ପିଏମ୍‌ଜି ଛକରେ ତୁମୁଳକାଣ୍ଡ : ଟ୍ରାଫିକ୍‌ କନେଷ୍ଟବଳ-ସାମ୍ବାଦିକ ହାତାହାତି

ପ୍ରତିବାଦରେ ସାମ୍ବାଦିକଙ୍କ ରାସ୍ତାରୋକ

ଭୁବନେଶ୍ୱର : ସୋମବାର ମଧ୍ୟାହ୍ନରେ ପିଏମ୍‌ଜି ଟ୍ରାଫିକ୍‌ ଛକରେ ଏକ ଅଭାବନୀୟ ଘଟଣା ଘଟିଥିଲା। ନିଜ ବାନ୍ଧବୀଙ୍କ ସହ ସ୍କୁଟିରେ ଆସୁଥିବା ଜଣେ ସାମ୍ବାଦିକ ଜେବ୍ରା କ୍ରସିଂ ଅତିକ୍ରମ କରିବାକୁ ନେଇ ଟ୍ରାଫିକ୍‌ କନେଷ୍ଟବଳଙ୍କ ସହ ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଏମିତିକି ସାଙ୍ଗରେ ଥିବା ସାମ୍ବାଦିକଙ୍କ ବାନ୍ଧବୀ ମଧ୍ୟ ଉଭୟଙ୍କୁ ରୋକିବାକୁ ଯାଇ ଫେଲ୍‌ ମାରିଥିଲେ। ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ସେଠାରେ ୧୫ ମିନିଟ୍‌ କାଳ ଯାତାୟତ ଠପ୍‌ ହୋଇଯାଇଥିଲା। କେତେକ ଗାଡ଼ିଚାଳକ ଓ ପଥଚାରୀଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ସାମ୍ବାଦିକ ଓ ତାଙ୍କ ବାନ୍ଧବୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ସେହିପରି କନେଷ୍ଟବଳ ଜଣଙ୍କ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିବାରୁ ପୁଲିସ ୩ଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ସୋମବାର ଦିନ ପ୍ରାୟ ୧୧ଟା ୫୦। ସାମ୍ବାଦିକ ଜଣଙ୍କ ତାଙ୍କ ବାନ୍ଧବୀଙ୍କ ସହ ସ୍କୁଟିରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଲୋୟର ପିଏମ୍‌ଜି ଆଡ଼କୁ ଆସୁଥିଲେ। ଏହି ସମୟରେ ପିଏମ୍‌ଜି ଛକରେ ଥିବା ଟ୍ରାଫିକ୍‌ କନେଷ୍ଟବଳ ଜଣଙ୍କ ଷ୍ଟପ୍‌ ସିଗ୍‌ନାଲ ଦେଇଥିଲେ। ହେଲେ ଜଣେ ବାଇକ୍‌ ଚାଳକ ଏବଂ ଏହି ସାମ୍ବାଦିକ ଜଣଙ୍କ ଜେବ୍ରା କ୍ରସିଂ ଅତିକ୍ରମ କରି ଆଗକୁ ଚାଲି ଆସିଥିଲେ। ଏହା ଦେଖି ସେଠାରେ ଟ୍ରାଫିକ୍‌ ପରିଚାଳନା ଦାୟିତ୍ୱରେ ଥିବା ଟ୍ରାଫିକ୍‌ କନେଷ୍ଟବଳ ଜଣଙ୍କ ପୋଷ୍ଟରୁ ଓହ୍ଲାଇ ଆସି ପ୍ରଥମ ବ୍ୟକ୍ତିଙ୍କୁ ବୁଝାଇ ପଛକୁ ଯିବାକୁ କହିଥିଲେ। ଏହାପରେ ସେ ସାମ୍ବାଦିକଙ୍କୁ ମଧ୍ୟ ପଛକୁ ଯିବାକୁ କହିଥିଲେ। ହେଲେ ସାମ୍ବାଦିକ ଜଣଙ୍କ ପଛକୁ ନଯାଇ ଯୁକ୍ତି କରିଥିଲେ। ଯାହାକୁ ନେଇ କନେଷ୍ଟବଳ ଓ ସାମ୍ବାଦିକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆଉ କନେଷ୍ଟବଳ ଜଣଙ୍କ ସାମ୍ବାଦିକଙ୍କ ଗାଡ଼ି ଚାବି ନେଇଯାଇଥିଲେ। ଫଳରେ ସାମ୍ବାଦିକ ଜଣଙ୍କ ରାଗିଯାଇ କନେଷ୍ଟବଲଙ୍କୁ ଧକ୍କା ମାରିଥିଲେ। ଏହାପରେ ଆରମ୍ଭ ହୋଇ ଯାଇଥିଲା ଅସଲ ଆକସନ୍‌। କନେଷ୍ଟବଳ ସାମ୍ବାଦିକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସାମ୍ବାଦିକ ଜଣଙ୍କ ମଧ୍ୟ ପ୍ରତି ଅକ୍ରମଣ କରିଥିଲେ। ଉଭୟଙ୍କ ମାରପିଟ୍‌ ମଝିରେ ସାମ୍ବାଦିକଙ୍କ ବାନ୍ଧବୀ ଫସିଯାଇଥଲେ। ସେ ଯେତେ ଚେଷ୍ଟା କଲେ ବି ଉଭୟଙ୍କୁ ରୋକି ପାରି ନ ଥିଲେ। ଉତ୍ତେଜନା ବଢ଼ିବାରୁ ସେଠାରେ ଥିବା ମହିଳା କନେଷ୍ଟବଳ ଓ ଅନ୍ୟମାନେ ଦୌଡ଼ି ଆସି ସେମାନଙ୍କୁ ମାରପିଟ୍‌ରୁ ନିବୃତ୍ତ କରିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାର କିଛି ସମୟ ପରେ ଟ୍ରାଫିକ୍‌ କନେଷ୍ଟବଲ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକମାନେ ସଚିବାଳୟ ମାର୍ଗରେ ରାସ୍ତାରୋକ କରିଥିଲେ। ଫଳରେ ସେଠାରେ ଘଣ୍ଟାଏ କାଳ ଯାତାୟତ ଠପ୍‌ ହୋଇଯାଇଥିଲା। ଘଟଣାସ୍ଥଳରେ ଡିସିପି ସତ୍ୟବ୍ରତ ଭୋଇ ପହଞ୍ଚି ସାମ୍ବାଦିକମାନଙ୍କୁ ବୁଝାସୁଝା କରିଥିଲେ। କହିଥିଲେ ଯେ, ସିସିଟିଭିରେ ଘଟଣାର ସମସ୍ତ ଦୃଶ୍ୟ କଏଦ ରହିଛି। ଫୁଟେଜ୍‌କୁ ଯାଞ୍ଚ କରାଯାଇ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରୀ ଭୋଇ ପ୍ରତିଶ୍ରୁତି ଦେବା ପରେ ସାମ୍ବାଦିକମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର