ବାଲିପାଟଣା: ବାଲିପାଟଣାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଶିଶୁଅନନ୍ତ ମଠ ରାସ୍ତା ଜବରଦଖଲକାରୀଙ୍କ କବ୍ଜାରେ ରହିଥିବା ନେଇ ଦୀର୍ଘ ବର୍ଷ ହେବ ଅଭିଯୋଗ ହୋଇଆସୁଛି। ରାସ୍ତା କଡ଼ରେ ବହୁ ସ୍ଥାୟୀ ଏବଂ ଅସ୍ଥାୟୀ ନିର୍ମାଣ ହୋଇଛି। ଫଳରେ ରାସ୍ତା ସଂକୁଚିତ ହୋଇ ଯାଇଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ମୁଖ୍ୟ ରାସ୍ତାର ଏଭଳି ସ୍ଥିତି ବହୁ ସମୟରେ ଦୁର୍ଘଟଣାର କାରଣ ହେଉଛି। ଅଥଚ ରାସ୍ତାରୁ ଜବରଦଖଲ ହଟା ଯାଉନାହିଁ କି ରାସ୍ତା ନବୀକରଣ କରା ଯାଉନାହିଁ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ସତ୍ତ୍ବେ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ବାଲିପାଟଣା-ଭିଙ୍ଗାରପୁରକୁ ଲମ୍ବିଥିବା ଏହି ମୁଖ୍ୟ ରାସ୍ତାର ମରାମତି ପାଇଁ ଗ୍ରାମ୍ୟ ଉନୟନ୍ନ ବିଭାଗ ତରଫରୁ ଟେଣ୍ଡର ହୋଇଥିଲା। ୨୦୧୯ ମସିହା ଅଗଷ୍ଟ ୨ ତାରିଖ ଟେଣ୍ଡର ହୋଇଥିଲା ଓ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା କାମ ସରିବ ବୋଲି ଧାର୍ଯ୍ୟ ହୋଇଥିଲା। ମାତ୍ର ଏବେ ଉକ୍ତ ଅବଧି ପୂରିଗଲାଣି। ରାସ୍ତାର କିଛି ଅଂଶରେ କାମ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏବେ ରାସ୍ତାଟି ଖାଲଖମାରେ ଭର୍ତି ହୋଇ ବିପଦ ସଂକୁଳ ଅବସ୍ଥାରେ ଅଛି। ଆମ୍ବୁଲାନ୍ସ, ପିସିଆର ଏବଂ ଅଗ୍ନିଶମ ଗାଡ଼ି ଯିବା ଆସିବା ସମୟରେ ସମସ୍ୟା ଉପୁଜୁଛି। ଏହି ରାସ୍ତା ଦେଇ ବାଲିପାଟଣା ଅଞ୍ଚଳର ବହୁ ସରକାରୀ ଅଫିସକୁ ଯିବାକୁ ହୁଏ। ସବ୍ରେଜେଷ୍ଟ୍ରି ଅଫିସଠାରୁ କଲେଜ ଛକ ପର୍ଯ୍ୟନ୍ତ ରାସ୍ତାର ୨ କଡ଼ ଜମିରେ ଲୋକେ ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ କରି କବ୍ଜା କରି ରଖିଛନ୍ତି। ମହାପୁରୁଷ ଶିଶୁଅନନ୍ତଙ୍କ ପର୍ଯ୍ୟଟନସ୍ଥଳୀକୁ ଏହି ରାସ୍ତାରେ ଯିବାକୁ ହୁଏ। ଏହା ବାଦ୍ ବ୍ଲକ୍, ଥାନା, ତହସିଲ, ଅଗ୍ନିଶମ ବିଭାଗ, ସବ୍ରେଜେଷ୍ଟ୍ରି ଅଫିସ, ବିଇଓ ଅଫିସ, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଶିଶୁ ଅନନ୍ତ ମହାବିଦ୍ୟାଳୟ, ବୁଦ୍ଧନାଥ ହାଇସ୍କୁଲ, ବାଳିକା ସ୍କୁଲ, ଗ୍ରାମ୍ୟ ଉନୟନ୍ନ ଅଫିସ, ବିଏସ୍ଏନ୍ଏଲ୍ ଅଫିସ, ମୁଖ୍ୟ ଡାକ ଘର, ଏକାଧିକ ବ୍ୟାଙ୍କ ଏପରି ଅନେକ ଗୁରତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଏହି ରାସ୍ତାରେ ରହିଛି। ସାପ୍ତାହିକ ହାଟକୁ ମଧ୍ୟ୍ୟ ଏହି ରାସ୍ତାରେ ଯିବାକୁ ପଡ଼େ। ବର୍ଷା ସମୟରେ ପଶୁ ଚିକିତ୍ସା କେନ୍ଦ୍ର ପାଣିରେ ବୁଡ଼ି ରହେ। ରାସ୍ତା ମରାମତି କାମ ବିଳମ୍ବିତ ହେଉଥିବାରୁ ଦିନକୁ ଦିନ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି।
ଏନେଇ ସ୍ଥାନୀୟ ଜନସାଧାରଣ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨୦୧୯ ଅକ୍ଟୋବର ୨୧ ତାରିଖ ଚିଠି ନମ୍ବର ୩୦୧୫ରେ ବାଲିପାଟଣା ତହସିଲକୁ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦେଶ ଆସିଥିଲା। ତତ୍କାଳୀନ ତହସିଲଦାର ବାଲିପାଟଣା ଏବଂ ବନମାଳିପୁର ଆର୍ଆଇଙ୍କୁ ଏ ବାବଦରେ ଜଣାଇଥିଲେ। ଅଥଚ ସବୁ କିଛି ସେମିତି ଫାଇଲ୍ ଭିତରେ ରୁନ୍ଧି ହୋଇ ରହିଛି। କାର୍ଯ୍ୟାନୁଷ୍ଠାନ ଶୂନ୍। ବାଲିପାଟଣା ତହସିଲଦାର ସୁନିତା ଜେନାଙ୍କ ସୂଚନା ଅନୁସାରେ କରୋନା କଟକଣା ଯୋଗୁଁ ଏହି କାର୍ଯ୍ୟରେ ବିଳମ୍ୱ ହୋଇଛି। ଖୁବ୍ ଶୀଘ୍ର ସ୍ଥାନୀୟ ଆର୍ଆଇଙ୍କୁ ରାସ୍ତା ମାପଚୁପ ପାଇଁ ଚିଠି କରାଯିବ। ପରେ ଜବରଦଖଲ ଉଚ୍ଛେଦ ହେବ ବୋଲି ଶ୍ରୀମତୀ ଜେନା କହିଛନ୍ତି। ରାସ୍ତା କାମରେ ନିୟୋଜିତ ଠିକା ସଂସ୍ଥାରୁ ମିଳିଥିବା ସୂଚନା ଅନୁସାରେ କୋଭିଡ୍ କଟକଣା ଏବଂ ବର୍ଷା ପାଇଁ କାମ ବିଳମ୍ବ ହୋଇଥିଲା ଓ ଖୁବ ଶୀଘ୍ର କାମ ପୁଣି ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/f87hsf9h79s8f798sfhfhsfhsfhsfhssfh.jpg)