ଭୁବନେଶ୍ୱର : ଶେଷରେ ଟ୍ରାଫିକ୍ ଥାନା ପାଇଁ ଚିହ୍ନଟ ହୋଇଥିବା ଜମିରୁ ଜବରଦଖଲ ହଟାଯାଇଛି। ଆଜି ବିଡିଏ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଉଦ୍ୟମରେ ପାତ୍ରପଡ଼ା ମୌଜାସ୍ଥିତ ଏହି ଏକ ଏକର ପରିମିତ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏହି ଜମିରେ ଥିବା ୮ଟି ଟିଣ ଘର ସମେତ ୩ଟି ଦୋକାନ ଓ ୭ଟି ଚାଳଘରକୁ ଉଚ୍ଛେଦ କରାଯାଇଛି। ଫଳରେ ପାତ୍ରପଡ଼ାରେ ହେବାକୁ ଥିବା ଟ୍ରାଫିକ୍ ଥାନା ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ଆଜି ତମାଣ୍ଡୋରେ ନିର୍ମାଣ ହେବାକୁ ଥିବା ସ୍ପୋର୍ଟସ୍ କମ୍ପ୍ଲେକ୍ସ ଜମିରୁ ମଧ୍ୟ ଜବରଦଖଲ ହଟାଇ ଦିଆଯାଇଛି। ତମାଣ୍ଡୋ ମୌଜାର ୩୫୮ନଂ ପ୍ଲଟରେ ପ୍ରାୟ ୧ ଏକରରୁ ଊର୍ଦ୍ଧ୍ବ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏଠାରେ ୯ଟି ଟିଣ ଘର, ଗୋଟିଏ ହୋଟେଲ, ଚା’ ଦୋକାନ ଓ ଓମଫେଡ୍ ଷ୍ଟଲକୁ ଭାଙ୍ଗି ଦିଆଯାଇଛି। ଭୁବନେଶ୍ବର ତହସିଲଦାରଙ୍କ ଉପସ୍ଥିତିରେ ତମାଣ୍ଡୋ ଆଇଆଇସିଙ୍କ ସହଯୋଗକ୍ରମେ ବିଡିଏ ଏହି ଉଚ୍ଛେଦ କାମ କରିଥିଲା। ମାତ୍ର ସମୟ ଅଭାବରୁ ଆଜି ଉକ୍ତ ପ୍ଲଟକୁ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରାଯାଇପାରିନଥିଲା। ଆଗାମୀ ଦିନରେ ପୁଣି ଏକ ତାରିଖ ସ୍ଥିର କରାଯାଇ ଏହା ସଂପୂର୍ଣ୍ଣ କରାଯିବ ବୋଲି ସୂଚନା ମିଳିଛି। ବିଡିଏର ଏନ୍ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ କୁମାର ପାତ୍ର ଓ ଯୋଗାଯୋଗ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି ଓ ପିଡବ୍ଲ୍ୟୁଡିର ଏସ୍ଡିଓ ପ୍ରମୁଖ ଆଜି ଏହି ଉଚ୍ଛେଦ କାର୍ଯ୍ୟ ସମୟରେ ଉପସ୍ଥିତ ଥିଲେ।