ଅନ୍‌ଲାଇନ୍‌ରେ ଟ୍ରାଫିକ୍ ଜରିମାନା ଜମା ‌ଫେଲ୍‌, ୫ଶହ ଜମା ପାଇଁ ବାଟ ଖର୍ଚ୍ଚ ୩ଶହ

ଭୁବନେଶ୍ୱର : କାକଟପୁରର କାହ୍ନୁ ପାତ୍ର। ଭୁବନେଶ୍ବରରେ କେତେବେଳେ ଅଜ୍ଞତାବଶତଃ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଘରେ ଚାଲାଣ ପହଞ୍ଚିଗଲା। ଜରିମାନା ଥିଲା ୫ ଶହ ଟଙ୍କା। ତେଣୁ ସେ ଅନ୍‌ଲାଇନ୍‌ରେ ଉକ୍ତ ଜରିମାନା ପଇଠ କରିବାକୁ ବାହାରିଲେ। ମାତ୍ର ବାରମ୍ବାର ଚେଷ୍ଟା କଲେ ବି ଜରିମାନା ପଇଠ ହେଲା ନାହିଁ। ତେଣୁ ବାଧ୍ୟ ହୋଇ ସେ ଭୁବନେଶ୍ବର ପୁଲିସ ସେବା ଭବନକୁ ଆସିଲେ। ୫ ଶହ ଟଙ୍କା ଜରିମାନା ଭରିବାକୁ ତାଙ୍କୁ ବାଟ ଖର୍ଚ୍ଚ ବାବଦରେ ୩ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା। ସେଥିରେ ପୁଣି ଗୋଟିଏ ଦିନ ଗଲା। ଏହା କେବଳ କାହ୍ନୁଙ୍କ ସମସ୍ୟା ନଥିଲା। ଏମିତି ବହୁ କାହ୍ନୁ ପ୍ରତିଦିନ ଟ୍ରାଫିକ୍ ଜରିମାନା ଭରିବାକୁ ଯାଇ ହନ୍ତସନ୍ତ ହେଉଛନ୍ତି। ଏମିତି ବି କିଛି ମାମଲାରେ ଦୂରଦୂରାନ୍ତରୁ ଲୋକେ ପୁଲିସ ସେବା ଭବନକୁ ଦୁଇ ତିନି ଥର ଧାଇଁ ଧାଇଁ ଖର୍ଚ୍ଚାନ୍ତ ହେଉଛନ୍ତି। ଜରିମାନାଠାରୁ ବାଟ ଖର୍ଚ୍ଚ ବଳେଇ ପଡ଼ୁଛି। ସାଙ୍ଗକୁ ସମୟ ନଷ୍ଟ ହେଉଛି। ଅନ୍‌ଲାଇନ୍‌ରେ ଜରିମାନା ଭରିବାକୁ ହୋଇଥିବା ବ୍ୟବସ୍ଥା ବିଫଳ ହେଉଥିବାରୁ ସାଧାରଣ ଲୋକେ ଏମିତି ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ପ୍ରତ୍ୟେକ ଦିନ ପୁଲିସ ସେବା ଭବନରେ ଥିବା କାଉଣ୍ଟର୍‌ରେ ଉତ୍ତେଜନା ପ୍ରକାଶ ପାଉଛି।

