ଟ୍ରାଫିକ୍‌ ବ୍ୟବସ୍ଥା ବିଗାଡ଼ୁଛି ବମିଖାଲ ଫ୍ଲାଏ ଓଭର

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା ସଜାଡ଼ିବାକୁ କମିସନରେଟ୍‌ ପୁଲିସ ଯେତିକି ଯୋଜନା କରୁଛି, ସ୍ଥିତି ସେତିକି ବିଗିଡ଼ି ବିଗିଡ଼ି ଯାଉଛି। ଆଜି ଶେଷ ରଜରେ ଭୁବନେଶ୍ବର ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ବି‌ଶେଷକରି ଏସ୍‌ପ୍ଲାନେଡ୍‌ ୱାନ ମଲ୍‌ ସାମ୍ନା ରାସ୍ତା ଘଣ୍ଟା ଘଣ୍ଟା ଧରି ଜାମ୍‌ ରହିଥିଲା। ରସୁଲଗଡ଼ରୁ ବମିଖାଲ ପର୍ଯ୍ୟନ୍ତ ଯିବା ରାସ୍ତା ଏକ ପ୍ରକାର ଫାଙ୍କା ଥିବା ବେଳେ ବମିଖାଲରୁ ରସୁଲଗଡ଼ ଆସୁଥିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ୩ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ରାସ୍ତାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

ଏସ୍‌ପ୍ଲାନେଡ୍‌ ଛକରେ ଜଣେ ଟ୍ରାଫିକ୍‌ କନଷ୍ଟେବଲ୍‌ଙ୍କ ସହ ଦୁଇ ଦୁଇ ଜଣ କନଷ୍ଟେବଲ୍‌ ଓ ହୋମ୍‌ଗାର୍ଡ ରହିଥିଲେ ମଧ୍ୟ ବିଗିଡ଼ା ସ୍ଥିତିକୁ ସଜାଡ଼ିବାରେ ଏକପ୍ରକାର ହାତ ଟେକି ଦେଇଛନ୍ତି। ବମିଖାଲ ଫ୍ଲାଏଓଭର ଏହି ଛକର ଟ୍ରାଫିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ପକାଉଛି। ଏହି ବ୍ରିଜ୍‌ ଦେଇ ଏସ୍‌ପ୍ଲାନେଡ୍‌ ପଟେ କେବଳ ଓହ୍ଲାଇବା ବ୍ୟବସ୍ଥା ହୋଇଥିବା ବେଳେ ଏହି ଲୋକ ଚଢ଼ି ଯାଉଛନ୍ତି। ଏସ୍‌ପ୍ଲାନେଡ୍‌ରୁ ବ୍ରିଜ୍‌ ଚଢ଼ିବା ପାଇଁ ଚାଳକ ଧାଡ଼ି ବାନ୍ଧିଥିବା ବେଳେ ବମିଖାଲରୁ ରସୁଲଗଡ଼ ଆସୁଥିବା ଚାଳକ ଅଟକି ରହୁଛନ୍ତି। ଯଦିଓ ବମିଖାଲ ଓଭରବ୍ରିଜ୍‌ ତଳ ଦେଇ ବୁଲି ଏସ୍‌ପ୍ଲାନେଡ୍‌ ଭିତରକୁ ଆସିବା ପାଇଁ ସିଧା ବାଟ ରହିଛି, ତଥାପି ବ୍ରିଜ୍‌ରୁ ଓହ୍ଲାଇ କେତେକ ଏସ୍‌ପ୍ଲାନେଡ୍‌ ଭିତରକୁ ଯାଉଥିବାରୁ ଆଉ କିଛି ରସୁଲଗଡ଼ ଆଡ଼ୁ ଆସି ରଙ୍ଗ୍‌ରେ ଏସ୍‌ପ୍ଲାନେଡ୍‌ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଛନ୍ତି। ଫଳରେ ଏହାକୁ ନେଇ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟ ଏକ ବଡ଼ ସମସ୍ୟା ହେଉଛି ଜବରଦଖଲ। ଏସ୍‌ପ୍ଲାନେଡ୍‌ କଡ଼ରେ ଶିଳ୍ପାଞ୍ଚଳ ଭିତରକୁ ପଶିବା ପାଇଁ ରାସ୍ତା ରହିଛି। ଏହି ରାସ୍ତାର ଉଭୟପାର୍ଶ୍ବ ଜବରଦଖଲ ରହିଛି। ସନ୍ଧ୍ୟାରେ ଏଠାରେ ଭିଡ଼ ବଢ଼ୁଥିବା ବେଳେ ଏସ୍‌ପ୍ଲାନେଡ୍‌ ମଲ୍‌ର ପ୍ରସ୍ଥାନ ରାସ୍ତା ଏହି ଦିଗକୁ ରହିଛି। ଫଳରେ ବିଭିନ୍ନ ପର୍ବପର୍ବାଣିରେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଛିଡ଼ା ହୋଇ ରହୁଛି। ସେହିଭଳି ଶିଳ୍ପାଞ୍ଚଳ ରାସ୍ତାରୁ ରସୁଲଗଡ଼ ପର୍ଯ୍ୟନ୍ତ ରାସ୍ତା ବାମ ପାର୍ଶ୍ବରେ ଜବର ଦଖଲ ବଢ଼ିଛି। ଠେଲା ଗାଡ଼ି ସହ କ୍ୟାବିନ୍‌ ପଡ଼ି ରାସ୍ତାକଡ଼ ଦଖଲ ହୋଇଛି। ସନ୍ଧ୍ୟାରେ ଗାଡ଼ି ପାର୍କିଂ କରି ଗ୍ରାହକ ଭିଡ଼ ଜମାଉଥିବାରୁ ଟ୍ରାଫିକ୍‌ ସ୍ଥିତି ଭୟଙ୍କର ହେଉଛି। ପର୍ବକୁ ଲକ୍ଷ୍ୟ କରି ଏଠାରେ କିଛି ଦିନ ହେବ ଦୁଇ ଜଣ ଟ୍ରାଫିକ୍‌ କର୍ମଚାରୀ ନିୟୋଜିତ କରାଯାଇଛି। ହେଲେ ସନ୍ଧ୍ୟାରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ୁଛି।

ସମ୍ବନ୍ଧିତ ଖବର