ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଟ୍ରାଫିକ୍‌ କଟକଣା: କୋଟିତୀର୍ଥରୁ ସିଦ୍ଧିମଣ୍ଡପ ଗଳି ୱାନ୍-ୱେ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଯେଭଳି ଜାମ ସ୍ଥିତି ନହୁଏ କିମ୍ବା ଜାମ୍‌କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ଉପରେ କମିସନରେଟ୍‌ ପୁଲିସ କଡ଼ା ନଜର ରଖିଛି। ରଥରୋଡ୍‌ ଏବଂ ପୁନମାଗେଟ୍‌ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ବଢ଼େଇବାଙ୍କ ଛକ (ସୁନା ମେଡିକାଲ ଷ୍ଟୋର)ଠାରୁ ଆଗକୁ ନଯାଇ ବିଏମ୍‌ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ।

ସେହିପରି କେଦାରଗୌରୀ ମନ୍ଦିର ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ କୋଟିତୀର୍ଥ ଗଳି ଦେଇ ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିପାରିବେ। ଏଥିପାଇଁ କୋଟିତୀର୍ଥ ଗଳିଠାରୁ ସିଦ୍ଧିମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ନିମନ୍ତେ ୱାନ୍-ୱେ କରାଯାଇଛି।

ବିବେକାନନ୍ଦ ମାର୍ଗ ସାନିଟୋରିୟମ୍‌ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି କାଚରା ପିଣ୍ଡି (କେଦାରଗୌରୀ ମନ୍ଦିର) ରାସ୍ତା ଭାୟା କୋଟି ତୀର୍ଥ ଗଳି ରାସ୍ତା ଦେଇ ବିଏମ୍‌ସି ନିଉ ମାର୍କେଟ କମ୍ପ୍ଲେକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିପାରିବେ। ଗ୍ୟାରେଜ ଛକ କିମ୍ବା ଶ୍ରୀରାମନଗର, ସାମନ୍ତରାପୁର ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ସବଷ୍ଟେସନ ଛକ ଠାରୁ ଆଗକୁ ନଯାଇ ବିଏମ୍‌ସି ନିଉ ମାର୍କେଟ କମ୍ପ୍ଲେକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିବେ।

କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ସବ୍‌ଷ୍ଟେସନ ଛକଠାରୁ କେଦାରଗୌରୀ ଗଳି ଦେଇ ବିଏମ୍‌ସି ନିଉ ମାର୍କେଟ କମ୍ପ୍ଲେକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିବେ। ତାରା ସୁନ୍ଦରୀ ରାସ୍ତାରେ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ବଢ଼େଇବାଙ୍କ ଛକକୁ ନଯାଇ ମୁନିସପାଲଟି ହସ୍ପିଟାଲ୍ କିମ୍ବା ବିଏମ୍‌ସି ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିବେ। ଆମନ୍ତ୍ରିତ ଅତିଥି/ସରକାରୀ କର୍ମଚାରୀଙ୍କ ଯାନବାହନ ରଥ ରୋଡରେ ଆସି ବଢ଼େଇବାଙ୍କ ଛକଠାରୁ ମୁନିସିପାଲ୍‌ଟି ହସ୍ପିଟାଲ୍ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂସ୍ଥାନକୁ ଯାଇପାରିବେ। ଉପରୋକ୍ତ ନିର୍ଦ୍ଦେଶନାମା ଆସନ୍ତା ମାର୍ଚ୍ଚ ୧ତାରିଖ ଦିନ ୨ ଘଟିକାଠାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଜନସମାଗମ ଅପସାରିତ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ।

ପାର୍କିଂ ସ୍ଥାନ

ସର୍ବସାଧାରଣ ପାର୍କିଂ: ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସ, ଅନନ୍ତ ବାସୁଦେବ ମନ୍ଦିର ପାର୍କିଂ (ଉତ୍ତର ଏବଂ ପଛ ପାର୍ଶ୍ବ ଏବଂ ବିଏମ୍‌ ହାଇସ୍କୁଲ ଖେଳ ପଡ଼ିଆ)

ପୁଲିସ/ସରକାରୀ ଯାନବାହନ: ଏସ୍‌ଏମ୍‌ ହାଇସ୍କୁଲ୍(ଉତ୍ତର ପାର୍ଶ୍ବ ପକ୍କା ଚଟାଣ)

ନିମନ୍ତ୍ରିତ ଅତିଥି: ବିଏମ୍‌ ହାଇସ୍କୁଲକୁ ଲାଗି ଥିବା ଦକ୍ଷିଣ ଦ୍ୱାର ସାମ୍ନାରେ

ସେବାୟତଙ୍କ ଗାଡ଼ି: ହାଟ ସାହି ବରଗଛ ଏବଂ ସିଂହଦ୍ବାରକୁ ଲାଗିକରି ବିଦ୍ୟୁତ ଖୁଣ୍ଟ ମଧ୍ୟରେ ଥିବା ପକ୍କା ଚଟାଣ

ଗଣମାଧ୍ୟମ: ସାପ୍ତାହିକ ହାଟକୁ ଲାଗି ଥିବା ସାମ୍ନା ସ୍ଥାନରେ ଚାରି ଚକିଆ ଓ ହାଟ ଭିତରେ ଦୁଇ ଚକିଆ ଯାନ ପାର୍କିଂ

ଜରୁରୀକାଳୀନ ଯାନବାହନ: କାଚରା ପଣ୍ଡି ଠାରୁ କେଦାରଗୌରୀ ମନ୍ଦିର ପର୍ଯ୍ୟନ୍ତ ଏକକ ଧାଡ଼ି ପାର୍କିଂ, କାଚରା ପିଣ୍ଡି (ବାମ ପାର୍ଶ୍ୱ)କୁ ଲାଗି ଥିବା କୋଟି ତୀର୍ଥ ଗଳିରେ ଥିବା ଖାଲି ସ୍ଥାନ

ସମ୍ବନ୍ଧିତ ଖବର