ସୂଚନାଯୋଗ୍ୟ, ନଗଦ କାରବାର ଏଡ଼ାଇବା ପାଇଁ ଓ ଟ୍ରାଫିକ୍‌ ନିମୟ ଉଲ୍ଲଂଘନକାରୀଙ୍କୁ ସମସ୍ୟାରେ ନ ପକାଇବା ପାଇଁ ଅନ୍‌ଲାଇନ୍‌ରେ ଜରିମାନା ଜମା କରିବା ବ୍ୟବସ୍ଥା ରହିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲା ପରେ ପୁଲିସ ଅଫିସର ଚାଲାଣ କାଟି ହାତରେ ଧରାଉଛି କିମ୍ବା ପୁଲିସ ଅଫିସର ନଥିଲେ କ୍ୟାମେରା ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପରେ ଚାଲାଣ ଘରକୁ ଯାଉଛି। ଜରିମାନା ଜମା କରିବା ପାଇଁ ଚାଲାଣରେ ଏକ ଲିଙ୍କ୍‌ ରହୁଛି। ତାହା ହେଉଛି ‘https://bit.ly/2UZK16l ’। ଏଥିରେ କ୍ଲିକ୍‌ କରିବା ପରେ ‘ଡିଜିଟାଲ ଟ୍ରାଫିକ୍‌ ଏନ୍‌ଫୋର୍ସମେଣ୍ଟ’ ସେକ୍ସନରେ ପହଞ୍ଚିବାକୁ ହେଉଛି। ଏଥିରେ ଚାଲାଣ ନମ୍ବର ସହ ଗାଡ଼ିର ଇଞ୍ଜିନ ଓ ଚେସିସ୍‌ ନମ୍ବର ପୂରଣ କରିବାକୁ ହେଉଛି। ଏହା ପରେ କିନ୍ତୁ ଜରିମାନା ଜମା ହୋଇ ପାରୁନାହିଁ। ଅନେକ ସମୟରେ ଏଭଳି ବି ହେଉଛି କି ଜରିମାନା ଭରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା କଟୁଛି, କିନ୍ତୁ ସରକାରଙ୍କ ଖାତାକୁ ଯାଉନାହିଁ। ଅନ୍ୟ ପକ୍ଷରେ ଟ୍ରାଫିକ୍‌ ଉଲ୍ଲଂଘନ ମାମଲା କୋର୍ଟକୁ ଗଲେ ଅଧିକ ସମସ୍ୟା ଉପୁଜିବା ଡର ଥିବାରୁ ଉଲ୍ଲଂଘନକାରୀ ସିଧାସଳଖ ପୁଲିସ ସେବା ଭବନକୁ ଆସି ନଗଦ ଅର୍ଥ ଜମା କରୁଛି। ଫଳରେ କାକଟପୁରର କାହ୍ନୁ ପାତ୍ରଙ୍କ ଭଳି ଅବସ୍ଥା ଭୋଗୁଛନ୍ତି ଲୋକେ।

ସମନ୍ବୟ ଅଭାବ
ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ପ୍ରସ୍ତୁତ କରିଛି ଏନ୍‌ଆଇସି। ପରିବହନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା ହୋଇଥିବା ବେଳେ ପୁଲିସ ଏନ୍‌ଫୋର୍ସମେଣ୍ଟ କରୁଛି। ଉଲ୍ଲଂଘନକାରୀ ଜରିମାନା ଅର୍ଥ ଦେବା ପରେ ତାହା ସରକାରୀ ରାଜକୋଷରେ ଜମା ହେଉଛି। ମାତ୍ର ପରିବହନ ବିଭାଗ ଓ ପୁଲିସ ମଧ୍ୟ‌ରେ ସମନ୍ବୟ ରହୁ ନଥିବାରୁ ଏହି ବ୍ୟବସ୍ଥା ଫେଲ୍‌ ମାରୁଛି ଓ ମଝିରେ ପେଶି ହେଉଛି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ।

ଖୁବ୍‌ ଶୀଘ୍ର ହେବ ଆଲୋଚନା
ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଜରିଆରେ ଚାଲାଣ ଡିପୋଜିଟ୍‌ ହୋଇପାରୁଛି। କିନ୍ତୁ ଅନେକ ସମୟରେ ଫେଲ୍‌ ମାରୁଥିବା ଅଭିଯୋଗ ରହିଛି। ଏନ୍‌ଆଇସି ସହ ଯୋଗାଯୋଗ କରାଯାଇଛି। ଖୁବ୍‌ ଶୀଘ୍ର ଏ ନେଇ ପରିବହନ ବିଭାଗ ସହ ଆଲୋଚନା ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଜଣେ ପରିବହନ ବିଭାଗ ଅଧିକାରୀ କହିଛନ୍ତି, ଅନ୍‌ଲାଇନ୍‌ ଜମା ବ୍ୟବସ୍ଥାକୁ ସିଧାସଳଖ ପରିବହନ ବିଭାଗ ମନିଟର କରୁନଥିବାରୁ ସମସ୍ୟା ହୋଇଛି। ଏ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି।

