ପଳାସୁଣୀରୁ ବାଣୀବିହାର : ବିପର୍ଯ୍ୟସ୍ତ ଟ୍ରାଫିକ୍‌, ବେପରୁଆ ଚାଳକ

ଭୁବନେଶ୍ୱର : ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବି‌ଶେଷକରି ଜାତୀୟ ରାଜପଥର ବାଣୀବିହାର ଛକରୁ ପଳାସୁଣୀ ଛକ ମରଣଯନ୍ତା ପାଲଟି ଯାଇଛି। ପ୍ରାୟ ପ୍ରତିଦିନ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଏପରିକି ଜୀବନ ଚାଲି ଯିବା ସହିତ ଏକାଧିକ ସାରା ଜୀବନ ପାଇଁ ପଙ୍ଗୁ ମଧ୍ୟ ହୋଇ ଯାଉଛନ୍ତି। ଜାତୀୟ ରାଜପଥରେ ଦ୍ରୁତଗତିରେ ଗାଡ଼ି ଚାଳନା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଦୁଇମାସ ଭିତରେ ଏଠାରେ ୧୫ରୁ ଊର୍ଦ୍ଧ୍ବ ଦୁର୍ଘଟଣା ଘଟିଥିବା ବେଳେ ପ୍ରତ୍ୟେକ ଦିନ ଟ୍ରାଫିକ୍‌ ଜାମ୍‌ ରହୁଛି। ପଳାଶୁଣୀ, ରସୁଲଗଡ଼ ଓ ବାଣୀବିହର ଛକ ପୂର୍ବରୁ ଓଭରବ୍ରିଜ୍‌ର ଉଭୟ ପାର୍ଶ୍ବରେ ପରିସ୍ଥିତି ଅଣାୟତ୍ତ ହୋଇଛି। ମାନବ ସମ୍ବଳ ଅଭାବରୁ ଟ୍ରାଫିକ୍‌ ନିୟନ୍ତ୍ରଣ ଅନେକ ସମୟରେ ଅସମ୍ଭବ ହେଉଥିବା ପୁଲିସ ବାହାନା କରିଛି। ବାସ୍ତବରେ ପରିଚାଳନାଗତ ତ୍ରୁଟି ଏପରି ଦୁର୍ଘଟଣାର ମୂଳ କାରଣ ହୋଇଛି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ସନ୍ଧ୍ୟାରେ ଏହି ସବୁ ଛକରେ ଅହେତୁକ ଭିଡ଼ ହେଉଛି। ଗୋଟିଏ ଗୋଟିଏ ଛକ ପାର ହେବାକୁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ସବୁଠାରୁ ବେଶି ସମସ୍ୟା ଏବେ ବାଣୀବିହାର ଓ ରସୁଲଗଡ଼ ଛକରେ ସୃଷ୍ଟି ହେଉଛି।

ରସୁଲଗଡ଼ ଛକ: ଏହି ଛକରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ଦୁଇଟି ରାସ୍ତା ରହିଛି। ଆଉ ଗୋଟିଏ ରାସ୍ତା ଜିଜିପି କଲୋନିକୁ ରହିଥିବା ବେଳେ ଗୋଟିଏ କଟକ ରୋଡ୍‌ ଓ ଗୋଟିଏ ବାଣୀବିହାରକୁ ରହିଛି। ଏଠାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଏକମାତ୍ର ହୋମ୍‌ଗାର୍ଡ ବା ବେଳେ ବେଳେ ଟ୍ରାଫିକ୍‌ କନ୍‌ଷ୍ଟେବଲ୍‌ କେବଳ କଟକରୋଡ୍‌କୁ ଯିବା ରାସ୍ତାରେ ଛିଡ଼ା ହେଉଛନ୍ତି। ଅନ୍ୟ ସବୁ ଛକ ଭିଡ଼ ନିୟନ୍ତ୍ରଣ ପାଇଁ କେହି ନାହାନ୍ତି। ଅନେକ ସମୟରେ ଛକ ଉପରେ ଛିଡ଼ା ହୋଇ ଜରିମାନା ଆଦାୟ କରୁଛି। ଫଳରେ ଆଇନ ଉଲ୍ଲଂଘନକାରୀ ଚାଳକ ରଙ୍ଗ୍‌ ରୁଟ୍‌ରେ ଯାଇ ମଞ୍ଚେଶ୍ବର ଥାନା ଆଡ଼କୁ ଯିବା ପାଇଁ ରହିଥିବା ମୁଖ୍ୟରାସ୍ତା(ଜାତୀୟ ରାଜପଥ) ଧରୁଛି। ଏହି ରଙ୍ଗ୍‌ ରୁଟ୍‌ ଡ୍ରାଇଭିଂ ପାଇଁ ଦୁର୍ଘଟଣା ଘଟୁଛି। ସେହିଭଳି ଟ୍ରାଫିକ୍‌ ପୁଲିସ ଛିଡ଼ା ହେଉଥିବା ଛକର ବିପରୀତ ଦିଗରେ ଭୁବନେଶ୍ବରରୁ ଯାଉଥିବା ସମସ୍ତ ବସ୍‌ ଛିଡ଼ା ହୋଇ ଯାତ୍ରୀ ଉଠାଉଛନ୍ତି। ଏହା ମଧ୍ୟ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହେଉଛି। ସେହିଭଳି ରସୁଲଗଡ଼ରୁ ଭିଏସ୍‌ଏସ୍‌ ନଗର ରାସ୍ତା ଧରିବାକୁ ସିଧା ରାସ୍ତା ନାହିଁ। ମଞ୍ଚେଶ୍ବର ଦେଇ ଯିବାକୁ ଅଧିକ ବାଟ ହେଉଥିବା ବେଳେ ବାଟରେ ଲେଭେଲ କ୍ରସିଂ ରହିଛି। ଏଣୁ ରସୁଲଗଡ଼ ଛକରୁ ଓଭରବ୍ରିଜ୍‌ କଡ଼ ଦେଇ ଅନେକ ଚାଳକ ରଙ୍ଗ୍‌ ରୁଟ୍‌ରେ ଯାଉଛନ୍ତି। ଏଥିପାଇଁ ମଧ୍ୟ ଦୁର୍ଘଟଣା ଘଟୁଛି।

ବାଣୀବିହାର ଓ ସତସଙ୍ଗ ମନ୍ଦିର ସମ୍ମୁଖ ଛକ: ରସୁଲଗଡ଼ ଓଭରବ୍ରିଜ୍‌ ପଳାସୁଣୀରୁ ଆରମ୍ଭ ହୋଇ ସତସଙ୍ଗ୍‌ ବିହାର ସାମ୍ନାରେ ଶେଷ ହୋଇଛି। ସତସଙ୍ଗ ବିହାର ସାମ୍ନାରେ ବ୍ରିଜ୍‌ର ଉଭୟପାର୍ଶ୍ବ ସମସ୍ୟାରେ ବୁଡ଼ି ରହିଛି। ବାଣୀବିହାର ପାର୍ଶ୍ବରେ ରହିଥିବା ବସ୍ତିକୁ ରଙ୍ଗ୍‌ରୁଟ୍‌ରେ ଯିବା ଆସିବା ଲାଗିଥାଏ। ସତ୍‌ସଙ୍ଗ ବିହାର ପାର୍ଶ୍ବରେ ରାଜପଥ କଡ଼ରେ ସନ୍ଧ୍ୟା ହେଲେ ମକା ବ୍ୟବସାୟୀଙ୍କର ଭିଡ଼ ଜମିଥାଏ। ରାସ୍ତା ଉପରେ ବାଇକ୍‌ ଓ କାର୍‌ ରଖି ଗ୍ରାହକମାାନେ ଘଣ୍ଟା ଘଣ୍ଟା ଧରି ମକା ଖାଇବା ଦେଖା ଯାଇଥାଏ। ଏଠାରେ ହିଁ ବାଣୀବିହାରରୁ କଟକ ଆଡ଼କୁ ଯାଉଥିବା ଯାନଗୁଡ଼ିକ ପାଇଁ ରସୁଲଗଡ଼ ଓଭରବ୍ରିଜ୍‌ ଚଢ଼ିବାକୁ ରାସ୍ତା ରହିଛି। ସତସଙ୍ଗ ବିହାରରୁ ବାଣୀବିହାର ଯିବା ପାଇଁ ସିଧା ରାସ୍ତା ନଥିବାରୁ ଓଭରବ୍ରିଜ୍‌ ତଳେ ରେଳଧାରଣା କଡ଼େ କଡ଼େ ଏକ ଅଣ୍ଡରପାସ୍‌ ନିର୍ମାଣ ହୋଇଛି। ହେଲେ ଏହାକୁ କେହି ବ୍ୟବହାର ନ କରି ସତସଙ୍ଗ ବିହାରଠାରୁ ସିଧା ବାଣୀବିହାର ରଙ୍ଗ୍‌ରୁଟ୍‌ରେ ଯାଉଥିବାରୁ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ତେବେ ଅଣ୍ଡରପାସ୍‌ ଅଘୋଷିତ ଡମ୍ପିଂୟାର୍ଡ ହୋଇଥିବାରୁ ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି। ଫଳରେ ଏହି ରାସ୍ତାରେ କେହି ଯିବାକୁ ରାଜି ହେଉ ନାହାନ୍ତି।

ପଳାସୁଣୀ ଛକ: ଓଭରବ୍ରିଜ୍‌ ନିର୍ମାଣ ପରେ ପଳାସୁଣୀ ଛକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହିଛି। ଗୋଟିଏ ପଟେ ପଳାସୁଣୀ ଗ୍ରାମ ଓ ହାଟକୁ ବାଟ ହୋଇଥିବା ବେଳେ ଆରପଟେ ମଞ୍ଚେଶ୍ବର ଭିତରକୁ ବାଟ ରହିଛି। କଟକରୁ ଆସୁଥିବା ସମସ୍ତ ବସ୍‌ ପଳାସୁଣୀ ପଟେ ରହି ଯାତ୍ରୀ ନେବା ଆଣିବା କରୁଛି। ଏକ ସମୟରେ ୫ଟି ବସ୍‌ ଛିଡ଼ା ହୋଇ ଯାତ୍ରୀ ଉଠାଉଛନ୍ତି। ଏହି ଛକରୁ ହିଁ ରସୁଲଗଡ଼ ଓଭରବ୍ରିଜ୍‌ ଦେଇ ବାଣୀବିହାର କିମ୍ବା ବରମୁଣ୍ଡା ଯିବା ପାଇଁ ବାଟ ରହିଛି। ଫଳରେ କଟକରୁ ଓଭରବ୍ରିଜ୍‌ ତଳେ ଯିବାକୁ ଚାହୁଥିବା ଗାଡ଼ି ଓ ଓଭରବ୍ରିଜ୍‌ ଉପରେ ଚଢ଼ିବାକୁ ଥିବା ଗାଡ଼ି ଏଠାରେ ମୁହାଁମୁହିଁ ହେଉଛନ୍ତି। ବସ୍‌ ଛିଡ଼ା ହୋଇଯିବା ଫଳରେ ଉଭୟ ଚାଳକ ପରସ୍ପରକୁ ଦେଖି ପାରୁ ନଥିବାରୁ ଦୁର୍ଘଟଣା ଘଟୁଛି। ଭାରୀଯାନ ପ୍ରବେଶ ଉପରେ କଟକଣା ନଥିବାରୁ ଏଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ପଳାସୁଣୀ ହାଟ ଦିନ ଏଠାରେ ସମସ୍ୟା ଦ୍ବିଗୁଣିତ ହେଉଛି। ଦୀର୍ଘଦିନ ଧରି ଏଭଳି ସମସ୍ୟା ଭୋଗିବା ପରେ ସ୍ଥାନୀୟ ବାସିନ୍ଦା ଏଠାରେ ଏକ ଫୁଟ୍‌ ଓଭର ବ୍ରିଜ୍‌ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର