ଜାଗର ପାଇଁ ଟ୍ରାଫିକ୍‌ କଟକଣା: ପର୍ଯ୍ୟଟକ ହନ୍ତସନ୍ତ, ଶୌଚାଳୟ ବିନା ଇଏ କି ସୌନ୍ଦର୍ଯ୍ୟକରଣ!

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ଉତ୍ସବ ଅବସରରେ ଯାନବାହାନ ଚଳାଚଳ ଉପରେ କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ମାଉସୀ ମା’ ପଟୁ ରଥରୋଡ୍‌କୁ ଆସୁଥିବା ୪ ଚକିଆ ଯାନଗୁଡିକୁ ମନ୍ଦିର ଆଡ଼କୁ ଛଡ଼ା ଯିବନାହିଁ। ଏହି ଯାନଗୁଡ଼ିକ ବିବେକାନନ୍ଦ ମାର୍ଗରେ ସାନିଟୋରିୟମ ଛକ ଓ କାଚରାପିଣ୍ଡି ଦେଇ କେଦାର ଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରିବେ। କିନ୍ତୁ ଭିଆଇପି ଗାଡ଼ିଗୁଡିକ ରଥରୋଡ୍‌ରେ ଯାଇ ତିନିମୁଣ୍ଡିଆ ଓ ବଢ଼େଇବାଙ୍କ ଛକରେ ପାର୍କିଂ କରିବେ।

ରବି ଟକିଜ୍‌ ପଟୁ ଆସୁଥିବା ୪ ଚକିଆ ଯାନ କାଚରାପିଣ୍ଡି ପର୍ଯ୍ୟନ୍ତ ଯାଇ ସେଠାରେ ପାର୍କିଂ କରିବେ। ଦୁଇ ଚକିଆ ଯାନଗୁଡ଼ିକ କାଚରାପିଣ୍ଡିରୁ କୋଟିତୀର୍ଥ ଗଳିର ବାମକୁ ଯାଇ ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ବରେ ପାର୍କିଂ କରିପାରିବେ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟରୁ ଆସୁଥିବା ସମସ୍ତ ଗାଡ଼ିଗୁଡିକୁ ଇଲେକ୍‌ଟ୍ରିକ୍‌ ସବ୍‌ଷ୍ଟେସନ୍‌ ଛକ ଦେଇ ବିଏମ୍‌ସି ମାର୍କେଟ ପାଖରେ ପାର୍କିଂ କରିବେ। କେଉଟସାହି ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ କେଦାରଗଳି ତାରିଣୀ ରିସର୍ଟ ଓ ଇଲେକ୍‌ଟ୍ରିକ୍‌ ସବ୍‌ଷ୍ଟେସନ୍‌ ଛକ ଦେଇ ବିଏମ୍‌ସିର ମାର୍କେଟ କମ୍ପେକ୍ସ ପାର୍କିଂସ୍ଥଳକୁ ଯିବେ। ଦକ୍ଷିଣକାଳୀ ମନ୍ଦିର ରାସ୍ତା ଓ ତାରାସୁନ୍ଦରୀ ରାସ୍ତା ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକୁ ଏସ୍‌ଏମ୍‌ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡ଼ିଆକୁ ଛଡ଼ାଯିବ। ପୁନାମା’ ଗେଟ୍‌ ପଟୁ ଆସୁଥିବା ୪ ଚକିଆ ଗାଡ଼ିକୁ ଜମ୍ବେଶ୍ବର ପାଟଣା ଛକ ଦେଇ ଆର୍‌ଆଇ ଅଫିସ୍‌ ପଡ଼ିଆରେ ପାର୍କିଂ କରିବେ ଓ ଦୁଇ ଚକିଆ ଯାନଗୁଡ଼ିକ ବଢ଼େଇବାଙ୍କ ଛକ ଦେଇ ଏସ୍‌ ଏମ୍‌ ହାଇସ୍କୁଲ ଓ ବି ଏମ୍‌ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ।

ରଥରୋଡ୍‌ରୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ବଢ଼େଇବାଙ୍କ ଦେଇ ଏସ୍‌ଏମ୍‌ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡିଆକୁ ଯିବେ। ଗ୍ୟାରେଜ୍‌ ଛକରୁ ଆସୁଥିବା ବସ୍‌ ସବୁ ଇଲେକ୍‌ଟ୍ରିକ୍‌ ସବ୍‌ଷ୍ଟେସନ୍‌ ଦେଇ ବିଏମ୍‌ସି ମାର୍କେଟ୍‌ କମ୍ପେକ୍ସ ପାର୍କିଂସ୍ଥଳକୁ ଯାଇପାରିବେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଯାନବାହାନ ଛଡ଼ାଯିବ ନାହିଁ। ହାଟସାହି ଛକରୁ ଭଜନ ମଣ୍ଡପ, ଭଜନ ମଣ୍ଡପଠାରୁ ବଢ଼େଇବାଙ୍କ ଓ ସିଂହଦ୍ୱାରଠାରୁ ଇଲେକ୍‌ଟ୍ରିକ୍‌ ସବ୍‌ଷ୍ଟେସନ୍‌ ବ୍ଲକିଙ୍ଗ ସ୍ଥାନ ପର୍ଯ୍ୟନ୍ତ ରାସ୍ତାକୁ ‘ପଦଚାରୀ ଜୋନ୍‌’ ଭାବରେ ଘୋଷଣା କରାଯାଇଛି। କେବଳ ଭିଆଇପି ଗାଡ଼ିଗୁଡ଼ିକ ଉତ୍ତର ଦ୍ବାର ସାମ୍ନାରେ ଥିବା ନିର୍ଦ୍ଧାରିତ ସ୍ଥାନରେ( ରଥ ଖଳା ଓ ବଢ଼େଇବାଙ୍କ ମଧ୍ୟରେ) ପାର୍କିଂ କରିବେ। ଏହି କଟକଣା ଜାଗର ପୂର୍ବ ରାତି ଅର୍ଥାତ୍‌ ବୁଧବାର ରାତି ୨ଟାରୁ ଗୁରୁବାର ରାତିରେ ମହାଦୀପ ଉଠିବା ପର୍ଯ୍ୟନ୍ତ ବଳବତ୍ତର ରହିବ।

ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ମାତ୍ର ପର୍ଯ୍ୟଟକମାନଙ୍କ ପାଇଁ ଶୌଚାଳୟ ଭଳି ଯେଉଁ ମୌଳିକ ସୁବିଧା ପ୍ରାଥମିକତା ପାଇବା କଥା, ତାହା ନାହିଁ। ଯେଉଁ କେତୋଟି ପାଇଖାନା ରହିଛି, ସେଗୁଡ଼ିକ କାମ କରୁନାହିଁ। ଶୌଚାଳୟ ନଥିବାରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ହନ୍ତସନ୍ତ ହେଉଛନ୍ତି। କୋଭିଡ୍‌ କଟକଣା କେହାଳ ହେବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପା‌ଇଖାନା ନ ଥିବାରୁ ସେମାନଙ୍କୁ ବାହାରେ ପରିସ୍ରା କରିବାକୁ ପଡ଼ୁଛି। ଫଳରେ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ପୁତିଗନ୍ଧମୟ ପରିବେଶରେ ହଜି ଯାଉଛି ।

ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦୁଇଟି ଶୌଚାଳୟ ଥିଲା। ସୌନ୍ଦର୍ଯ୍ୟୀକରଣ ଯୋଜନାରେ ସେଗୁଡ଼ିକୁ ଭାଙ୍ଗି ଦିଆଗଲା ଓ ତୁରନ୍ତ ଅସ୍ଥାୟୀ ଶୌଚାଳୟ କରାଯିବ ବୋଲି କୁହାଯାଇଥିଲା। ମାତ୍ର ବର୍ଷକ ଭିତରେ ଏହା ହୋଇପାରିଲା ନାହିଁ। ପରିସ୍ରାଗାର ନ ଥିବାରୁ ସାଧାରଣ ଶ୍ରଦ୍ଧାଳୁଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ପର୍ଯ୍ୟଟକ ଓ ସେବାୟତମାନେ ନାନା ସମସ୍ୟା ଭୋଗୁଛନ୍ତି। ଏବେ କରୋନା କଟକଣା କୋହଳ ହେବା ପରେ ବଢ଼େଇବାଙ୍କ ଛକଠାରୁ ନୂଆ ଲିଙ୍ଗରାଜ ମାର୍କେଟ ଓ କେଦାରଗୌରୀ ରାସ୍ତାରେ ପର୍ଯ୍ୟଟକଙ୍କ ଗାଡ଼ି ଲମ୍ବା ଧାଡ଼ିରେ ରହୁଛି। ଦିନକୁ ୫୦ରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ ବସ୍‌ ଓ ଶହ ଶହ କାର୍‌ ଆସୁଛି। ଏଗୁଡ଼ିକୁ ଲିଙ୍ଗରାଜ ମାର୍କେଟ ନିକଟରେ ପାର୍କିଂ କରାଯାଉଛି। ଲିଙ୍ଗରାଜ ମାର୍କେଟ ନିକଟରେ ଦୁଇଟି ଶୌଚାଳୟ ରହିଛି। ମାତ୍ର ସେଥିରୁ ଗୋଟିଏ ଅଚଳ ହୋଇ ପଡ଼ିଛି। ସେହିପରି ସେଠାରେ ଥିବା ଇ-ଟଏଲେଟ୍‌ଟି ମଧ୍ୟ କାର୍ଯ୍ୟ କରୁନାହିଁ। ଇ-ଟଏଲେଟ୍‌କୁ ପାଣି ସଂଯୋଗ ନାହିଁ କିମ୍ବା ଏହା ଉପରକୁ ଯିବା ପାଇଁ ସିଡ଼ି ଲାଗିନାହିଁ। ଫଳରେ ଲାଗିଥିବା ଦିନରୁ ଏହା ବ୍ୟବହାର ନହୋଇ ସେମିତି ଠିଆ ହୋଇ ରହିଛି ବୋଲି ଅଭିଯୋଗ ହେଉଛି।

ଏବେ ମହାଶିବରାତ୍ରୀ ଯାତ୍ରା ପାଇଁ ଏଠାରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଭିଡ଼ ଲଗାଇବେ। ତେଣୁ ସେମାନେ ବାହାରେ ପରିସ୍ରା କରି ଏହି ଅଞ୍ଚଳକୁ ଅଧିକ ଦୁର୍ଗନ୍ଧମୟ କରିବେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କଲେଣି। ଏନେଇ ସମାଜସେବୀ ରଶ୍ମୀ ମହାପାତ୍ର କୁହନ୍ତି ଯେ ସୌନ୍ଦର୍ଯ୍ୟୀକରଣ ନାଁରେ ଦୁଇଟି ପରିସ୍ରାଗାରକୁ ବିଏମ୍‌ସି ଭାଙ୍ଗି ଦେଲା। ଅଥଚ ଅସ୍ଥାୟୀ ପାଇଖାନାଟିଏ ବି କଲାନାହିଁ। ଫଳରେ ଲୋକେ ବାହାରେ ପରିସ୍ରା କରି ପରିବେଶକୁ ନଷ୍ଟ କରୁଛନ୍ତି। ତେଣୁ ଏହା କି ପ୍ରକାର ସୌନ୍ଦର୍ଯ୍ୟୀକରଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ ଅଧିକ ଇ-ଟଏଲେଟ୍‌ ଓ ଅସ୍ଥାୟୀ ଟଏଲେଟ୍‌ ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଉଛି ।

ସମ୍ବନ୍ଧିତ ଖବର