ଭୁବନେଶ୍ବର: ରାଜଧାନୀର ସବୁଠୁ ଅଧିକ ବ୍ୟସ୍ତବହୁଳ ଛକ ‘କଳ୍ପନା ଛକ’ରେ ଏବେ ସ୍ଥିତି ସଙ୍ଗିନ ହେଲାଣି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲାଗିଥିବା ସ୍ବୟଂଚାଳିତ ଟ୍ରାଫିକ୍ ସିଗନାଲ୍ ବ୍ୟବସ୍ଥା ଭିଡ଼ କମାଇବା ବଦଳରେ ବଢ଼ାଉଛି। ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବା ଭଳି ପରିସ୍ଥିତି ଉପୁଜୁଛି। ଏପରିକି କଳ୍ପନା ଛକରୁ ମ୍ୟୁଜିୟମ ଛକ ମଧ୍ୟରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି। କିନ୍ତୁ ନା ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ନା କମିସନରେଟ୍ ପୁଲିସ୍; କେହି ଏହି ଛକର ଅବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଉଛନ୍ତି।କଳ୍ପନା ଛକ ଓ ମ୍ୟୁଜିୟମ ଛକର ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ିବାରେ ମୁଖ୍ୟ ଖଳନାୟକ ସାଜିଛି ବିଏମ୍ସି। ବିଏମ୍ସି କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ଏବେ ଏହି ଅଞ୍ଚଳରେ ଗାଡ଼ି ଚଳାଇ ଯିବା କିମ୍ବା ରାସ୍ତା ଅତିକ୍ରମ କରିବା ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଗଲାଣି। କେବଳ ଏତିକି ନୁହେଁ, ବିଏମ୍ସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଆଉ କିଛି ଦିନ ମଧ୍ୟରେ ମ୍ୟୁଜିୟମ ଛକରୁ କଳ୍ପନା ଛକ ଅତିକ୍ରମ କରିବାକୁ ଲୋକଙ୍କୁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।
ପୁରୀ, କୋଣାର୍କ ପାର୍ଶ୍ବରୁ ଭୁବନେଶ୍ବରକୁ ଆସୁଥିବା ଏବଂ ଏଠାରୁ ଯାଉଥିବା ସମସ୍ତ ଗାଡ଼ି ମ୍ୟୁଜିୟମ୍ ଛକ ଓ କଳ୍ପନା ଛକ ହୋଇ ଯାଉଥିବା ବେଳେ ପୁରୁଣା ଭୁବନେଶ୍ବର ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ତେଣୁ ଏହି ରାସ୍ତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ଜମୁଛି। ହେଲେ ଏହି ରାସ୍ତାରେ ଉଠା ଦୋକାନ ଖୋଲିବାକୁ ବିଏମ୍ସି ବର୍ଷତମାମ୍ ଅନୁମତି ଦେଉଛି। ଏଠାରେ କେତେବେଳେ ଲସି ଦୋକାନ ତ କେତେବେଳେ ରାକ୍ଷୀ ଦୋକାନ, ଜୁସ୍ ଦୋକାନ ଖୋଲିବାକୁ ବିଏମ୍ସି ଅନୁମତି ଦେଉଛି। ବ୍ୟବସାୟୀମାନେ ଏଠାରେ ରାସ୍ତାକୁ ମାଡ଼ି ଦୋକାନ ଖୋଲୁଥିବାରୁ ଏବଂ ରାସ୍ତାରେ ଗାଡ଼ି ପାର୍କିଂ କରି ଲୋକ ଏଠାକୁ ଯାଉଥିବାରୁ ବିଭିନ୍ନ ସମୟରେ ଅଯଥା ଭିଡ଼ ଜମୁଛି। ବିଏମ୍ସି କିଛି ଉଠା ଦୋକାନୀଙ୍କୁ ଅନୁମତି ଦେଉଥିବାରୁ ଆଉ କିଛି ଏଠାରେ ବେଆଇନ ଭାବେ ଦୋକାନ ଖୋଲି ଦେଉଛନ୍ତି। ଏହାବାଦ୍ ଏହି ରାସ୍ତାରେ ବେଆଇନ ଭାବେ ଅଟୋ ଓ ଟ୍ୟାକ୍ସି ପାର୍କିଂ ହେଉଥିବାରୁ ଛକରେ ଅଯଥା ଭିଡ଼ ସୃଷ୍ଟି ହେଉଛି। ଏତିକି ଭିଡ଼ ଏବେ ରାଜଧାନୀକୁ ଆସୁଥିବା ଲୋକଙ୍କୁ ଅଣନିଶ୍ବାସୀ କରୁଥିବା ବେଳେ ଆଗକୁ ଏହା ଯନ୍ତ୍ରଣାଦାୟକ ହେବାକୁ ଯାଉଛି। କାରଣ ମ୍ୟୁଜିୟମ ଛକ ଉପରେ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ଉତ୍କଳ-କନିକା ଗ୍ୟାଲେରିଆ ମଲ୍। ମଲ୍ ବାହାରେ ସୌନ୍ଦର୍ଯ୍ୟକରଣ ନାମରେ ବହୁ ସରକାରୀ ଜମିକୁ ମଲ୍ କର୍ତ୍ତୃପକ୍ଷ ମାଡ଼ି ବସିଛନ୍ତି। ଯାହା ଏବେ କିଛି ମାତ୍ରାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ବେଳେ ଆଗକୁ ଏହା ବଡ଼ ସମସ୍ୟାର ରୂପ ନେବାକୁ ଯାଉଛି। କାରଣ ଛକରେ ୫୦ମିଟର ଆଗରେ ଯେଉଁଠି ରାସ୍ତା ଅଛି, ମଲ୍ ସାମ୍ନାରେ ସେତିକି ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଛି। ମ୍ୟୁଜିୟମ ଛକ ଭଳି ବ୍ୟସ୍ତବହୁଳ ସ୍ଥାନରେ ବିଏମ୍ସି କିପରି ସୌନ୍ଦର୍ଯ୍ୟକରଣ ପାଇଁ ଅନୁମତି ଦେଲା, ସେନେଇ ଏବେ ପ୍ରଶ୍ନ ଉଠିଲାଣି।
ଏନେଇ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମଲ୍ କର୍ତ୍ତୃପକ୍ଷ ସରକାରୀ ଜମିରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିଥିବା ଆମ ନଜରକୁ ଆସିଛି। ଏହା ଟ୍ରାଫିକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥିବାରୁ କିଛି ଦିନ ତଳେ ଏଠାରେ ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନର ଏବଂ ଇଞ୍ଜିନିୟରିଂ ଟିମ୍ ମିଳିତ ଭାବେ ମାପଚୁପ କରିଥିଲେ। ଏଥିରେ ଜଣାପଡ଼ିଥିଲା ଯେ ମଲ୍ କର୍ତ୍ତୃପକ୍ଷ ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ଯେତିକି ଅଞ୍ଚଳ ପାଇଁ ଅନୁମତି ନେଇଥିଲେ, ତା’ଠାରୁ ଅଧିକ ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ କରିଛନ୍ତି। ତେଣୁ ଏହାକୁ ଭାଙ୍ଗିବାକୁ ମଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ହୋଇଛି। ସେମାନେ ଯଦି ଖୁବ୍ ଶୀଘ୍ର ଏହାକୁ ନଭାଙ୍ଗିବେ ତେବେ ଜେଡ୍ଡିସି ଉଚ୍ଛେଦକାରୀ ଟିମ୍ ସହାୟତାରେ ଏହାକୁ ଭାଙ୍ଗିବେ। କମିସନର କହିଛନ୍ତି ଯେ ମଲ୍ କର୍ତ୍ତୃପକ୍ଷ ସରକାରୀ ଜମିରେ ସୌନ୍ଦର୍ଯ୍ୟକରଣ ପାଇଁ ୨୦୧୬-୧୭ରେ ବିଏମ୍ସିରୁ ଅନୁମତି ନେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଏହିଭଳି ବ୍ୟସ୍ତବହୁଳ ସ୍ଥାନରେ ବିଏମ୍ସି କର୍ତ୍ତୃପକ୍ଷ କିପରି ସରକାରୀ ଜମି ଉପରେ ସୌନ୍ଦର୍ଯ୍ୟକରଣ କରିବାକୁ ଏତେ ଜାଗା ଦେଲେ। ତାହା ପୁଣି ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନୁହେଁ, ବରଂ ମଲ୍ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ।
ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ମଲ୍ କର୍ତ୍ତୃପକ୍ଷଙ୍କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯେପରି ଏଠାରେ ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ହେବାକୁ ଥିବା ରାସ୍ତା ସମ୍ପ୍ରସାରଣରେ ବାଧକ ନ ସାଜିବ, ତାହାକୁ ନଜରରେ ରଖି କରିବାକୁ କୁହାଯାଇଛି। ହେଲେ ଏବେ ରାସ୍ତା ସମ୍ପ୍ରସାରଣରେ ଏହା ବାଧକ ସାଜିବ ବୋଲି ଜଳଜଳ ଦିଶୁଥିଲେ ହେଁ ଉଚ୍ଚପଦସ୍ଥ ଅଧିକାରୀ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ପୂର୍ତ୍ତ ବିଭାଗ ମଧ୍ୟ ଏନେଇ ବିଡିଏକୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି। ସେହିପରି ବିଡିଏ ମଧ୍ୟ ଏଠାରେ ସପିଂ ମଲ୍ ଖୋଲିବା ପାଇଁ କିପରି ପ୍ଲାନ୍ ଦେଲା ସେନେଇ ବିଡିଏ କର୍ତ୍ତୃପକ୍ଷଙ୍କ ଉପରେ ଆଙ୍ଗୁଠି ଉଠିଲାଣି। ମଲ୍ରୁ ବାହାରିବାକୁ ଥିବା ସମସ୍ତ ଗାଡ଼ି ଏହି ରାସ୍ତା ଦେଇ ମୁଖ୍ୟ ରାସ୍ତା ଉପରକୁ ଆସିବାକୁ ଥିବାରୁ ଅସମ୍ଭାଳ ଭିଡ଼ ପରିସ୍ଥିତି ସୃଷ୍ଟି ହେବ। ହେଲେ ବିଡିଏ କର୍ତ୍ତୃପକ୍ଷଙ୍କ ନଜରରେ ଏହା ପଡ଼ିଲାନି। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ମଲ୍ରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନଥିବା ନେଇ ଅଭିଯୋଗ ଆସିଥିଲା। ପୂର୍ବରୁ ଯେତିକି ପ୍ଲାନ୍ ଅନୁମୋଦନ ହୋଇଥିଲା, ତା’ଠାରୁ ଏଠାରେ ଅଧିକ ନିର୍ମାଣ ହୋଇଛି। ହେଲେ ସର୍ବକ୍ଷମା ଯୋଜନାରେ ଏହାକୁ ନିୟମିତ କରିବା ପାଇଁ କର୍ତ୍ତୃପକ୍ଷ ଆପାତତଃ ନିଷ୍ପତ୍ତି ନେଇଛନ୍ତି।