରା କ୍ରସିଂ ପଛକୁ ରହିବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। କେହି କେହି ପ୍ରଥମ କ୍ରସିଂ ଟପି ଯାଉଥିବାରୁ ସେମାନଙ୍କୁ ଫାଇନ୍ ଦେବାକୁ ପଡ଼ୁଛି।
ମାସକ ତଳେ ଓମ୍ଫେଡ୍ ଛକରେ ଏକ ଟ୍ରାଫିକ୍ ପୋଷ୍ଟ ଖୋଲିଛି। ଟ୍ରାଫିକ୍ କର୍ମଚାରୀ ରହୁଛନ୍ତି। ତେବେ ଏଠାରେ ଏପର୍ଯ୍ୟନ୍ତ ଜେବ୍ରା କ୍ରସିଂ ହୋଇନି। ତେଣୁ ଗାଡ଼ି ଚାଳକ ମୁଖ୍ୟ ରାସ୍ତା ଉପରକୁ ମାଡ଼ି ଯାଉଥିବାରୁ ସେମାନଙ୍କଠାରୁ ଫାଇନ୍ ଆଦାୟ ହେଉଛି। କର୍ମଚାରୀମାନେ ଗାଳିଗୁଲଜ କରୁଥିବା ବିଡିଏ କଲୋନିର ଗାଡ଼ି ଚାଳକ ଶରତ ମହାନ୍ତି କହିଛନ୍ତି। ଡମଣା ଟ୍ରାଫିକ୍ ଅବସ୍ଥା ନ କହିବା ଭଲ। ଏଠି ଟ୍ରାଫିକ୍ ବୋଲି କିଛି ବି ନାହିଁ। ଟ୍ରାଫିକର ଚାରି ପାଖକୁ ରାସ୍ତା ଯାଇଥିବାରୁ ଯିଏ ଯୁଆଡ଼େ ପାରିଲେ, ଚାଲିଲେ। ଜେବ୍ରା କ୍ରସିଂ ଲିଭି ଯାଇଥିବାରୁ ଚାଳକ ମଝି ରାସ୍ତାରେ ରହୁଥିବାରୁ ଦୁର୍ଘଟଣା ବଢ଼ୁଛି। ଡମଣା ଗାଁ ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ଟ୍ରାଫିକ୍ରେ ଫସି ରହୁଛନ୍ତି।
ପଟିଆ ଛକରେ ଟ୍ରାଫିକ୍ ଟିକିଏ ସୁଧାର ରହିଥିଲେ ମଧ୍ୟ କର୍ମଚାରୀମାନେ ଗଛ ତଳେ ବସି ରହୁଛନ୍ତି। ମାଗନେଟ୍ ଛକରେ ବି ଅନୁରୂପ ଅବସ୍ଥା। ଜେବ୍ରା କ୍ରସିଂ ବୋଲି ଏଠାରେ କିଛି ନାହିଁ। ଟ୍ରାଫିକ୍ ସିଗନାଲ୍ କେତେବେଳେ ଜଳୁଛି ତ କେତେବେଳେ ଜଳୁନି। ହେଲେ ଏହି ଛକରେ ଫାଇନ୍ କାଟିବାରେ କୌଣସି ହେଳା କରୁନାହାନ୍ତି କର୍ମଚାରୀ।
ରାତି ଗୋଟାଏରେ ଚାଲୁଛି ସିଗନାଲ୍
କଳିଙ୍ଗ ହସ୍ପିଟାଲ ଟ୍ରାଫିକ୍ ଛକରେ ଅନବରତ ଟ୍ରାଫିକ୍ ସିଗନାଲ୍ ଚାଲୁଛି। ରବିବାର ରାତି ପ୍ରାୟ ଗୋଟାଏରେ ବି ନାଲି, ସବୁଜ, ହଳଦୀ ଲାଇଟ୍ ଜଳୁଥିଲା। ଲୋକେ ମଧ୍ୟ ନିୟମ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି ନିୟମ ଲାଗୁ ହୋଇଥିବାରୁ ସେହି ଭୟରେ ଲୋକେ ଟ୍ରାଫିକ୍ ସିଗନାଲ୍ରେ ନାଲି ଲାଇଟ୍ ଦେଖି ୮ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ସବୁଜ ଲାଇଟ୍ ଦେଖାଇବା ପରେ ଗାଡ଼ି ଆଗକୁ ବଢ଼ିଥିଲା। ଏହି ସମୟରେ ଟ୍ରାଫିକ୍ରେ କୌଣସି ପୁଲିସ କର୍ମଚାରୀ ନ ଥିଲେ। କେବଳ ଯାହା ଟ୍ରାଫିକ୍ ସିଗନାଲ୍ ଚାଲୁଥିଲା।
ହାତରେ ନାହିଁ ହ୍ୟାଣ୍ଡ ସିଗନାଲ୍ ଲାଇଟ୍
ରାତିରେ ଟ୍ରାଫିକ୍ ପରିଚାଳନା ପାଇଁ ପୁଲିସ ହାତରେ ନାହିଁ ହ୍ୟାଣ୍ଡ ସିଗନାଲ୍ ଲାଇଟ୍। ଅସରାଏ ବର୍ଷା ହେଲେ ଟ୍ରାଫିକ୍ ସିଗନାଲ ଫେଲ୍ ହୋଇଯାଉଛି। ସେତେବେଳେ ହ୍ୟାଣ୍ଡ ସିଗନାଲ ଲାଇଟ୍ରେ ଟ୍ରାଫିକ୍ ପରିଚାଳନା ହୋଇଥାଏ। ଯେଉଁଠାରେ ସିଗନାଲ ଖୁଣ୍ଟି ନାହିଁ, ସେଠାରେ ବି ଏହାର ଆବଶ୍ୟକତା ପଡ଼େ। ଯେମିତିକି ଓମ୍ଫେଡ୍ ଛକରେ ଆଜି ପର୍ଯ୍ୟନ୍ତ ସିଗନାଲ୍ ଲାଗି ପାରିନି। ଏଭଳି ସ୍ଥଳେ ହ୍ୟାଣ୍ଡ ସିଗନାଲ୍ ଲାଇଟ୍ ସହାୟକ ହୋଇଥାନ୍ତା। କେବଳ ଏହି ସ୍ଥାନ ନୁହେଁ, ସହରର ପ୍ରମୁଖ ଟ୍ରାଫିକ୍ ଛକରେ ଏବେ ଏହି ବ୍ୟବସ୍ଥା ଆଉ ନାହିଁ।