ଭୁବନେଶ୍ୱର : ୨୦୧୭ ଜାନୁଆରି ୩ ତାରିଖ:- ରାଜଧାନୀର ନୋ ଟଲରେନ୍ସ ଜୋନ୍ କୁହାଯାଉଥିବା ଏଜି ଛକରେ ଟ୍ରାଫିକ୍ ପୁଲିସ ପକ୍ଷରୁ ଯାଞ୍ଚବେଳେ ଦୁଇ ଜଣ ଦୁର୍ବୃତ୍ତ ୩ ଜଣ ଟ୍ର୍ରାଫିକ୍ କନ୍ଷ୍ଟେବଲଙ୍କୁ ଛୁରାମାଡ଼ କରି ଗୁରୁତର କରିଥିଲେ। କେବଳ ଏହି ଘଟଣା କାହିଁକି ରାଜଧାନୀରେ ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ୍ କନ୍ଷ୍ଟେବଲ ଓ ହୋମଗାର୍ଡମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ବିଭିନ୍ନ ସମୟରେ ସେମାନେ ପାଲଟା ଅଭିଯୋଗ କରୁଛନ୍ତି କି, ଟ୍ରାଫିକ୍ ପୁଲିସ ପକ୍ଷରୁ ପ୍ରଥମେ ଖରାପ ବ୍ୟବହାର କରାଯିବା ସହିତ ଆକ୍ରମଣ କରାଯାଉଛି। ଏଭଳି ପରିସ୍ଥିତିରେ ସତ୍ୟାସତ୍ୟ ଜାଣିବା ଲାଗି କମିସନରେଟ୍ ପୁଲିସ ପକ୍ଷରୁ ବଡି କ୍ୟାମେରା ଯୋଗାଇ ଦିଆଯାଇଛି। ଯେପରି ଅଭିଯୁକ୍ତ ପରବର୍ତୀ ସମୟରେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବ ସେଥିପାଇଁ କମିସନରେଟ୍ ପୁଲିସ ନୂଆ ଯୋଜନା କରିବାକୁ ଯାଉଛି। ଖୁବ୍ ଶୀଘ୍ର କମିସନରେଟ ପୁଲିସର ବିଭିନ୍ନ ସମ୍ବେଦନଶୀଳ ଛକରେ ଟ୍ରାଫିକ୍ ମାର୍ଶାଲ ନିଯୁକ୍ତ ହେବ। ଏହି ମାର୍ଶାଲମାନେ କୋର୍ଟରେ ପୁଲିସ ପକ୍ଷରୁ ସାକ୍ଷ୍ୟ ରଖିବେ। ଅବସରପ୍ରାପ୍ତ ପୁଲିସ କର୍ମଚାରୀ, ଅବସରପ୍ରାପ୍ତ ଆର୍ମି, ଅବସରପ୍ରାପ୍ତ ଏୟାରଫୋର୍ସ କର୍ମଚାରୀ, ସାଧାରଣ ନାଗରିକ ଏହି ମାର୍ଶାଲ ଭାବେ ନିଯୁକ୍ତି ପାଇବେ। ସେମାନେ ଏହି ସେବା ସ୍ୱେଚ୍ଛାକୃତ ଭାବେ କରିବେ। ସେମାନଙ୍କୁ କୌଣସି ପାରିଶ୍ରମିକ ପ୍ରଦାନ କରାଯିବ ନାହିଁ।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବିଭିନ୍ନ ସମୟରେ ଟ୍ରାଫିକ୍ର ଅଧିକାରୀମାନେ ଫାଇନ୍ କାଟିବାବେଳେ କିମ୍ବା ସିଗନାଲ୍ ଦେବାବେଳେ ପାଟୁତୁଣ୍ଡ ଘଟୁଛି। ଏପରିକି ଟ୍ରାଫିକ୍ କନ୍ଷ୍ଟେବଲମାନଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହେଉଛି। ଆଜି ଖଣ୍ଡଗିରି ଛକରେ ସୁଶାନ୍ତ କୁମାର ବିଶ୍ୱାଳ ନାମକ ଜଣେ ଟ୍ରାଫିକ୍ କନ୍ଷ୍ଟେବଲ ଡ୍ୟୁଟି କରୁଥିବାବେଳେ ଘାଟିକିଆର ଲକ୍ଷ୍ମୀଧର ସାହୁ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୁଲିସ ଲକ୍ଷ୍ମୀଧରକୁ ଗିରଫ କରିଛି। ତିନି ଦିନ ତଳେ ସହିଦନଗର ଥାନା ଅଧୀନ ଆଇଡିବିଆଇ ବ୍ୟାଙ୍କ ଛକରେ ପ୍ରଭାତ ବଡ଼ୁ ନାମକ ଜଣେ ଟ୍ରାଫିକ୍ କନ୍ଷ୍ଟେବଲଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ଲାଲା ରାୟ ଓ ଗଣେଶ ରାଉତଙ୍କୁ ଗିରଫ କରିଥିଲା। ଏହା କେବଳ ଦୁଇଟି ଉଦାହରଣ। ଏଭଳି ପ୍ରତ୍ୟେକ ମାସରେ ଅଭିଯୋଗ ବଢ଼ି ବଢ଼ି ଚାଲିଛି। କିନ୍ତୁ ପରବର୍ତୀ ସମୟରେ ଅଭିଯୁକ୍ତମାନେ ସାକ୍ଷ୍ୟପ୍ରମାଣ ଅଭାବରୁ କୋର୍ଟରୁ ନିର୍ଦୋଷରେ ଖଲାସ ହୋଇ ଯାଉଛନ୍ତି। ଏଭଳି ଆକ୍ରମଣବେଳେ ସାକ୍ଷ୍ୟ ଭାବେ ଟ୍ରାଫିକ୍ ମାର୍ଶାଲଙ୍କୁ ବ୍ୟବହାର କରାଯିବ। ଟ୍ରାଫିକ ମାର୍ଶାଲ ହିଁ କୋର୍ଟରେ ପୁଲିସ ପକ୍ଷରୁ ସାକ୍ଷୀ ପ୍ରଦାନ କରିବେ। ଏହା ଫଳରେ ଅଭିଯୁକ୍ତମାନେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ପାରିବେ।
ଏ ସମ୍ପର୍କରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ସବୁବେଳେ ଟ୍ରାଫିକ୍ର ଯାଞ୍ଚକୁ ତଦାରଖ କରିବା ଅସମ୍ଭବ ବ୍ୟାପାର। ଏଥିପାଇଁ ଟ୍ରାଫିକ୍ ମାର୍ଶାଲମାନେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଟ୍ରାଫିକ୍ ଯାଞ୍ଚର ତଦାରଖ କରିବେ। କେଉଁ ଅଧିକାରୀ ବାଇକ୍ ଓ କାର ଚାଳକମାନଙ୍କୁ କେମିତି ବ୍ୟବହାର କରୁଛନ୍ତି। ଖରାପ ବ୍ୟବହାର କରିଛନ୍ତି କିମ୍ବା ନାହିଁ। ଏହା ଛଡ଼ ବାଇକ୍ ଓ କାର ଚାଳକ ଟ୍ରାଫିକ୍ ପୁଲିସକୁ ଖରାପ ବ୍ୟବହାର କରୁଛନ୍ତି କିମ୍ବା ନାହିଁ ତାର ତଦାରଖି କରି ଟ୍ରାଫିକ୍ ଡିସିପିଙ୍କୁ ରିପୋର୍ଟ ଦେବେ। ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଏହାଛଡ଼ା ମାର୍ଶାଲମାନେ ମଧ୍ୟ କୋର୍ଟରେ ସାକ୍ଷୀ ଭାବେ ଉପସ୍ଥାପନ କରାଯିବେ।