ଟ୍ରାଫିକ ପୁଲିସଙ୍କୁ ପାଣି ବୋତଲ ବଣ୍ଟନ

ଭୁବନେଶ୍ବର: ପଳାସୁଣୀ ପ୍ରାଚୀ ବିହାରର ଯୁବକମାନଙ୍କ ପକ୍ଷରୁ ବୁଧବାର ରାଜଧାନୀର ଟ୍ରାଫିକ ପୁଲିସଙ୍କୁ ରୁମାଲ, ପାଣି ବୋତଲ ଓ ମୃଦୁ ପାନୀୟ ବଣ୍ଟନ କରାଯାଇଛି। ଜାତୀୟ ରାଜପଥରେ ହଂସପାଳ ଛକଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କମିସନରେଟ ପୁଲିସ ମୁଖ୍ୟାଳୟ ନିକଟରେ ଶେଷ ହୋଇଥିଲା। ରାଜଧାନୀର ପାଖାପାଖି ୫୦ଟି ପୋଷ୍ଟରେ ଡ୍ୟୁଟି କରୁଥିବା ଟ୍ରାଫିକ କର୍ମଚାରୀମାନଙ୍କୁ ଏହି ସବୁ ବଣ୍ଟନ କରାଯାଇଥିଲା। ଯୁବକମାନଙ୍କ ଏଭଳି ନିଆରା ସେବାକୁ ପୁଲିସ କମିସନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ ସାହୁ ପ୍ରଶଂସା କରିଥିଲେ। ପୂର୍ବରୁ ଏହି ଯୁବକମାନେ ରାଜଧାନୀର ନିରାଶ୍ରିତ ଲୋକମାନଙ୍କୁ ରାତିରେ ଖାଦ୍ୟ ଓ ବସ୍ତ୍ର ଯୋଗାଇଛନ୍ତି। ଯୁବକ ସଂଘ ପକ୍ଷରୁ ନାରାୟଣ ପୃଷ୍ଟି, ଅମର ସାହୁ, ସାଇ ଜେନା, ବିନୟ ନାୟକ, ମିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବଡ଼ କଥା ହେଉଛି ଏହି ଯୁବକମାନେ ସମସ୍ତେ ଛାତ୍ର। ନିଜ ପାଠପଢ଼ା ଓ ପକେଟ୍‌ ଖର୍ଚ କାଟି ଏଭଳି ସମାଜସେବା କରି ଆସୁଛନ୍ତି।

ସମ୍ବନ୍ଧିତ ଖବର