ଟ୍ରାଫିକ୍ ପରିଚାଳନା ତ୍ରୁଟି, ୯ ଘଣ୍ଟା ଏନ୍ଏଚ୍‌ ଅଚଳ

ଖଣ୍ତଗିରି: କମିସନରେଟ୍ ପୁଲିସର ଟ୍ରାଫିକ୍ ପରିଚାଳନା ତ୍ରୁଟି ଯୋଗୁଁ ଆଜି ୧୬ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ପଥଚାରୀ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ଯୋଗୁଁ ଏହି ଜାତୀୟ ରାଜପଥ ଏକ ପ୍ରକାର ଅଚଳ ହୋଇପଡ଼ିଥିଲା। ଫଳରେ ନିତିଦିନିଆ ବସ୍ ଯାତ୍ରୀ, ସ୍କୁଲ କଲେଜ ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ଅନ୍ୟମାନେ ଭିଡ଼ରେ ଫସି ନାକେଦମ୍ ହୋଇଛନ୍ତି। ବସ୍‌ଗୁଡ଼ିକ ୪/୫ ଘଣ୍ଟା ଲେଖାଏଁ ଅଟକି ରହିବାରୁ ଯାତ୍ରୀମାନେ ଭୋକ ଉପାସରେ ବସ୍ ଭିତରେ ଛଟପଟ ହୋଇଥିଲେ। ପାତ୍ରପଡ଼ା, ତମାଣ୍ଡୋ ଓ ଯାଁଳା ଆଦି ରାଜପଥ କଡ଼ ବଜାରଗୁଡ଼ିକରେ ମଧ୍ୟ ଟ୍ରାଫିକ୍ ଭିଡ଼ ପାଇଁ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ।

କଂଗ୍ରେସ ସମାବେଶ, ଗୋହିରା ଛକରେ ପୁଲିସକୁ ଠେଲିଦେଲେ
ଆଜି ମଧ୍ୟାହ୍ନ ୧୨ଟାବେଳକୁ ଜାତୀୟ ରାଜପଥରେ ଯାଁଳାରୁ ତମାଣ୍ଡୋ ଓ ଖଣ୍ତଗିରିରୁ ତମାଣ୍ଡୋ ଭାୟା ପାତ୍ରପଡ଼ା ରାଜପଥ ଜାମ୍ ହୋଇଯାଇଥିଲା। ଗୋହିରା କଟ୍‌ରେ ଟ୍ରାଫିକ୍ ପୁଲିସ ଖୋର୍ଧା ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ ବହୁତ ସମୟ ପର୍ଯ୍ୟନ୍ତ ଅଟକାଇବାରୁ ଉତ୍ତ୍ୟକ୍ତ ଲୋକେ ଟ୍ରାଫିକ୍ ପୁଲିସକୁ ଠେଲିଦେଇ ଗାଡ଼ି ଚଳାଇଲେ। ପୁଲିସ ସମାବେଶକୁ ଭଣ୍ତୁର କରିବା ପାଇଁ କର୍ମୀମାନଙ୍କ ଗାଡ଼ିକୁ ଜାଣିଶୁଣି ଅଟକାଇ ରଖୁଛି ବୋଲି ଅଭିଯୋଗ କରି ଲୋକେ ପୁଲିସକୁ ଠେଲି ଦେଇଥିଲେ। ଶେଷରେ ରେତଙ୍ଗ ଓ ଗୋହିରା କଟ୍‌ରେ ଟ୍ରାଫିକ୍ ପୁଲିସ ଏକ ପ୍ରକାର ଅସହାୟ ହୋଇ ହାତ ଟେକି ଦେଇଥିଲା।

ଖଣ୍ତଗିରିରୁ ଖୋର୍ଧା ୩ ଘଣ୍ଟା
ଖଣ୍ତଗିରିରୁ ଖୋର୍ଧାର ଦୂରତା ପ୍ରାୟ ୨୦ କିଲୋମିଟର। କିନ୍ତୁ ଆଜି ଏହି ଦୂରତା ଅତିକ୍ରମ କରିବାକୁ ଗାଡ଼ିଗୁଡ଼ିକୁ ୩ ଘଣ୍ଟା ସମୟ ଲାଗିଥିଲା। କିଛି ଗାଡ଼ିକୁ ଏହି ଦୂରତାକୁ ପ୍ରାୟ ୫ ଘଣ୍ଟା ବି ଲାଗିଛି। ତେବେ ସମାବେଶସ୍ଥଳକୁ ରାହୁଲ ଗାନ୍ଧୀ ଆସିବା ଓ ଯିବା ବେଳେ ଯେଉଁ ଗାଡ଼ିଗୁଡ଼ିକ ଯାଁଳାରୁ ପାତ୍ରପଡ଼ା ମଧ୍ୟରେ ଥିଲେ, ସେଗୁଡ଼ିକ ପ୍ରାୟ ଏତିକି ଦୂରତା(୫କିମି) ଅତିକ୍ରମ କରିବାକୁ ୨ ଘଣ୍ଟା ସମୟ ନେଇଛନ୍ତି। ସେହିପରି ସମାବେଶକୁ ଆସିଥିବା ବସ୍, ବୋଲେରୋ କାର୍ ଆଦି ଗାଡ଼ିଗୁଡ଼ିକ ବେଫିକର ଭାବେ ରାଜପଥକୁ ଅକ୍ତିଆର୍ କରିଥିଲେ ବି ପୁଲିସ ନିରବଦ୍ରଷ୍ଟା ସାଜିଥିଲା।

ଭକ୍ତଙ୍କୁ ଭାଷା ବଦଳାଇବାକୁ ପଡ଼ିଲା
ଆଜି ସମାବେଶରେ ଭକ୍ତ ଦାସ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ ହିନ୍ଦୀରେ। ଠିକ୍ ସେତିକିବେଳକୁ ମାଇକ୍ ସାଉଣ୍ତ କାମ କରୁ ନଥିଲା। ତେଣୁ ତାଙ୍କ ଭାଷଣ ଭଲଭାବେ ଶୁଣାଗଲା ନାହିଁ। ଜଣେ ଓଡ଼ିଆ ନେତା ହୋଇ ହିନ୍ଦୀରେ ଭାଷଣ ଦେଉଥିବାରୁ ଓ ଭଲଭାବେ ଶୁଣା ନ ଯିବାରୁ ଲୋକେ ରାଗରେ ପାଟି କରିବାକୁ ଲାଗିଲେ। ଲୋକଙ୍କ ରାଗ ଦେଖି ଶ୍ରୀ ଦାସ ଓଡ଼ିଆରେ କହିବାକୁ ଅରମ୍ଭ କରିଥିଲେ।

ଲୁଚେଇ ଲୁଚେଇ କାଳିଆ ବାର୍ତା ଖୋଜା
ଧାର୍ଯ୍ୟ ସମୟର ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ରାହୁଲ ଗାନ୍ଧୀ ସଭାସ୍ଥଳରେ ପହଞ୍ଚିଥିଲେ। ୨.୧୦ରେ ପହଞ୍ଚିବାକୁ ଧାର୍ଯ୍ୟ ହୋଇଥିଲେ ବି ରାହୁଲ୍ ପ୍ରାୟ ୪ଟା ପରେ ପହଞ୍ଚିଥିଲେ। ତେଣୁ ଲୋକେ ବିରକ୍ତଭାବ ପ୍ରକାଶ କରିଥିଲେ। କିନ୍ତୁ ଏତିକିବେଳେ ପ୍ରଚାର ହୋଇଗଲା ଯେ କାଳିଆ ଯୋଜନାରେ ମିଳିଥିବା ୫ ହଜାର ଟଙ୍କାର ବାର୍ତା ମୋବାଇଲ୍‌ରେ ଆସିଗଲାଣି। ତେଣୁ ବହୁ ଲୋକ ନିଜ ନିଜର ମୋବାଇଲ୍‌ରୁ କାଳିଆ ବାର୍ତା ଖୋଜିବାରେ ଲାଗି ପଡ଼ିଥିଲେ। ମଜାର କଥା ହେଉଛି, ବହୁତ ଲୋକ ନିଜ ମୋବାଇଲ୍‌ରୁ କାଳିଆ ବାର୍ତାକୁ ଲୁଚେଇ ଲୁଚେଇ ଦେଖୁଥିଲେ। କଂଗ୍ରେସ ସମାବେଶକୁ ଆସିଥିବାରୁ କାଳିଆ ଟଙ୍କା ପାଇଲେ କାଳେ କିଏ କ’ଣ ଭାବିବ ବୋଲି ସେମାନେ ଲୁଚେଇକରି ମୋବାଇଲ୍ ଦେଖୁଥିଲେ। ସବୁଠାରୁ ବଡ଼ ପରିତାପର କଥା ଥିଲା ଆମ୍ବୁଲାନ୍‌ସ ଫସି ରହିବା। ପ୍ରାୟ ୭ରୁ ଅଧିକ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍‌ସଗୁଡ଼ିକ ଆଜି ଘଣ୍ଟା ଘଣ୍ଟା ଧରି ଭିଡ଼ ଭିତରେ ଫସି ରହିଥିଲେ। ଆମ୍ବୁଲାନ୍‌ସରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ବଡ଼ ବିକଳ ହେଉଥିଲେ ବି କେହି ସେମାନଙ୍କ କଥା ଶୁଣିବା ଅବସ୍ଥାରେ ନଥିଲେ। ତେବେ ତମାଣ୍ଡୋ, କାଶୀପୁର ଆଦି ଗାଁର କିଛି ଯୁବକ ବଜାର ନିକଟରେ ଫସି ରହିଥିବା ଆମ୍ବୁଲାନ୍‌ସକୁ ବାଟ କଢ଼ାଇବାରେ ସାହାଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର