ଫନିକୁ ୬ ମାସ ବିତିଲା : ସଜଡ଼ା ହୋଇ ପାରିଲାନି ସିସି କ୍ୟାମେରା, ଖସି ଯାଉଛନ୍ତି ଅପରାଧୀ

ଆଇନ ଉଲ୍ଲଂଘନକାରୀଙ୍କୁ ହୋଇ ପାରୁନି ନୋଟିସ୍‌
ଦୁର୍ଘଟଣା ଘଟାଉଥିବା ଚାଳକ ଖସି ଯାଉଛନ୍ତି
ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନିର୍ଭର କରୁଛି କମିସନରେଟ ପୁଲିସ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ଫନିକୁ ୬ ମାସ ବିତି ଗଲାଣି। କିନ୍ତୁ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସିସି କ୍ୟାମେରା ଏଯାଏ ସଜଡ଼ା ହୋଇପାରିଲା ନାହିଁ। ଯାହା ଫଳରେ ଏବେ ପୁଲିସର ତଦନ୍ତଠାରୁ ଆରମ୍ଭ କରି ଟ୍ରାଫିକ ନିୟମ ପରିଚାଳନାରେ ଅନେକ ସମସ୍ୟା ଦେଖା ଯାଉଛି। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ନୋଟିସ ହୋଇ ପାରୁନାହିଁ, ଲୁଟ ଓ ଛିନ୍‌ତାଇ ଭଳି ଅପରାଧୀଙ୍କ ଚେହେରା ସିସି କ୍ୟମେରାରେ ରେକର୍ଡ ହୋଇ ପାରୁନାହିଁ, ଦୁର୍ଘଟଣା ଘଟାଇ ଚାଳକମାନେ ମଧ୍ୟ ଖସି ଯାଉଛନ୍ତି। ରାଜଧାନୀରେ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଅଚଳ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଶେଷରେ ପୁଲିସ ଏବେ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର କମିଟି ଲଗାଇଥିବା ସିସି କ୍ୟାମେରାରୁ ଫୁଟେଜ ସଂଗ୍ରହ କରିବା ଆରମ୍ଭ କରିଛି।

ସୂଚନା ମୁତାବକ, କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ୧୨୨ଟି ସିସି କ୍ୟା‌ମେରା ଲାଗିଥିଲା। କିନ୍ତୁ ଫନିରେ ସେଥିମଧ୍ୟରୁ ପାଖାପାଖି ୩୫ଟି ଖରାପ ହୋଇ ଯାଇଛି। ସେହିପରି ସ୍ମାର୍ଟସିଟି ପ୍ରକଳ୍ପରେ ୧୪୦ଟି ସିସି କ୍ୟାମେରା ବିଭିନ୍ନ ସ୍ଥାନରେ ଲାଗିଥିଲା, ସେଥିରୁ ଏବେ ପ୍ରାୟ ୪୫ଟି ଅଚଳ ହୋଇପଡ଼ିଛି। ମୋଟ ୨୬୨ଟି କ୍ୟାମେରା ମଧ୍ୟରୁ ୮୦ଟି ଖରାପ ହୋଇଯାଇଛି। ଜନପଥ ଓ ସଚିବାଳୟ ମାର୍ଗକୁ ଛାଡ଼ି ଦେଲେ ଅନ୍ୟ ଯେଉଁସବୁ ସ୍ଥାନରେ ସିସି କ୍ୟାମେରା ଲାଗିଥିଲା ତାହା ସବୁ ଅଚ‌ଳ ହୋଇପଡ଼ିଛି। ବିଶେଷକରି କଟକରୋଡ, କଳ୍ପନା, ରବି ଟକିଜ, ରସୁଲଗଡ଼, ବାଣୀବିହାର ଆଚାର୍ଯ୍ୟ ବିହାର, ନିକୋପାର୍କ, ଚନ୍ଦ୍ରଶେଖରପୁର, ଇନଫୋସିଟି ଅଞ୍ଚଳରେ ଲାଗି ଥିବା ସିସି କ୍ୟାମେରା ଖରାପ ଅଛି। ନା ଏହାକୁ ସଜାଡ଼ିବାକୁ କମିସନରେଟ ପୁଲିସ ଉଦ୍ୟମ କରୁଛି ନା, ସ୍ମାର୍ଟସିଟି କର୍ତୃପକ୍ଷ। ଫଳରେ ଏହି ସବୁ ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକମାନଙ୍କୁ ଚିହ୍ନଟ କରାଯାଇ ପାରୁନାହିଁ। ବେଶ୍‌ ଅନ୍ୟାୟାସରେ ସେମାନେ ଖସି ଯାଉଛନ୍ତି। ବଡ଼ କଥା ହେଉଛି ଏହି ସବୁ ଅଞ୍ଚଳରେ ଦୁର୍ଘଟଣା ଘଟାଇ ଖସି ଯାଉଥିବା ଚାଳକମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ ପାରୁନାହିଁ। ଏଥିପାଇଁ ପୁଲିସ ତଦନ୍ତରେ ଅନେକ ବାଧା ଉପୁଜୁଛି। ସିସି କ୍ୟାମେରାର ପୁଲିସ ତଦନ୍ତରେ ଅନେକ ସହଯୋଗ କରିଥାଏ। ଏପରିକି ଅନେକ ଅପରାଧରେ ଏହି ସିସି କ୍ୟାମେରା ଅଭିଯୁକ୍ତକୁ ଧରାଇ ଦେଇଥାଏ। ଗତ କିଛି ମାସ ତଳେ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର ଅଞ୍ଚଳରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଜଣେ ଯୁବକ ରାସ୍ତା ମଝିରେ ଅସଦାଚରଣ କରିଥିଲା। ଛାତ୍ରୀ ଜଣକ ଯୁବକଙ୍କୁ ଚିହ୍ନି ନ ଥିଲେ। କିନ୍ତୁ ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିବା ପରେ ଅଭିଯୁକ୍ତକୁ ଗିରଫ କରିବାରେ ସହଜ ହୋଇଥିଲା। ଫନିର ୬ ମାସ ପରେ ସିସି କ୍ୟାମେରା ସଜଡ଼ା ନ ହୋଇ ପାରିବା ସ୍ମାର୍ଟସିଟି ଓ କମିସନରେଟ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏବେ କମିସନରେଟ ପୁଲିସ କେତେକ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର କମିଟି ମାଧ୍ୟମରେ ସିସି ଫୁଟେଜ ସଂଗ୍ରହ କରିବା ଆରମ୍ଭ କରିଛି। କଟକରୋଡ ପୂଜା କମିଟି ଓ ଷ୍ଟେସନ ବଜାର ପକ୍ଷରୁ ୩୦ଟି ସିସି କ୍ୟାମେରା, ଇନଫୋସିଟି ଥାନା ଅଧୀନରେ ଥିବା ୧୪ଟି ବ୍ୟବସାୟିକ ପ୍ରତିଷ୍ଠାନ ଓ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ୭ଟି ବ୍ୟବସାୟିକ ପ୍ରତିଷ୍ଠାନ ସହିତ କମିସନରେଟ ପୁଲିସ ଯୋଗାଯୋଗରେ ରହିଛି। ସେମାନେ ସେମାନଙ୍କ ସିସିଟିଭି ଫୁଟେଜ ଆବଶ୍ୟକ ସ୍ଥଳରେ ପୁଲିସକୁ ପ୍ରଦାନ କରୁଛନ୍ତି। ଏହିଭଳି ଅନ୍ୟ ବଜାର କମିଟି ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ମଧ୍ୟ କମିସନରେଟ ପୁଲିସ ସହିତ ମିଶା ଯିବ ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର