ଭୁବନେଶ୍ବର: ବ୍ୟସ୍ତବହୁଳ ରବି ଟକିଜ୍ ଛକରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏହି ଛକ ଦେଇ ଗଲେ ଟ୍ରାଫିକ୍ ଯନ୍ତ୍ରଣା ଭୋଗିବା ଥୟ। ଏଠି ଟ୍ରାଫିକ୍ ପୋଷ୍ଟ ଅଛି, ହେଲେ ସିଗ୍ନାଲ୍ ନାହିଁ। ଦାୟିତ୍ବରେ ରହୁଥିବା ଟ୍ରାଫିକ୍ ପୁଲିସ୍ଙ୍କ ଟ୍ରାଫିକ୍ ପରିଚାଳନା ସମସ୍ୟାକୁ ଦୂର କରିପାରୁନାହିଁ। ପ୍ରତି ମିନିଟ୍ରେ ଟ୍ରାଫିକ୍ ଛକ ଉପରେ ଗାଡ଼ି ସବୁ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି। ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ।
ରାଜଧାନୀର ଏକ ଗୁରୁତ୍ବପୂର୍ଣ୍ଣ ଛକ ହେଉଛି ରବିଟକିଜ୍ ଛକ। କାରଣ ପ୍ରତିଦିନ ଲକ୍ଷାଧିକ ଲୋକ ଏହି ଟ୍ରାଫିକ୍ ଦେଇ ଯାଇଥାନ୍ତି। ପୂର୍ବ ପଟେ ଟଙ୍କପାଣି, ବଡ଼ଗଡ଼, ବାଲିଅନ୍ତା ଅଞ୍ଚଳର ଲୋକ ଏହି ଟ୍ରାଫିକ୍ ଦେଇ ସହର ମଧ୍ୟକୁ ଆସିଥାନ୍ତି। ଦକ୍ଷିଣରେ ଶିଶୁପାଳଗଡ଼, ସାମନ୍ତରାପୁର, ଧଉଳି ଓ ପୁରୀରୁ ଆସୁଥିବା ଗାଡ଼ି ଏହି ଟ୍ରାଫିକ୍ର ସାମ୍ନା କରିଥାଏ। ଉତ୍ତରରେ କଟକ ରୋଡ୍, କଳ୍ପନା ଏବଂ ପଶ୍ଚିମରେ ପୁରୁଣା ଭୁବନେଶ୍ବର ଲୋକମାନେ ଏହି ଟ୍ରାଫିକ୍ ଦେଇ ଯାଆନ୍ତି। କିନ୍ତୁ ରବି ଟକିଜ୍ ଛକ ଟ୍ରାଫିକ୍କୁ ବ୍ୟବସ୍ଥିତ କରାଯାଇ ପାରିନାହିଁ। ପ୍ରଥମତଃ ଏହି ଛକରେ ଟ୍ରାଫିକ୍ ସିଗ୍ନାଲ୍ ଲଗାଯାଉନାହିଁ। ଟ୍ରାଫିକ୍ ପୋଷ୍ଟ ଉପରେ ଗାଡ଼ି ଚାଳକଙ୍କୁ ନିର୍ଦ୍ଦେଶ ଦେଉଥିବା ଟ୍ରାଫିକ୍ ପୁଲିସ କେବଳ ହାତ ହଲାଇ ଇସାରା କରୁଛନ୍ତି।
ଅନେକ ସମୟରେ ଟ୍ରାଫିକ୍ ପୁଲିସଙ୍କ ନିର୍ଦ୍ଦେଶକୁ ବୁଝିବାରେ ଗାଡ଼ି ଚାଳକ ଅକ୍ଷମ ହେଉଥିବା ଯୋଗୁଁ ପରିସ୍ଥିତି ଜଟିଳ ହେଉଛି। କଳ୍ପନା ପଟୁ ଆସୁଥିବା ଗାଡ଼ି ଏବଂ ଧଉଳି ପଟୁ ଆସୁଥିବା ଗାଡ଼ିକୁ ଏକ ସଙ୍ଗରେ ଛଡ଼ା ଯାଉଛି। ଫଳରେ କଳ୍ପନାରୁ ଆସି ପୁରୁଣା ଭୁବବନେଶ୍ବର ଯିବାକୁ ଥିବା ଗାଡ଼ି ଏବଂ ଧଉଳି ପଟୁ ଆସି ଟଙ୍କପାଣି ଛକ ଆଡକୁ ଯିବାକୁ ଥିବା ଗାଡ଼ି ଟ୍ରାଫିକ୍ ଉପରେ ଛିଡ଼ା ହୋଇରହୁଛି। ସେହିପରି ଟଙ୍କପାଣି ଏବଂ ପୁରୁଣା ଭୁବନେଶ୍ବର ଦୁଇ ପଟର ଗାଡ଼ିକୁ ଏକ ସଙ୍ଗେ ଛଡ଼ା ଯାଉଥିବାରୁ ଛକ ମଝିରେ ଜାମ୍ ହେଉଛି, ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି। ଏଠାରେ ଯଦି ଏକ ସମୟରେ ଗୋଟିଏ ପଟର ଗାଡ଼ି ଛଡ଼ା ଯିବ ତେବେ ସମସ୍ୟାର ସମାଧାନ ହେବା ସହ ଖୁବ୍ କମ୍ ସମୟରେ ଟ୍ରାଫିକ୍ ଫାଙ୍କା ହୋଇଯିବ। ହେଲେ ତାହା କରାଯାଉନାହିଁ।
ଅନ୍ୟପଟେ ବର୍ଷ ବର୍ଷ ଧରି ବିଜେବି ଜଲେଜ ସମ୍ମୁଖ ଓ କୋର୍ଟ ସମ୍ମୁଖ, ରାସ୍ତାର ଦୁଇ ପାଖରେ ରାସ୍ତା ଅଧାରୁ ଅଧିକ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରାଯାଉଛି। ଫଳରେ ପାନ୍ଥନିବାସଠାରୁ କଳ୍ପନା ଛକ ଯାଏ ଗାଡ଼ି ଚଳାଚଳ ମନ୍ଥର ହୋଇଯାଉଛି। ଅନେକ ସମୟ ଏତିକି ରାସ୍ତା ପାର୍ ହେବାକୁ ଅଧଘଣ୍ଟା ଲାଗିଯାଉଛି। ଯାହାର ସିଧାସଳଖ ପ୍ରଭାବ ରବି ଟକିଜ୍ ଟ୍ରାଫିକ୍ ଓ କଳ୍ପନା ଛକ ଟ୍ରାଫିକ୍ ଉପରେ ପଡ଼ୁଛି। ଏନେଇ ସଚେତନ ନାଗରିକ ବାରମ୍ବାର ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଲିଖିତ ଅଭିଯୋଗ କରୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। ବିଜେବି କଲେଜ୍ ସମ୍ମୁଖରେ ନିର୍ମାଣ ହେଉଥିବା ନୂତନ କୋର୍ଟ କାର୍ଯ୍ୟ ଶେଷ ହେଲେ ହୁଏତ ପାର୍କିଂ ସମସ୍ୟା କିଛି ପରିମାଣରେ ସମାଧାନ ହୋଇପାରନ୍ତା। ହେଲେ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ଭଳି ଅବଧି ଶେଷ ପରେ ବି କାମ ସରୁନାହିଁ।
ଏଥିସହ ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ଆଳରେ ରାସ୍ତାକୁ ସଙ୍କୁଚିତ କରାଯାଉଛି। ଠିକ୍ ସେମିତି କଟକରୁ ପୁରୀ ଯାଉଥିବା ବସ୍ ଗୁଡ଼ିକ କଟକ ରୋଡ୍ରେ ନଯାଇ ପୁରୀ ବାଇପାସ୍ ଦେଇ ଯିବା କଥା। ହେଲେ ଏବେବି କଟକ ରୋଡ୍ରେ ଶତାଧିକ ବସ୍ ଯାତାୟାତ କରୁଛି। ଫଳରେ ଏହି ରାସ୍ତାରେ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି। ଆଗକୁ ଆହୁରି ଭିଡ ବଢ଼ିବାର ସମ୍ଭାବନା ରହୁଛି। ତେଣୁ ତୁରନ୍ତ ଟ୍ରାଫିକ୍ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣାରେ ଦାବି ଜୋର୍ ଧରିଛି।