ପୁରୀ ବାଇପାସ୍ କୋଉ କାମକୁ: କଟକ ରୋଡ୍ରେ ରୁନ୍ଧାରୁନ୍ଧି, ବାଇପାସ୍ ଫାଙ୍କା
ମନଇଚ୍ଛା ଯାତ୍ରୀ ଉଠାଉଛନ୍ତି ଘରୋଇ ବସ୍, ସ୍ଥିତି ଜଟିଳ କରୁଛି ବେଆଇନ ପାର୍କିଂ
ଭୁବନେଶ୍ବର : ରାଜଧାନୀର ବହୁ ପୁରୁଣା ରାସ୍ତା କଟକ ରୋଡ୍ରୁ ଭିଡ଼ କମାଇବା ପାଇଁ ପୁରୀ-ବାଇପାସ୍ ରାସ୍ତା ତିଆରି ହେଲା। ହେଲେ ପ୍ରଶାସନ ଓ ପୁଲିସ୍ର ଅବହେଳା ଯୋଗୁଁ ଏ ରାସ୍ତାର ବିଶେଷ ଫାଇଦା ଉଠା ଯାଇପାରୁନାହିଁ। ଅପରପକ୍ଷେ କଟକ ରୋଡ୍ରେ ଅସମ୍ଭାଳ ଭିଡ଼ ପାଇଁ ରାଜଧାନୀବାସୀ ଯେଉଁ ସମସ୍ୟା ଭୋଗୁଥିଲେ, ତାହା ଏବେ ବି ଜାରି ରହିଛି। ଅପେକ୍ଷାକୃତ ଅଣଓସାରିଆ ଏହି ରାସ୍ତାରେ ପ୍ରତି ଦିନ ଉତ୍କଟ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ସକାଳେ ଓ ସନ୍ଧ୍ୟାରେ ଭିଡ଼ ଦ୍ବିଗୁଣିତ ହୋଇଯାଉଛି। ବାଇକ୍ ହେଉ କି କାର୍ ସବୁ ଗାଡ଼ିର ଚକଅଖ ଜାମ୍ ହୋଇଯାଇଛି। ଯିଏ ସେଇ ରାସ୍ତା ଦେଇ ଯାଉଛି ଭିଡ଼ରେ ଫସୁଛି। ବିଶେଷକରି ପୁରୀ-ଭୁବନେଶ୍ବର ଓ କଟକ ଯାତାୟାତ କରୁଥିବା ବସ୍ଗୁଡ଼ିକ ବେଶି ସମସ୍ୟା ସୃଷ୍ଟି କରୁଛନ୍ତି। ମନଇଚ୍ଛା ରାସ୍ତା ମଝିରେ ଗାଡ଼ି ରଖି ଯାତ୍ରୀ ଉଠାଉଛନ୍ତି। ଟ୍ରାଫିକ୍ ପୁଲିସ ସବୁ ଦେଖି ନିରବଦ୍ରଷ୍ଟା ସାଜୁଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।
ପରିବହନ ବିଭାଗ, ଟ୍ରାଫିକ୍ ପୁଲିସ, ବସ୍ ମାଲିକ ସଂଘ ନିରବ
ସୂଚନାନୁସାରେ, ରସୁଲଗଡ଼ରୁ କଳ୍ପନା ମାତ୍ର ୫ କିମି ରାସ୍ତା। ଏହି ରାସ୍ତାରେ ହଜାରେରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଏହାବ୍ୟତୀତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ, ଆବାସିକ ଗୃହ, ସପିଂ ମଲ୍, ବିବାହ ମଣ୍ଡପ, ଘରୋଇ ହସ୍ପିଟାଲ୍ ଆଦି ରହିଛି। ଏହାସହ ରସୁଲଗଡ଼, ବମିଖାଲ, ଝାରପଡ଼ା, ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ବର, ବଡ଼ଗଡ଼ ଆଦି ଅଞ୍ଚଳର ଲୋକମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ସେହିଭଳି ଭୁବନେଶ୍ବର ରେଳ ଷ୍ଟେସନ୍ର ଗୋଟେ ଫାଟକ ମଧ୍ୟ ଏହି ରାସ୍ତାରେ ଅଛି। ହେଲେ ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି। ରାସ୍ତାଟି ଅବହେଳିତ ଅବସ୍ଥାରେ ଅଛି। ବିଶେଷକରି ପ୍ରତ୍ୟେକ ଦିନ ରାସ୍ତାରେ ହେଉଥିବା ବେଆଇନ ପାର୍କିଂ ଓ ଜବରଦଖଲ ବେଶି ସମସ୍ୟା ସୃଷ୍ଟି କରୁଛି। ପ୍ରତିଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭୁବନେଶ୍ବର-ପୁରୀ ଓ କଟକ-ପୁରୀକୁ ୫ଶହରୁ ଊର୍ଦ୍ଧ୍ବ ବସ୍ ଯାତାୟାତ କରୁଛି। ଏହି ବସ୍ଗୁଡ଼ିକ ରାସ୍ତା ମଝିରେ ଗାଡ଼ି ରଖି ଯାତ୍ରୀ ଉଠେଇବା ଓ ଓହ୍ଲାଇବା କାରଣରୁ ବସ୍ ପଛରେ ଅନ୍ୟ ଗାଡ଼ିଗୁଡ଼ିକ ଛିଡ଼ା ହୋଇ ଲମ୍ବା ଜାମ୍ ସୃଷ୍ଟି କରୁଛନ୍ତି। ହେଲେ ଏଭଳି ସମସ୍ୟାର ମୂଲୋତ୍ପାଟନ ପାଇଁ ଟ୍ରାଫିକ୍ ଥାନା ପକ୍ଷରୁ କୌଣସି ବିଧିବଦ୍ଧ ବ୍ୟବସ୍ଥା କରାଯାଉନି। କିମ୍ବା ବିଏମ୍ସି ପକ୍ଷରୁ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ଶୃଙ୍ଖଳିତ କରାଯାଉନି। ସେହି ରାସ୍ତାରେ ଟ୍ରାଫିକ୍ ଜାମ୍ ଏକ ନିତିଦିନିଆ ଘଟଣା ହୋଇଯାଇଥିଲେ ହେଁ ପରିବହନ ବିଭାଗ, ଟ୍ରାଫିକ୍ ପୁଲିସ, ବସ୍ ମାଲିକ ସଂଘ ଓ ଅନ୍ୟାନ୍ୟ ଭାରୀଯାନ ସଂଘଗୁଡ଼ିକ ନିଜ ନିଜ ଭିତରେ ଆଲୋଚନା କରି କୌଣସି ଠୋସ୍ ପଦେକ୍ଷପ ଗ୍ରହଣ କରୁନାହାନ୍ତି।
ସୂଚନାଥାଉ କି, କଟକ ରୋଡ୍ ଟ୍ରାଫିକ୍ ସମସ୍ୟାକୁ କମାଇବା ପାଇଁ ପୁରୀ ବାଇପାସ୍ ନିର୍ମାଣ କରାଯାଇଥିଲା। ଭାରୀଯାନ ଓ ବଡ଼ ଗାଡ଼ି ସବୁ ସେହି ରାସ୍ତା ଦେଇ ଯାତାୟାତ ପାଇଁ ଯୋଜନା ହୋଇଥିଲା। ଏମିତିକି ଭୁବନେଶ୍ବର ସହରର ଭିତରେ ଭିଡ଼ କମାଇବା ପାଇଁ ସହର ବାହାରେ ବସ୍ ଓ ଟ୍ରକ୍ ଗୁଡ଼ିକ ପାର୍କିଂ କରିବା ପାଇଁ ପ୍ଲାନିଂ କରାଯାଇଥିଲା। ଏହାସହ ପାର୍କିଂକୁ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ ବିଏମ୍ସି ପକ୍ଷରୁ ଘରୋଇ ଜାଗାକୁ ଲିଜ୍ ସୂତ୍ରରେ ନେଇ ଉପଯୋଗ କରିବା ପାଇଁ ଆଲୋଚନା ମଧ୍ୟ ହୋଇଥିଲା। ହେଲେ ଏସବୁ କେବଳ ଆଲୋଚନା ଭିତରେ ସୀମିତ ରହିଲା। ଏହା ଭିତରୁ କୌଣସି ଗୋଟିଏ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ।
ଏ ସଂପର୍କରେ ଟ୍ରାଫିକ୍ ଏସିପି ସ୍ବସ୍ତିକ୍ ପଣ୍ଡା କହିଛନ୍ତି, ଭିଡ଼ କମାଇବା ପାଇଁ ଆମେ ଫାଲକନ୍ ହାଉସ୍ ଓ ପୁରୁଣା ଷ୍ଟେସନ୍ ବଜାରରେ ପୁଲିସ ମୁତୟନ କରିଛୁ। ଏହାସହ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ି ଗୁଡ଼ିକରୁ ମଧ୍ୟ ପ୍ରତିଦିନ ଫାଇନ୍ କାଟୁଛୁ। ମନଇଚ୍ଛା ଯାତ୍ରୀ ନ ଉଠାଇବା ପାଇଁ ବସ୍ ମାଲିକଙ୍କ ସହ ଆଲୋଚନା କରାଯାଇଛି। ଆଗାମୀ ଦିନରେ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ଲୋକଙ୍କ ସୁବିଧା ପାଇଁ ସହର ଭିତରେ ବସ୍ ଯାତାୟାତ କରୁଛି। ବାଇପାସ୍ରେ ବସ୍ ଯାତାୟାତ କଲେ ଲୋକମାନେ ବହୁତ ହଇରାଣ ହେବେ। ତେଣୁ ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ବି ପରିସ୍ଥିତିରେ ବାଇପାସ୍ରେ ବସ୍ ଯିବା ସମ୍ଭବ ନୁହେଁ। ବରଂ ଯେଉଁ କେତୋଟି ହାତଗଣତି ବସ୍ ବେଆଇନ ଭାବେ ରାସ୍ତା ମଝିରୁ ଯାତ୍ରୀ ଉଠାଉଛନ୍ତି ବୋଲି ଅଭିଯୋଗ ଆସୁଛି, ତାଙ୍କୁ ବାରଣ କରାଯିବ।