ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା ପୂରା ହୁଗୁଳିଯାଇଛି। ସହରବାସୀ ତ୍ରାହି ତ୍ରାହି ଡାକିଲେଣି। ଲୋକଙ୍କ ଦୃଷ୍ଟି ହଟାଇବାକୁ ସହରରେ ବ୍ଲକିଂ ଚେକିଂ କରାଯାଇଛି। ଏହାରି ଭିତରେ ଟ୍ରାଫିକ୍ ପୁଲିସର ଅମାନବୀୟ ଆଚରଣ ବି ଦେଖିବାକୁ ମିଳୁଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଡ୍ରାଇଭରଙ୍କ ଉପରେ ଦାଉ ସାଧିବାକୁ ଯାଇ ଜଣେ କୁନି ଝିଅଙ୍କୁ କାର୍ ଭିତରେ ବନ୍ଦୀ ରହିବାକୁ ଟ୍ରାଫିକ୍ ପୁଲିସ୍ ବାଧ୍ୟ କରିଛି। ଝିଅର ଅଭିଭାବକ ଏହି ଅଭାବନୀୟ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ‘ଏକ୍ସ’ରେ ଜଣାଇଛନ୍ତି।
କୁନି ଝିଅକୁ କାର୍ରେ ବନ୍ଦୀ କରି ରଖିଲେ
ଚୁଲିକି ଯାଇଛି ଇ-ଚାଲାଣ ବ୍ୟବସ୍ଥା
ସିଏମ୍ଓକୁ ଏକ୍ସରେ ଜଣାଇଲେ ଅଭିଭାବକ
ମଙ୍ଗଳବାର ଦିନ ପାଖାପାଖି ସାଢ଼େ ୧୦ଟା ବେଳେ ଏଜି ଛକରେ ଏକ କାର୍ ୟୁ-ଟର୍ଣ୍ଣ ନେଇଥିଲା। ଏଜି ଛକରେ ଜଗି ରହିଥିବା ଟ୍ରାଫିକ୍ ପୁଲିସ ଗାଡ଼ିକୁ ଅଟକାଇ ଚାଳକଙ୍କ ଭୁଲ୍ ପାଇଁ ଜରିମାନା ଧାର୍ଯ୍ୟ କରିଦେଲେ। ମାତ୍ର ଚାଳକଙ୍କ ପାଖରେ ଟଙ୍କା ନଥିଲା। ତେଣୁ ସେ ଇ-ଚାଲାଣ କାଟିଦେବାକୁ ସେ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ କହିଥିଲେ। କିନ୍ତୁ ଜରିମାନା ବାବଦ ଅର୍ଥ ନଗଦ ଆକାରରେ ନଦେଲେ ଗାଡ଼ି ଛାଡ଼ିବେ ନାହିଁ ବୋଲି ପୁଲିସ କର୍ମଚାରୀ ରୋକ୍ଠୋକ ଶୁଣାଇଦେଲେ। ସ୍କୁଲ୍ରୁ ପିଲାଟି ଫେରୁଛି ଏବଂ ତାକୁ ଜୋର୍ରେ ଭୋକ ହେଲାଣି ବୋଲି କହି ଚାଳକ ଛାଡ଼ିଦେବାକୁ ନେହୁରା ହୋଇଥିଲେ। କିନ୍ତୁ ନିର୍ଦୟ ଟ୍ରାଫିକ୍ ପୁଲିସ କାର୍କୁ ନେଇ ଟ୍ରାଫିକ୍ ଥାନା-୧ ପରିସରରେ ରଖିଦେଲେ। ପିଲାଟି ସେମିତି ଭୟଭୀତ ଅବସ୍ଥାରେ କାର୍ ଭିତରେ ବସି କାନ୍ଦୁଥାଏ। ପିଲାଟିକୁ କେହି ବି ପାଣି ଗିଲାସେ ବଢ଼ାଇ ଦେଇନଥିଲେ କି ତାକୁ ବୁଝାସୁଝା କରିବାକୁ ମହିଳା ପୁଲିସ୍ ବି ନଥିଲେ। ଯେମିତି ପୁଲିସ୍ ସର୍ବନିମ୍ନ ସମ୍ବେଦନଶୀଳତା ଭୁଲିଯାଇଥିଲା। ଖବର ପାଇ କୁନି ଝିଅର ମାଆ ଥାନାରେ ପହଞ୍ଚିବା ବେଳକୁ ଅଧ ଘଣ୍ଟାରୁ ଅଧିକ ସମୟ ବିତିସାରିଥିଲା।
ଇ-ଚାଲାଣ କରିବାରେ କ’ଣ ଅସୁବିଧା ଥିଲା ବୋଲି ସେ ପୁଲିସ୍କୁ ପଚାରିଥିଲେ। କିନ୍ତୁ ନିଜର ଭୁଲ୍ ମାନିବାକୁ ଅପ୍ରସ୍ତୁତ ଥିବା ପୁଲିସ୍ ଅଧିକାରୀ ତାଙ୍କୁ ପାଲଟା ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। କୁନି ଝିଅକୁ ମୁକୁଳାଇବା ଅଭିଭାବକଙ୍କ ମୁଖ୍ୟ କାମ ଥିଲା। ତେଣୁ ସେ ଥାନା ଅଧିକାରୀଙ୍କ ନାମରେ ପଞ୍ଜୀକୃତ ବାର୍ କୋଡ୍ରେ ଜରିମାନା ପଇଠ କରି ଫେରିଥିଲେ। ଏଜି ଛକରେ ‘ୟୁ ଟର୍ଣ୍ଣ ମନା’ ବୋଲି କୌଣସି ସ୍ଥାନରେ ବୋର୍ଡ ମରାଯାଇ ନାହିଁ। କିନ୍ତୁ ୟୁ ଟର୍ଣ୍ଣ ନେଲେ ପୁଲିସ ହଠାତ ମାଡ଼ି ବସୁଛି। ଏ ନେଇ ନିୟମିତ ଅଭିଯୋଗ ହେଉଥିଲେ ବି ସେଠାରେ ବୋର୍ଡ ଲଗାଯାଉ ନାହିଁ। ପୁଣି ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିବାକୁ ସରକାର ବାରମ୍ବାର କହୁଥିଲା ବେଳେ ଟ୍ରାଫିକ୍ ପୁଲିସ କାହିଁକି ପଛଘୁଞ୍ଚା ଦେଉଛି, ତାହା ବୁଝାପଡ଼ୁନି।