ଟଳି ପଡ଼ିଲେ ଯୁବତୀ, ବଞ୍ଚେଇଲେ ଟ୍ରାଫିକ୍ ପୁଲିସ

ଖଣ୍ଡଗିରି : ସୋମବାର ଅପରାହ୍ଣ ପ୍ରାୟ ୧ଟାବେଳେ ଖଣ୍ଡଗିରି ଛକରେ ବେହୋସ୍ ହୋଇ ତଳେ ଟଳି ପଡ଼ିଥିବା ଜଣେ ଯୁବତୀ ଦୁଇ ଜଣ ଟ୍ରାଫିକ୍ ପୁଲିସଙ୍କ ଯୋଗୁଁ ବଞ୍ଚି ଯାଇଛନ୍ତି। ସଂଜ୍ଞାହୀନ ହୋଇ ପଡ଼ିଥିବା ଯୁବତୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରି ଚିକିତ୍ସା ଯୋଗାଇ ଦେବା ଫଳରେ ତାଙ୍କ ଜୀବନ ରକ୍ଷା ହୋଇ ପାରିଛି। ସଂଜ୍ଞାହୀନ ହେବାର କାରଣ ଜଣା ପଡ଼ି ନଥିଲେ ମଧ୍ୟ ଅଂଶୁଘାତ ଯୋଗୁଁ ଯୁବତୀ ଜଣଙ୍କ ଏଭଳି ସମସ୍ୟାରେ ପଡ଼ିଥିବା ଅନୁମାନ କରାଯାଉଛି।

ସୂଚନାନୁସାରେ ପୋଖରୀପୁଟରେ ରହୁଥିବା ଫୁଲବାଣୀର ଚାନ୍ଦିନୀ(ଛଦ୍ମନାମ) ଖଣ୍ଡଗିରି ଟ୍ରାଫିକ୍ ଛକରେ ଏକ ଗଛମୂଳେ ଠିଆ ହୋଇଥିଲେ। କୌଣସି ବସ୍‌କୁ ସେ ଅପେକ୍ଷା କରିଥିଲେ। ତେବେ କିଛି ସମୟ ପରେ ହଠାତ୍ ସେ ସେଠାରେ ଟଳି ପଡ଼ିଲେ। ଲୋକଙ୍କ ପାଟି ଶୁଣି ଟ୍ରାଫିକ୍ ହାବିଳଦାର୍‌ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ ଓ କନ୍‌ଷ୍ଟେବଲ୍‌ ତପନ କୁମାର ସାହୁ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ତୁରନ୍ତ ଖଣ୍ଡଗିରି ଥାନା ପିସିଆର୍ ଓ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ମାତ୍ର ସେମାନେ ପହଞ୍ଚିବା ବିଳମ୍ବ ହେବା ଜାଣି ଟ୍ରାଫିକ୍ କର୍ମଚାରୀ ଦ୍ବୟ ଚାନ୍ଦିନୀଙ୍କୁ ଏକ ଅଟୋ ରିକ୍ସା ସାହାଯ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ ଚାନ୍ଦିନୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର