ଭୁବନେଶ୍ବର: ଖରା ଓ ପ୍ରଚଣ୍ଡ ରୌଦ୍ରତାପରୁ ଟ୍ରାଫିକ ପୁଲିସଙ୍କୁ ମିଳିବ ମୁକ୍ତି। ଟ୍ରାଫିକ ପୋଷ୍ଟରେ ଡ୍ୟୁଟି ବେଳେ ଗରମରୁ ବର୍ତ୍ତିବା ପାଇଁ ସେମାନଙ୍କୁ ଶୀତତାପ ନିୟନ୍ତ୍ରିତ ହେଲ୍ମେଟ୍ ଦିଆଯିବ। ପୁଲିସ କମିସନର ସଞ୍ଜୀବ ପଣ୍ଡା ଏହି ଅତ୍ୟାଧୁନିକ ହେଲ୍ମେଟ୍ର ପରୀକ୍ଷା କରିଛନ୍ତି। ୧୨୦ ବାଟାଲିୟନ୍ ଟ୍ରାଫିକ୍ ପୋଷ୍ଟରେ ଟ୍ରାଫିକ୍ କର୍ମଚାରୀଙ୍କୁ ହେଲ୍ମେଟ୍ ପିନ୍ଧାଇ ଏହାର ପରୀକ୍ଷା କରାଯାଇଥିଲା। କିଛିଦିନ ଏହି ହେଲ୍ମେଟ୍କୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ। ସଫଳତା ମିଳିଲେ ପ୍ରଥମ ପର୍ଯ୍ୟାୟରେ ପ୍ରତି ଟ୍ରାଫିକ୍ ପୋଷ୍ଟରେ ଅତିକମ୍ରେ ଦୁଇଜଣଙ୍କୁ ଏହି ହେଲ୍ମେଟ୍ ଦିଆଯିବ ବୋଲି ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି। ତେବେ ପୂର୍ବରୁ ଏହି ହେଲ୍ମେଟ୍କୁ ଗୁଜରାଟ, ପଶ୍ଚିମବଙ୍ଗ ଓ ହାଇଦ୍ରାବାଦ ପୁଲିସ ବ୍ୟବହାର କରିଛନ୍ତି ବୋଲି ନିର୍ମାଣ ସଂସ୍ଥା ପକ୍ଷରୁ କୁହାଯାଇଛି।
ସଂସ୍ଥାର ସଞ୍ଜୟ ଯୋଶୀ କହିଛନ୍ତି, ୫୫ ଡିଗ୍ରି ତାପମାତ୍ରା ପର୍ଯ୍ୟନ୍ତ ଏହି ହେଲ୍ମେଟ୍ କାମ କରିବ। ଏହାର ବ୍ୟବହାରରେ କୌଣସି ଅସୁବିଧା ହେବନାହିଁ। ୮୦୦ ଗ୍ରାମ ଓଜନର ଏହି ହେଲ୍ମେଟ୍ ଶରୀର ଉପରେ କୌଣସି କୁପ୍ରଭାବ ପକାଇବ ନାହିଁ। ବ୍ୟାଟେରି ଦ୍ବାରା ପରିଚାଳିତ ଏହାକୁ ଥରେ ଫୁଲ୍ ଚାର୍ଜ ପାଇଁ ୬ଘଣ୍ଟା ଲାଗୁଥିବା ବେଳେ ଏହା ୮ଘଣ୍ଟା ପର୍ଯ୍ୟନ୍ତ କାମ କରିବ। ୧୦୦୦ ଥର ଚାର୍ଜ ପରେ ବ୍ୟାଟେରି ଓ ୩ବର୍ଷରେ ହେଲ୍ମେଟ୍କୁ ପରିବର୍ତ୍ତନ କରିବାକୁ ପଡ଼ିବ। ଏକ ବର୍ଷ ମଧ୍ୟରେ ଉଭୟ ବ୍ୟାଟେରି ଓ ହେଲ୍ମେଟ୍ରେ କୌଣସି ସମସ୍ୟା ଦେଖାଦେଲେ ମାଗଣାରେ ସଂସ୍ଥା ସମସ୍ତ ପକ୍ଷରୁ ମରାମତି ବା ପରିବର୍ତ୍ତନ କରାଯିବ। ଆଉ ଗୋଟିଏ ହେଲ୍ମେଟ୍ ପାଇଁ ୨୯ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।