ଜାଣୁନାହାନ୍ତି ଗାଡ଼ି ମାଲିକ, ଗଡ଼ୁଛି ଜରିମାନା
ପ୍ରତିଦିନ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଜରିମାନା କରାଯାଉଛି ଓ ଚାଲାଣ କଟାଯାଉଛି। ଥାନାସ୍ତରରେ ଯାଞ୍ଚ ବେଳେ ନିୟମ ଉଲ୍ଲଂଘନକାରୀ ନଗଦ ଅର୍ଥ ଦେଇ ଦେଉଛନ୍ତି। ସେହିଭଳି ଟ୍ରାଫିକ୍‌ ଛକରେ ଟ୍ରାଫିକ୍‌ ପୁଲିସ ଧରୁଥିବା ଉଲ୍ଲଂଘନକାରୀଙ୍କ ମଧ୍ୟରୁ ୫୦ପ୍ରତିଶତ ନଗଦ ଅର୍ଥ ଦେଉଛନ୍ତି। ବାକି ଚାଲାଣ ନେଇ ଯାଉଛନ୍ତି ଓ ପରେ ପୁଲିସ ସେବା ଭବନରେ ପଇଠ କରୁଛନ୍ତି। କିନ୍ତୁ କ୍ୟାମେରାରେ ଚିହ୍ନଟ ଉଲ୍ଲଂଘନକାରୀଙ୍କଠାରୁ ନଗଦ ଟଙ୍କା ଆଦାୟ ହୋଇପାରେନାହିଁ। ସେମାନଙ୍କୁ ଅନ୍‌ଲାଇନ୍‌ରେ କିମ୍ବା ପୁଲିସ ସେବା ଭବନରେ ଜରିମାନା ପଇଠ କରିବାକୁ ପଡ଼େ। ସୂଚନା ମୁତାବକ, ପ୍ରତ୍ୟେକ ଦିନ କ୍ୟାମେରା ଜରିଆରେ ପାଖାପାଖି ଶହେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଚାଲାଣ କଟାଯାଉଛି। ମାତ୍ର ପୁଲିସ ସେବା ଭବନ ପରିସରରେ ଥିବା ଟ୍ରାଫିକ୍‌ ଜରିମାନା ଜମା କାଉଣ୍ଟରରେ ହାରାହାରି ୭୦ ପ୍ରତିଶତ ଜରିମାନା ଅର୍ଥ ଜମା ହେଉଛି। ବାକି ଜରିମାନା ଗଡ଼ୁଛି। ବହୁ କ୍ଷେତ୍ରରେ ଗାଡ଼ି ମାଲିକ ଚାଲାଣ ବାବଦରେ ଜାଣି ପାରୁନାହାନ୍ତି। ନିକଟରେ ରାଜମହଲ ଛକରେ ରଙ୍ଗ୍‌ରୁଟ୍‌ରେ ଆସୁଥିବା ଜଣେ ଚାଳକ ଧରାପଡ଼ିବା ପରେ ସମ୍ପୃକ୍ତ ଗାଡ଼ି ନାମରେ ଆଗରୁ ୫ଟି ଚାଲାଣ ବାକି ପଡ଼ିଥିବା ଜଣାପଡ଼ିଥିଲା। ଏ ନେଇ ଅବଗତ ନଥିବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏକାଥରକେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ପଇଠ କରିବାକୁ ହେଲା। ପରେ ଜଣାପଡ଼ିଥିଲା କି ଗାଡ଼ି ପଞ୍ଜୀକରଣ ବେଳେ ସେ ଦେଇଥିବା ମୋବାଇଲ ନମ୍ବର ପରେ ବଦଳାଇ ଦେଇଥିବାରୁ ଚାଲାଣ ବାବଦରେ ଜାଣିପାରି ନଥିଲେ। ସେହିଭଳି ଫରେଷ୍ଟ ପାର୍କ ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଗାଡ଼ି ଚୋରି ହୋଇଯିବା ପରେ ତାଙ୍କ ଘରକୁ ଚାଲାଣ ଆସିଥିଲା। ଚୋର ରୂପାଲି ଛକରେ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରି କ୍ୟାମେରାରେ ଧରାପଡ଼ିଥିଲା। ମାତ୍ର ଗାଡ଼ି ନମ୍ବର ଅନୁସାରେ ଚାଲାଣ ମାଲିକ ପାଖକୁ ଆସିଥିଲା। ଗାଡ଼ି ଚୋର ଟ୍ରାଫିକ୍ ନିମୟ ଉଲ୍ଲଘଂନ କଲା, ଅଥଚ ଗାଡ଼ି ମାଲିକ ପାଖକୁ ଚାଲାଣ ଆସିଲା। ଏହି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର