ପୁରୁଣା କମିସନରଙ୍କ ଗୋଟେ, ନୂଆ କମିସନରଙ୍କର ଆଉ ଗୋଟେ ନିୟମ

ରାଜଧାନୀରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ଆରମ୍ଭ ହେବା ବେଳେ ତତ୍କାଳୀନ ପୁଲିସ କମିସନର ଲେଫ୍ଟ-ଟର୍ଣ୍ଣ ନିୟମ ଉଠାଇଥିଲେ। ଏଥିରେ କୌଣସି ଛକରେ ବି ବାମ ପାର୍ଶ୍ବରେ ଯିବା ପାଇଁ ଟ୍ରାଫିକ ସିଗନାଲ୍‌କୁ ଅପେକ୍ଷା କରିବାକୁ ନିୟମ କରିଥିଲେ। ସେତେବେଳେ କମିସନରଙ୍କ ଯୁକ୍ତି ଥିଲା ଯେ ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ କରିବା ପାଇଁ ଲେଫ୍ଟ ଟର୍ଣ୍ଣ ବନ୍ଦ ହେବା ଦରକାର। କାରଣ ‌ବାମ ପାର୍ଶ୍ବରେ ଗାଡ଼ି ଅନବରତ ଚାଲିଲେ ପଥଚାରୀମାନେ ରାସ୍ତା ଅତିକ୍ରମ କରିପାରିବେନି। ଲୋକ ଫୁଟପାଥ୍‌ ଉପରେ ଛିଡ଼ା ହୋଇ ରାସ୍ତା ଅତିକ୍ରମ କରିବାକୁ ଅପେକ୍ଷା କରିଥାନ୍ତି। ଯଦି ଗାଡ଼ି ନ ଅଟକିବ ତେବେ ଦୁର୍ଘଟଣା ହେବ। ଲୋକ ରାସ୍ତା ଅତିକ୍ରମ କରିପାରିବେନି। ବିଭିନ୍ନ ଦେଶରେ ଏବଂ ଆମ ଦେଶର ପ୍ରାୟ ସମସ୍ତ ସହରରେ ଏହିଭଳି ଟ୍ରାଫିକ ବ୍ୟବସ୍ଥା ଥିବାରୁ ଟ୍ରାଫିକ ଛକରେ ଗୋଟିଏ ପାର୍ଶ୍ବରେ ଟ୍ରାଫିକ ସିଗନାଲ୍‌ ରେଡ୍‌ ଅଛି ମାନେ ସବୁ ଗାଡ଼ି ଅଟକିବା ଦରକାର ବୋଲି କହିଥିଲେ। ଏହାସହ ଲେନ୍ ଡ୍ରାଇଭିଂ ହେବା ଦରକାର ବୋଲି କହିଥିଲେ। ତତ୍କାଳୀନ କମିସନରଙ୍କ ନିୟମକୁ କାର୍ଯ୍ୟକାରୀ କରିବାକୁ ଯାଇ ସ୍ବୟଂଚାଳିତ ସିଗନାଲ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଥିଲା। ଆଉ କୌଣସି ସ୍ଥାନରେ ବି ବାମ ପାର୍ଶ୍ବରେ ଯିବାକୁ ଥିବା ଲୋକଙ୍କ ପାଇଁ ଗ୍ରିନ୍ ସିଗନାଲ୍‌ ରହିନଥିଲା। ଏନେଇ ବ୍ୟାପକ ସଚେତନ କରିବାକୁ ଆଲୋଚନା ହୋଇଥିଲେ ବି ଏହା ଆଜି ଯାଏଁ ହୋଇପାରିନି।

ଏପଟେ ନୂଆ କମିସନର କହିଛନ୍ତି ଯେ ଲେନ୍ ଡ୍ରାଇଭିଂକୁ ଲାଗୁ କରିବାକୁ ବାମ ପାର୍ଶ୍ବରେ ଗାଡ଼ି ଛାଡ଼ି ଦିଆଯିବ। ଯଦି ବାମ ପାର୍ଶ୍ବରେ ଗାଡ଼ି ଛଡ଼ାଯିବ, ତେବେ ପଥଚାରୀ କେମିତି ରାସ୍ତା ଅତିକ୍ରମ କରିବେ ବୋଲି ପ୍ରଶ୍ନ ଉଠିଲାଣି। ସବୁ ଦେଶରେ ଏବଂ ଅଧିକାଂଶ ସହର ଟ୍ରାଫିକ ବ୍ୟବସ୍ଥା ବ୍ୟବସ୍ଥିତ କରିବା ପାଇଁ ଲେଫ୍ଟ-ଟର୍ଣ୍ଣ ନିୟମ ରଖୁ ନଥିବାବେଳେ ଆମର ପୁଣି ଏଠାରେ ଲାଗୁ କରିବାକୁ ଯୋଜନା ହେଉଛି। ସୂଚନାଯୋଗ୍ୟ ‌ଯେ ଭାରତୀୟ ରୋଡ୍‌ କଂଗ୍ରେସ୍, ସ୍ମାର୍ଟ ସିଟି ଯୋଜନା ଏବଂ ବିଭିନ୍ନ ଆଇଆଇଟିର ସର୍ଭେ ଅନୁଯାୟୀ, ରାସ୍ତା ନିର୍ମାଣ ବେଳେ ପ୍ରଥମେ ପଥଚାରୀ, ତା’ପରେ ସାଇକେଲ୍‌ ଚାଳକ ଏବଂ ଶେଷରେ ଗାଡ଼ି ଚଳାଚଳକୁ ନଜରରେ ରଖି ‌ରାସ୍ତା ଡିଜାଇନ୍ ହେବା ଦରକାର। ଲେଫ୍ଟ ଟର୍ଣ୍ଣ ନରଖିଲେ ପ୍ରତି ଛକରେ ଯଦି ଫୁଟ୍‌ ଓଭରବ୍ରିଜ୍ ବା ଅନ୍ୟ କିଛି ବ୍ୟବସ୍ଥା କରାଯିବ, ତେବେ ପଥଚାରୀଙ୍କ ପାଇଁ କିଛି ସମସ୍ୟା ରହିବନି।

ଆଉ ରାସ୍ତା ମଝିରେ ଅଟୋ ଅଟକିବନି

ଲୋକ ଯେଉଁଠି ହାତ ଦେଖାଉଥିଲେ ‌କି ଯେଉଁଠି ଓହ୍ଲାଇବେ ବୋଲି କହୁଥିଲେ ସେଇଠି ଅଟୋ ଅଟକି ଯାଉଥିଲା। ପଛରୁ ଗାଡ଼ି ଆସି ବାଡ଼େଇ ହେଉ କି ନହେଉ ଅଧିକାଂଶ ଅଟୋ ଚାଳକ ଦେଖୁନଥିଲେ। ଫଳରେ ପ୍ରତିଦିନ ଏଭଳି ବହୁ ଦୁର୍ଘଟଣା ଘଟୁଛି। ଲୋକମାନେ ବି ଅଟୋରେ ବସିବା ପାଇଁ ଆଗ ପଛ, ବାମ ଡାହାଣ କିଛି ନଦେଖି ମାଡ଼ି ଯାଉଥିଲେ। ଫଳରେ ଦୁର୍ଘଟଣାର ଶିକାର ହେଉଥିଲେ। ତେଣୁ ବେପରୁଆ ଅଟୋଚାଳନା ଉପରେ ରୋକ୍ ଲଗାଇବାକୁ କମିସନରେଟ୍ ପୁଲିସ ନିଷ୍ପତ୍ତି ନେଇଛି। ଅଟୋ ଚାଳକଙ୍କୁ ସଚେତନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି।

ଟ୍ରାଫିକ ସମସ୍ୟା ହେଉଥିଲେ ପ୍ଲାନ୍ ଦେବାକୁ ମନା କରିବୁ

ପାର୍କିଂ ସମସ୍ୟା ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥାକୁ ବିଗାଡ଼ି ଦେଉଥିବାରୁ ଏହାକୁ ଗୁରୁତ୍ବର ସହ ନିଆଯାଇଛି। ଏଣୁ ରାଜଧାନୀରେ କୌଣସି ବହୁତଳ କୋଠା କିମ୍ବା ବ୍ୟବସାୟିକ କୋଠା ନିର୍ମାଣ ପୂର୍ବରୁ କମିସନରେଟ୍‌ ପୁଲିସଠାରୁ ଏନ୍‌ଓସିି ନେବା କଡ଼ାକଡ଼ି କରାଯିବ। ନିୟମ ଥିଲେ ବି ଅନେକ ସମୟରେ ଏହାକୁ ଲାଗୁ କରାଯାଉନି। ଏଣୁ ଆଗକୁ ପୂର୍ତ୍ତ, ବିଡିଏ, ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ପ୍ରତି ସପ୍ତାହରେ ନିୟମିତ ବୈଠକ ହେବ। କୋଠା ନିର୍ମାଣ ପାଇଁ ବିଡିଏ/ବିଏମ୍‌ସି ପ୍ଲାନ୍ ଅନୁମୋଦନ କରିବା ପୂର୍ବରୁ ଟ୍ରାଫିକ୍‌ ବ୍ୟବସ୍ଥା ନେଇ ପୁଲିସ ସହ ତର୍ଜମା କରିବେ। ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଲେ ଅନୁମତି ଦିଆଯିବ ନାହିଁ ବୋଲି କମିସନର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର