ଭୁବନେଶ୍ବର : ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ସହ ଜାମ୍ ହଟାଇବା ପାଇଁ କମିସନରେଟ୍ ପୁଲିସ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ରାଜଧାନୀବାସୀଙ୍କୁ କେତେ କ’ଣ ସ୍ବପ୍ନ ଦେଖାଇଲେ। ରାସ୍ତାରେ ଲୋକ ସୁରୁଖୁରୁରେ ଯାତାୟାତ କରିବେ। ଜାମ୍ ସମସ୍ୟା ଉପୁଜିବ ନାହିଁ। ଲୋକ ସମସ୍ୟାରେ ଫସିବେ ନାହିଁ। ଏଥିପାଇଁ ବିଶେଷଜ୍ଞ ଟିମ୍ ଗଠନ କରି ରୋଡ୍ ଇଂଜିନୟରିଂରେ ତ୍ରୁଟି ଠାରୁ ଆରମ୍ଭ କରି ଜାମ୍ହେଉ ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ। ସେଥିପାଇଁ କେତେକ ଛକକୁ ଭଙ୍ଗାଯାଇ ନୂଆ ଟ୍ରାଫିକ୍ ହେଲା। କେତେକ ସ୍ଥାନରରେ ସମ୍ପୂର୍ଣ୍ଣ ଟ୍ରାଫିକ୍ର ରୂପରେଖ ବଦଳିଲା। ସ୍ମାର୍ଟ ସିଟିରେ ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଗଲା। ଲୋକ ସ୍ବୟଂଚାଳିତ ଟ୍ରାଫିକ୍ରେ ନିଜକୁ ସାମିଲ୍ କଲେ। ସେମିତି ଟ୍ରାଫିକ୍ର ବାମପଟକୁ ମୁକ୍ତ ରଖିବା ପାଇଁ ନିୟମ ହେଲା। ନିୟମ ଉଲ୍ଲଂଘନକାରୀ ଜାମ ସ୍ଥିତି ସୃଷ୍ଟି କରୁଥିବାରୁ ସାବାଡ଼ ପାଇଁ ଛକଛକରେ କ୍ୟାମେରା ଲଗାଇଯାଇ ସେମାନଙ୍କୁ ଚିହ୍ନଟ କରି ଚାଲାଣ କଟିଲା। ଏମିତି କେତେ କ’ଣ ନିୟମ ବଦଳାଇଲେ; କାର୍ଯ୍ୟାନୁଷ୍ଠାନ ନେଲେ।
ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ରାଜଧାନୀର ଜାମ୍ ସ୍ଥିତିରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ଆସିଲା ନାହିଁ। ସ୍ଥିତି ଯାହା ଥିଲା ତାହା ଦିନକୁ ଦିନ ଆହୁରି ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ବରମୁଣ୍ଡାରୁ ଆରମ୍ଭ କରି ପଳାସୁଣୀ, ଏଜିରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, କଟକରୋଡ୍ରୁ କଳ୍ପନା ସହରର ଏମିତି କୌଣସି ରାସ୍ତା ନାହିଁ କି କୌଣସି ଗୋଟିଏ ଦିନ ନାହିଁ ଯେ, ବିନା ଜାମ୍ରେ ରାସ୍ତାରେ ଯାତାୟାତ କରିହେବ। ପ୍ରତିଦିନ ରାଜଧାନୀର ଜାମ୍ରେ ସ୍ଥିତିରେ ଫସି ଲୋକ ଅଣନିଶ୍ବାସୀ ହେଲେଣି। ତ୍ରାହି ତ୍ରାହି ଡାକିଲେଣି। ତେବେ ସକାଳ ୧୦ଟାରୁ ୧୨ଟା ଏବଂ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅସମ୍ଭାଳ ସ୍ଥିତି ଉପୁଜୁଛି। ରାସ୍ତାରେ ଗାଡ଼ିଗଡ଼ିବା କଷ୍ଟକର ହୋଇପଡ଼ୁଛି। ଗୋଟିଏ ଟ୍ରାଫିକ୍ରୁ ଅନ୍ୟ ଟ୍ରାଫିକ୍ ଅତିକ୍ରମ କରିବା ପାଇଁ ବହୁ ସମୟ କସରତ କରିବାକୁ ପଡ଼ୁଛି। ଆଜି ବାଣୀବିହାର ଓଭରବ୍ରିଜ୍ର ଜାମ୍ ଚିତ୍ର ଏହା ସ୍ପଷ୍ଟ ଭାବେ ବୟାନ କରୁଛି। ଅପରାହ୍ଣ ୫ଟା ସମୟରେ ସ୍ଥିତି ଏଭଳି ହୋଇଥିଲା ଯେ, ବାଣୀବିହାର ଓଭରବ୍ରିଜ୍ରୁ ପଳାସୁଣୀ ମଧ୍ୟରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍ ଲାଗିଥିଲା। ଅଧଘଣ୍ଟାଏରୁ ଊର୍ଧ୍ବ ସମୟ ଧରି ଗାଡ଼ି ଗଡ଼ିବା ଅସମ୍ଭବ ହୋଇପଡ଼ିଥିଲା।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ଏକ ଆମ୍ବୁଲାନ୍ସ ବି ଏଥିରେ ଫସିଯାଇଥିଲା। ସାଇରନ୍ ବଜାଇ ବହୁ ସମୟଧରି ଅଧାରାସ୍ତାରେ ଅଟକି ରହିଥିଲା। ଚାରିପଟେ ମାଳମାଳ ଗାଡ଼ି ଘେରି ରହିଥିବାରୁ ଆମ୍ବୁଲାନ୍ସକୁ ଜାମ୍ରୁ ବାହାରିବା ସେତେଟା ସହଜ ନଥିଲା। ବହୁ ସମୟ ପରେ ଟ୍ରାଫିକ୍ ପୁଲିସ ଆସି ସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଆମ୍ବୁଲାନ୍ସଟି ଜାମ୍ରୁ ବାହାରିଥିଲା। ତେବେ ଯେତେ ବ୍ୟବସ୍ଥିତ କରାଗଲେ ବି ବର୍ଷ ବର୍ଷ ହେବ ଏହି ସମସ୍ୟାରୁ ଲୋକ ବାହାରି ପାରୁନାହାନ୍ତି। ଟ୍ରାଫିକକୁ ନିୟନ୍ତ୍ରଣ ବ୍ୟବସ୍ଥିତ କରିବା ପାଇଁ ଟ୍ରାଫିକ୍ ଡିସିପି ରହିଲେ; ତାଙ୍କ ଅଧୀନରେ ଜଣେ ଏସିପି ଏବଂ ଦୁଇ ଦୁଇଟି ଥାନା ରହିଲା। ତଥାପି ବ୍ୟବସ୍ଥାରେ ପରିବର୍ତ୍ତନ ଆସିଲା ନାହିଁ। କେଉଁଠି ତ୍ରୁଟି ରହୁଛି? କାହିଁକି ସମସ୍ୟାର ସମାଧାନ ହେଉନି? କେବେ ରାଜଧାନୀବାସୀ ଏଥିରୁ ବର୍ତ୍ତିବେ? ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।