ଆଇଜି ପାର୍କ ନିକଟରେ ଟ୍ରାଫିକ୍‌ ସମସ୍ୟା : ଯେତିକି ସଜାଡ଼ିଲେ, ସେତିକି ବିଗାଡ଼ିଲେ

ଭୁବନେଶ୍ୱର : ଟ୍ରାଫିକ୍‌ ପୁଲିସ୍‌ର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ସହରର ଟ୍ରାଫିକ୍‌ ସମସ୍ୟା ଯେତିକି ସଜଡ଼ା ହେଉଛି ସେତିକି ବିଗିଡ଼ି ଯାଉଛି। ସହରର କେନ୍ଦ୍ରସ୍ଥଳୀ ତଥା ସମ୍ବେଦନଶୀଳ ଅଞ୍ଚଳ ଭାବେ ଜଣାଶୁଣା ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଏହିପରି ସମସ୍ୟା ଦେଖାଦେଇଛି। ଗୋଟିଏ ପଟ ରାସ୍ତାକୁ ସଜାଡ଼ିବାକୁ ଯାଇ ମୁଖ୍ୟ ରାସ୍ତାକୁ ପୁଲିସ୍‌ ଅବ୍ୟବସ୍ଥା ଭିତରକୁ ଠେଲି ଦେଇଛି।

ପାର୍କକୁ ପ୍ରବେଶ ପାଇଁ ଦୁଇଟି ଫାଟକ ରହିଛି। ଗୋଟିଏ ଜୟଦେବ ଭବନ ପଟେ ଓ ଅନ୍ୟଟି ପିଏମ୍‌ଜି ପଟେ। ପିଏମ୍‌ଜି ପଟ ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳ ହୋଇଥିବାରୁ ସେଠାରେ ଅସ୍ଥାୟୀ ଦୋକାନ ଖୋଲେ ନାହିଁ। କାଁ ଭାଁ ଦୋକାନ ଖୋଲେ। ଜୟଦେବ ଭବନ ପଟ ଫାଟକ ନିକଟରେ ବହୁ ସଂଖ୍ୟାରେ ଅସ୍ଥାୟୀ ଦୋକାନର ପସରା ଖୋଲେ। ପାର୍କକୁ ଆସିଥିବା ଲୋକମାନେ ସେଠାରୁ ଖାଇବା ଜିନିଷ କିଣନ୍ତି। ଗତ କିଛି ଦିନ ହେଲା ଜୟଦେବ ଭବନ ପାଖରେ ପୁଲିସ୍‌ ଦୁଇ ଥାକିଆ ବ୍ୟାରିକେଡ୍‌ କରିଛି। ଏଜି ଛକରେ ହେଲ୍‌ମେଟ୍‌ ଚେକିଂ ବେଳେ ଲୋକ ଏହି ରାସ୍ତାରେ ଖସିଯାଉଥିବାରୁ ପୁଲିସ୍‌ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ବ୍ୟାରିକେଡ୍‌ ଫଳରେ ସଚିବାଳୟ ମାର୍ଗ ପଟୁ କୌଣସି ଲୋକ ସେହି ରାସ୍ତାରେ ପାର୍କକୁ ଆସିପାରୁ ନାହାନ୍ତି। ପିଏମ୍‌ଜି ପଟେ ମୁଖ୍ୟ ଫାଟକ ପଟେ ଆସିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେଠାରେ ବହୁତ ଗହଳି ହେଉଛି। ଅସ୍ଥାୟୀ ଦୋକାନ ଯୋଗୁଁ ସମସ୍ୟା ଆହୁରି ଗୁରୁତର ହୋଇପଡ଼ୁଛି। ଜୟଦେବ ଭବନ ପଟେ ଗହଳି ଆଉ ନ ଥିବାରୁ ବହୁ ଦୋକାନୀ ପିଏମ୍‌ଜି ପଟେ ଦୋକାନ ଖୋଲିଛନ୍ତି। ପାର୍କକୁ ଆସୁଥିବା ଲୋକମାନେ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ସେହିଠାରେ ହିଁ ଭିଡ଼ ଜମାଉଛନ୍ତି। ଫଳରେ ସେଠାରେ ଗହଳି ହେବା ସହ ସନ୍ଧ୍ୟାରେ ଟ୍ରାଫିକ୍‌ ସମସ୍ୟା ବି ସୃଷ୍ଟି ହେଉଛି। ସମସ୍ୟା ଏତିକିରେ ଅଟକି ନାହିଁ। ସଚିବାଳୟ ମାର୍ଗ ଯିବାକୁ ଚାହୁଁଥିବା ୟୁନିଟ୍‌-୨ ବାସିନ୍ଦା ମଧ୍ୟ ହଇରାଣ ହେଉଛନ୍ତି। ଜୟଦେବ ଭବନ ପଟେ ବ୍ୟାରିକେଡ୍‌ ଥିବାରୁ ସେମାନଙ୍କୁ ବୁଲି ବୁଲି ଯିବାକୁ ପଡ଼ୁଛି। ପୁଲିସ୍‌ର ଏପରି ଅତର୍କିତ ପଦକ୍ଷେପ ଲୋକଙ୍କୁ ସମସ୍ୟାରେ ପକାଉଛି ବୋଲି ଅଭିଯୋଗ ହେଉଛି।

ଏ ସମ୍ପର୍କରେ ଟ୍ରାଫିକ୍‌ ଏସିପି ଅନୁପ କାନୁନଗୋ କହିଛନ୍ତି, କେବଳ ସଂଧ୍ୟା ସମୟରେ ମାତ୍ର ଦୁଇ ଘଣ୍ଟା ସେହି ରାସ୍ତାକୁ ବନ୍ଦ କରାଯାଉଛି। ଏହାର କାରଣ ସଚିବାଳୟ ପଟୁ ଓ  ଇନ୍ଦିରାଗାନ୍ଧୀ ପାର୍କ ପଟୁ ଗାଡ଼ିକୁ ସେଠାରେ ବୁଲାଇବା ବେଳେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର