ହୁଗୁଳି ଗଲାଣି ଟ୍ରାଫିକ୍‌ ବ୍ୟବସ୍ଥା

କଟକ ରୋଡ୍‌ ନନ୍ଦନକାନନ ରାସ୍ତା ବେହାଲ

ଭୁବନେଶ୍ବର: ରାଜଧାନୀର କଟକ ରୋଡ୍‌, ଜନପଥ ଓ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଅଫିସ ଓ ସନ୍ଧ୍ୟା ସମୟରେ ପରିସ୍ଥିତି ସଂଗିନ ହୋଇପଡ଼ୁଛି। ବେଳେବେଳେ ପରିସ୍ଥିତି ଏପରି ହେଉଛି ଯେ ଢେର୍‌ ସମୟ ଧରି ଛକରେ ଅପେକ୍ଷା କରିବାକୁ ପଡ଼ୁଛି। କଟକ ରୋଡ୍‌ରେ ଓଭରବ୍ରିଜ୍‌ କାମ, ଜନପଥରେ ସ୍ମାର୍ଟ ସିଟି କାମ ଚାଲୁଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜୟଦେବ ବିହାର-ନନ୍ଦନକାନ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା କଟ୍ ପାଇଁ ଭିଡ଼ ପରିଲକ୍ଷିତ ହେଉଛି। ଟ୍ରାଫିକ୍ ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ବଦଳରେ କେବଳ ଏ ଛକରୁ ସେ ଛକ ସ୍ଥାନ ବଦଳାଇ ଜରିମାନା ଆଦାୟରେ ବ୍ୟସ୍ତ ରହୁଛି। ଯାହାକୁ ନେଇ ରାଜଧାନୀବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କଟକ ରୋଡ୍‌ ଏକ ବ୍ୟସ୍ତବହୁଳ ରାସ୍ତା। ଏହି ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାବସାୟିକ ପ୍ରତିଷ୍ଠାନ, ପ୍ରାଇଭେଟ୍‌ ପ୍ଲଟ୍‌ ଆଦି ରହିଛି। ଏଠାକୁ ଆସୁଥିବା ଅନେକ ଗ୍ରାହକ ଗାଡ଼ି ମୋଟର ରାସ୍ତା ଉପରେ ପାର୍କିଂ କରୁଛନ୍ତି। ଯିଏ ଯେଉଁଠି ପାରିଲା ଗାଡ଼ି ରଖି ଦେଉଛନ୍ତି। ଏହା ସାଙ୍ଗକୁ କଟକ ରୋଡ୍‌ ସାରା ଉଠା ଦୋକାନ। ନା ଏମାନଙ୍କ ଉପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ଟ୍ରାଫିକ୍ ପୁଲିସ। ଏହା ସାଙ୍ଗକୁ ବମିଖାଲ ଓଭରବ୍ରିଜ୍‌ କାମ ଉପରେ ବୋଝ ଉପରେ ଲଳିତା ବିଡ଼ା ଭଳି ହୋଇଛି। ରସୁଲଗଡ଼ ଶିଳ୍ପାଞ୍ଚଳ ଛକରୁ ଟ୍ରାଫିକ୍ ଜାମ ରହୁଛି ଝାରପଡ଼ା ଓଭରବ୍ରିଜ ଯାଏ। ପୁଣି ଥରେ ଲକ୍ଷ୍ମୀସାଗର ଛକରୁ ରବି ଟକିଜ ଛକ ପର୍ଯ୍ୟନ୍ତ ଭିଡ। ଜଣେ ରସୁଲଗଡ଼ ଛକରୁ ବାହାରି ରବି ଟକିଜ ଛକରେ ପହଞ୍ଚିବାକୁ ପାଖାପାଖି ଘଣ୍ଟାଏ ଲାଗୁଛି। କଟକରୋଡ ପାଇଁ ରସୁଲଗଡ଼ଠାରୁ ଆରମ୍ଭ କରି ବମିଖାଲ, ଲକ୍ଷ୍ମୀସାଗର, ଝାରପଡ଼ା, ବୁଦ୍ଧନଗର, ଚିନ୍ତାମଣିଶ୍ବର ଅଞ୍ଚଳ, କଳ୍ପନା, ବିଜେବିନଗର, ପୁରୁଣା ଭୁବନେଶ୍ବର, ବଡ଼ଗଡ଼ ଆଦି ଅଞ୍ଚଳର ବାସିନ୍ଦା ପ୍ରତ୍ୟେକ ଦିନ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ରାଜଧାନୀର ଆଉ ଏକ ପ୍ରମୁଖ ରାସ୍ତା ଜନପଥ। ଜନପଥର ସତ୍ୟନଗର ମଶାଣି ଛକରୁ ଶିଶୁଭବନ ଛକ ଟ୍ରାଫିକ୍ ଅବସ୍ଥା ଜଟିଳ ହୋଇ ପଡ଼ିଛି। ସ୍ମାର୍ଟସିଟି କାମ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ‌ହୋଇଛି। ରାସ୍ତାର ଉଭୟ ପାର୍ଶ୍ବ ମନଇଚ୍ଛା ଖୋଳା ଯାଇଥିବାରୁ ଜନପଥ ରାସ୍ତା ସଂଙ୍କୁଚିତ ହୋଇଯାଇଛି। କଟକ ରୋଡ୍‌ ଭଳି ଏହି ରାସ୍ତାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ସପିଂ ମଲ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ରହିଛି। ଏଠାକୁ ମଧ୍ୟ ଆସୁଥିବା ଗ୍ରାହକମାନେ ମନଇଚ୍ଛା ଗାଡ଼ି ମୋଟର ପାର୍କିଂ କରୁଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା ଅବରୋଧ କରାଯାଇ କାର୍‌ ପାର୍କିଂ କରାଯାଉଛି। କଟକ ରୋଡ୍‌ ଭଳି ଏହି ରାସ୍ତାରେ ଉଠା ଦୋକାନ ମଧ୍ୟ ମାଳମାଳ। ଜନପଥରେ ସୃଷ୍ଟି ହେଉଥିବା ଟ୍ରାଫିକ ଜାମର ପ୍ରଭାବ ରାଜଧାନୀର ଅଧାରୁ ଅଧିକ ଲୋକଙ୍କ ଉପରେ ପଡ଼ୁଛି।

ରାଜଧାନୀର ଆଉ ଏକ ଗହଳିରାସ୍ତା ହେଉଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତା। ଏହି ରାସ୍ତା ଏବେ କଟକ-ଭୁବନେଶ୍ବର ମଧ୍ୟରେ ପ୍ରମୁଖ ରାସ୍ତା ପାଲଟିଛି। ଏହି ଅଞ୍ଚଳକୁ ଭୁବନେଶ୍ବର(୨) ମଧ୍ୟ କୁହଯାଇଥାଏ। କିନ୍ତୁ ଏହି ରାସ୍ତାରେ ବିଭିନ୍ନ କଟ୍ କାରଣରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ବେଆଇନ ଭାବେ ଭାରୀଯାନ ମଧ୍ୟ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି। ଏହି କାରଣରୁ ଏହି ରାସ୍ତାରେ ବିଭିନ୍ନ ସମୟରେ ସିରିଜ୍‌ ଦୁଘର୍ଟଣା ଘଟୁଛି। ଏହି ରାସ୍ତାରେ ମଧ୍ୟ ଯେଉଁଠି ପାରିଲେ ଉଠା ଦୋକାନୀ ବସିଲେ, ଯିଏ ଯେଉଁଠି ପାରିଲା କାର ଓ ବାଇକ୍‌ ପାର୍କି˚ କଲା। ଟ୍ରାଫିକ୍‌ ନିୟମକୁ ବି ବେଖାତିର କରୁଛନ୍ତି ବାଇକ୍‌ ଓ କାର ଚାଳକ। ରାଜଧାନୀର ଏହି ୩ଟି ରାସ୍ତାକୁ ଦେଖିଲେ ଜଣାପଡ଼ୁଛି ସହରରେ ଯେମିତି ଟ୍ରାଫିକ୍‌ ପୁଲିସ ନାହିଁ। ପ୍ରତ୍ୟେକ ଛକରେ ଦୁଇ ଜଣ ଟ୍ରାଫିକ୍‌ କନଷ୍ଟେବଲଙ୍କୁ ଡ୍ୟୁଟି ଦିଆଯାଉଛି। ଜଣେ ପୋଷ୍ଟରେ ଠିଆ ହୋଇ ସିଗନାଲ୍‌ ଦେଉଥିବା ବେଳେ ଅନ୍ୟ ଜଣେ ଗାଡ଼ିଗୁଡ଼ିକୁ ସୂଚାରୁ ଢ଼ଙ୍ଗରେ ଛାଡ଼ିବା ବ୍ୟବସ୍ଥା କରିବ। କିନ୍ତୁ ଏବେ ବିଭିନ୍ନ ଛକରେ ଦେଖିବାକୁ ମିଳୁଛି, ଜଣେ ଟ୍ରାଫିକ୍ କନ୍‌ଷ୍ଟେବଲ୍‌ ଥିବା ବେଳେ ଅନ୍ୟ ଜଣେ କେଉଁ ବାଇକ୍‌ ଉପରେ ବସି ମୋବାଇଲ୍‌ରେ ଭିଡିଓ ଗେମ୍‌ରେ ମାତି ଥିବେ। ସେହିପରି ରାଜଧାନୀର ସଚଳ ଥିବା ଏକାଧିକ ଅଟୋମେଟିକ୍‌ ଟ୍ରାଫିକ୍‌ ସିଗନାଲ୍‌ ପଏଣ୍ଟକୁ ଜାଣିଶୁଣି ଡ୍ୟୁଟି କରୁଥିବା ଟ୍ରାଫିକ୍‌ କନ୍‌ଷ୍ଟେବଲ୍‌ମାନେ ବନ୍ଦ କରି ଦେଇଛନ୍ତି। ଗୋଟିଏ ପଟରେ ଥିବା ଗାଡ଼ି ମୋଟର ସ˚ପୂର୍ଣ ଭାବେ କ୍ଲିଅର ହେବା ପରେ ଅନ୍ୟପଟ ଗାଡ଼ିକୁ ଛଡ଼ା ଯାଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ସପି˚ ମଲ, ଜୁଏଲାରି ଦୋକାନ ଓ ବିଶେଷକରି ଜନପଥରେ କେତେକ ନିର୍ଦିଷ୍ଟ ଦୋକାନ ଆଗରେ ୩ ଥାକରେ ବେଆଇନ୍‌ ପାର୍କିଂ ହେଉଛି। ମାତ୍ର ସେଠାରେ ଟ୍ରାଫିକ୍‌ ପୁଲିସ ଚଢ଼ଉ କରୁନାହିଁ। ଏ ସମ୍ପର୍କରେ ଏସିପି ଅନୁପ ସାହୁ କହିଛନ୍ତି, କଟକ ରୋଡ୍‌ରେ ବମିଖାଲ ଓଭରବ୍ରିଜ୍‌ କାମ ତିଆରି ଚାଲୁଥିବା ସେହି ସ୍ଥାନରେ ଗୋଟିଏ ରାସ୍ତାରେ ଗାଡ଼ି ମୋଟର ଯିବା ଆସିବା କରୁଛି। ତେଣୁ ସେହି ରାସ୍ତା ଜାମ ରହୁଛି। ସେହିପରି ଜନପଥରେ କାମ ଚାଲୁଥିବା କାରଣରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତେବେ ଗତକାଲି ବେଆଇନ ପାର୍କିଂ ଉପରେ ଚଢ଼ଉ କରାଯାଇ ୧୫ଜଣ କାର ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ତେବେ ଜୟଦେବିହାର- ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଲାଗି ରହିବ। ଯେଉଁ ସବୁ ସ୍ଥାନରେ ବେଆଇନ କଟ୍‌ ରହିଛି, ସେଗୁଡ଼ିକୁ ବନ୍ଦ କରିବାକୁ ଯୋଜନା ହେଉଛି।

ସମ୍ବନ୍ଧିତ ଖବର