ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଗୋଟିଏ ଛକରୁ ଆଉ ଗୋଟିଏ ଛକକୁ ଯିବାକୁ ଅହେତୁକ ଜାମ ଭିତରେ ଫସି ହୋଇଯାଉଛନ୍ତି କାର୍ ଓ ବାଇକ୍ ଚାଳକ। ଏହା ସାଙ୍ଗକୁ ଏବେ ରାଜଧାନୀର ବିଭିନ୍ନ ପ୍ରମୁଖ ରାସ୍ତାରେ ହେଉଥିବା କାମ ମଧ୍ୟ ଜାମ ସୃଷ୍ଟି କରୁଛି। ସାଧାରଣ ଲୋକ ପ୍ରତ୍ୟେକ ଦିନ ହନ୍ତସନ୍ତ ହେଉଥିଲେ ହେଁ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ। ଆଜି ରାଜଧାନୀରେ ଜଣେ ଶିଶୁପୁତ୍ରର ଜୀବନ ଯିବା ପରେ ଟ୍ରାଫିକ୍ ପରିଚଳାନାକୁ ନେଇ ପ୍ରଶ୍ନ ଉଠିଛି। ଟ୍ରାଫିକ୍ ପରିଚାଳନା ପାଇଁ କମିସନରେଟ୍ ପୁଲିସର ସ୍ବତନ୍ତ୍ର ବିଭାଗ ଥିବା ସତ୍ତ୍ବେ ଏଭଳି ଅଭାବନୀୟ ଘଟଣାକୁ ରାଜଧାନୀବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। କେବଳ ଆଜିର ଘଟଣା ନୁହେଁ, ପୂର୍ବରୁ ମଧ୍ୟ ରାଜଧାନୀର ଟ୍ରାଫିକ ଜାମରେ ଫସି ଅନେକଙ୍କ ଜୀବନ ଯାଇଛି। ଯାହା ସୂଚନା ମିଳିଛି, ଗତ ୫ବର୍ଷ ମଧ୍ୟରେ ଏଭଳି ଅଘଟଣରେ ୫ଟି ଜୀବନ ଅକାଳରେ ଝଡ଼ି ପଡ଼ିଛି।
୨୦୧୫ ସେପ୍ଟେମ୍ବର ୨୭ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରମାନେ ଜାତୀୟ ରାଜପଥରେ ଗାଡ଼ିମଟର ବନ୍ଦ କରି ଆନ୍ଦୋଳନ କରୁଥିଲେ। ଯିଏ ସେମାନଙ୍କ କଥା ମାନୁ ନଥିବା ଲୋକଙ୍କୁ ଆକ୍ରମଣ କରିବା ସହ ଗାଡ଼ି ମଟର ଭଙ୍ଗାରୁଜା କରୁଥିଲେ। ଏହି ସମୟରେ ସୁମନ ଶର୍ମା ନାମକ ଜଣେ ମହିଳା ନିଜ କାର୍ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଚାଲି ଆସିଥିଲେ। ବିକ୍ଷୋଭ କରୁଥିବା କେତେକ ଛାତ୍ର ତାଙ୍କ ଆଡ଼କୁ ମାଡ଼ି ଆସିବାରୁ ଭୟଭୀତ ହୋଇ ସୁମନ କାର୍ ଭିତରେ ଚେତା ହରାଇଥିଲେ। କାର୍ ଭିତରୁ ଲକ୍ ହୋଇଯିବାରୁ ପୁଲିସ କାଚ ଭାଙ୍ଗି ସୁମନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ଉତ୍କଳ ବିଶ୍ବବିଦ୍ୟାଳୟର ଆନ୍ଦୋଳନ କରୁଥିବା ସେହି ଛାତ୍ର ଓ କମିସନରେଟ୍ ପୁଲିସକୁ ତୀବ୍ର ସମାଲୋଚନା କରାଯାଇଥିଲା। ପରବର୍ତୀ ସମୟରେ ସୁମନଙ୍କ ପରିବାରଲୋକ ରାଜ୍ୟ ମାନବାଧିକାର କମିସନ୍ଙ୍କ ନିକଟରେ ହାଜର ହୋଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଗଲା, ହୃଦ୍ଘାତ ଓ ବ୍ରେନ୍ଷ୍ଟ୍ରୋକ୍ କାରଣରୁ ସୁମନଙ୍କ ମୃତ୍ୟୁ ହୋଇଛି ବୋଲି। ସେହିପରି ୨୦୧୬ ମେ’ ୭ ତାରିଖରେ ଷ୍ଟେସନ୍ରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ହୋଇ ଲୋୟର୍ ପିଏମ୍ଜିକୁ ଏକ ବିଶାଳ ରୢାଲି ଯାଉଥିଲା। ପାଖାପାଖି ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ରାମ ମନ୍ଦିର ପଟୁ ରାମଗୋବିନ୍ଦ ସାହୁ(୫୭) ନାମକ ଜଣେ ବୟସ୍କ ବ୍ୟକ୍ତି ନିଜ ଘର ଅଶୋକ ନଗରକୁ ସାଇକେଲ ଯୋଗେ ଫେରୁଥିଲେ। କିନ୍ତୁ ରୢାଲି ଯାଉଥିବା କାରଣରୁ ତାଙ୍କୁ ଅଶୋକନଗର ପଟକୁ ଛଡ଼ା ଯାଇ ନଥିଲା। ଦୀର୍ଘ ୪୫ ମିନିଟ ପର୍ଯ୍ୟନ୍ତ ସେ ସେମିତି ରାସ୍ତା ଉପରେ ଖରାରେ ଅପେକ୍ଷା କରିଥିଲେ। ପରେ ସେ ରୢାଲି ପାରି ହେବା ପରେ ଅଶୋକନଗର ବାହାରିଥିଲେ। କିନ୍ତୁ ରୟାଲ ମିଡ୍ ଟାଉନ୍ ନିକଟରେ ସେ ସାଇକେଲରୁ ଗଳି ପଡ଼ିଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ୨୦୧୮ରେ ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ରୋଗୀକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଫସି ଯାଇଥିଲା। ଟ୍ରାଫିକ୍ରୁ ବାହାରି ନ ପାରିବାରୁ ରୋଗୀଙ୍କ ଜୀବନ ଯାଇଥିଲା। ୨୦୧୭ରେ ବି ମାଷ୍ଟରକ୍ୟାଣ୍ଟିନ୍ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଟ୍ରାଫିକ୍ରେ ଫସିବା ଯୋଗୁଁ ମହିଳାଜଣକ ଗାଡ଼ିରେ ପ୍ରସବ କରିଥିଲେ। ଏହା ପରେ ବି ଆମ୍ବୁଲାନ୍ସ ଲାଗି ବିକଳ୍ପ ବ୍ୟବସ୍ଥା ଚିନ୍ତା କରାଗଲା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dfhd8h7d9gh7d987h8fd9h4f65dh465f4h65sf4h65sf4h65sfhsfhsffffffffffff.jpg)