ରାଜଧାନୀରେ ଟ୍ରାଫିକ୍‌ ହୁଗୁଳା

ଗୃହରକ୍ଷୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ

ଭୁବନେଶ୍ୱର(ହିତେଶ ନାୟକ): ଦୁଇ ଦିନ ହେଲା ୭ ଦଫା ଦାବିରେ କାର୍ଯ୍ୟ ବନ୍ଦ କରି ରାଜଧାନୀର ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି ରାଜ୍ୟର ୧୭ ହଜାରରୁ ଊର୍ଧ୍ୱ ଗୃହରକ୍ଷୀ। ଫଳରେ ସାରା ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷ କରି ଏହାର ପ୍ରଭାବରେ ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି।

ଆଜି ବରମୁଣ୍ଡା, ରସୁଲଗଡ଼, ବାଣୀବିହାର, ଏୟାରପୋର୍ଟ, ରସୁଲଗଡ଼, କଳ୍ପନା ଛକ ଆଦି ଟ୍ରାଫିକ୍‌ ପୋଷ୍ଟଗୁଡ଼ିକରେ ଟ୍ରାଫିକ୍‌ ପୁଲିସ କର୍ମଚାରୀ ଥିଲେ ହେଁ ଗୃହରକ୍ଷୀ ନ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପ୍ରଭାବିତ ହୋଇଥିବା ପରିଲକ୍ଷିତ ହୋଇଥିଲା। ପୂର୍ବରୁ ରାଜଧାନୀର ଅତି ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ୍‌ରେ ୪ଜଣ ଜଣ ଲେଖାଏଁ କର୍ମଚାରୀ ରହୁଥିବା ବେଳେ ଆଜି କେତେକ ସ୍ଥାନରେ ଜଣେ ବା ଦୁଇଜଣ ଟ୍ରାଫିକ୍‌ ପୁଲିସ ପରିଚାଳନା କରୁଥିଲେ। କେତେକ ଟ୍ରାଫିକ୍‌ରେ ଜଣେ ବି ହେଲେ କର୍ମଚାରୀ ନଥିଲେ। ଫଳରେ ଯିଏ ଯୁଆଡ଼େ ପାରିଥିଲେ ଗାଡ଼ି ଚଳାଇ ମାଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଏହି କାରଣରୁ କେତେକ ସ୍ଥନାରେ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟିଥିଲା। ସେହିପରି ଗୃହରକ୍ଷୀମାନେ ନଥିବାରୁ ପିସିଆର ଭ୍ୟାନ୍‌ରେ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିବାରୁ ରାଜଧାନୀରେ ସୁରକ୍ଷାକୁ ନେଇ ପୁଲିସର ଚିନ୍ତା ବଢ଼ିଛି। ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ଅଧିକ ବିପର୍ଯ୍ୟସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଅନିଶ୍ଚିତତାରେ ଗୃହରକ୍ଷୀଙ୍କ ଭବିଷ୍ୟତ, ସରକାର ଅଚିନ୍ତାରେ
ଚାକିରିରେ କୌଣସି ସର୍ତ୍ତାବଳୀ କି ସାମାଜିକ ସୁରକ୍ଷା ନାହିଁ। ହେଲେ ରାଜ୍ୟର ସମସ୍ତ ପ୍ରକାର ଆଇନ୍‌ ଶୃଙ୍ଖଳା ପରିସ୍ଥିତିଠାରୁ ଆରମ୍ଭ କରି ପ୍ରଶାସନିକ ସୁରକ୍ଷା କ୍ଷେତ୍ରରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ ସମ୍ପାଦାନ କରୁଛନ୍ତି ଗୃହରକ୍ଷୀ। ଥାନାର ସମସ୍ତ କାମଠାରୁ ଆରମ୍ଭ କରି, ବ୍ୟାଙ୍କ, ଉପରିସ୍ଥ ଅଧିକାରୀଙ୍କ ଘର ଜଗିବା, ପିସିଆର ଭ୍ୟାନ ଚଲାଇବା, ଦିନରାତି ଏକ କରି ପାଟ୍ରୋଲିଂ କରିବା, ଅପରାଧୀଙ୍କୁ ଧରିବା, ଅପରାଧୀଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରିବା, ଟ୍ରାଫିକ୍‌ ପରିଚାଳନା କରିବା ଆଦି ଗୁରୁତ୍ୱପୂର୍ଣ୍ଣ କାମ ତ କରୁଛନ୍ତି, ଏହାଛଡ଼ା ବାବୁଙ୍କ ଘର ଝାଡ଼ୁଠାରୁ ଆରମ୍ଭ କରି ବଗିଚାରେ ପାଣିଦେବା, ରୋଷେଇ କରିବା, ପିଲାଙ୍କୁ ସ୍କୁଲ ନେବା ଏପରିକି ବାବୁଙ୍କ ବିଲାତି କୁକୁରର ଯତ୍ନ ନେବା ଭଳି ବୋଲହାକ କାମ ବି କରିବାକୁ ପଡ଼ୁଛି। ମାତ୍ର ପୁଲିସର ୮୦ ପ୍ରତିଶତ କାମ କରୁଥିବା ଏହି ଗୃହରକ୍ଷୀଙ୍କ ଦରମା କଥା ଉଠିଲେ ପୁଲିସର ବଡ଼ ବଡ଼ ବାବୁମାନଙ୍କଠାରୁ ଆରମ୍ଭ କରି ସରକାରଙ୍କ ମନ୍ତ୍ରୀ, ସଚିବମାନେ କେହି ବି ଦରଦ ଦେଖାନ୍ତି ନାହିଁ। ଜୀବନକୁ ବାଜି ଲଗାଇ ସମାଜକୁ ସୁରକ୍ଷା ଦେଉଥିବା ଗୃହରକ୍ଷୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ କାମ କରି ମଧ୍ୟ ସେମାନଙ୍କ ଓ ସେମାନଙ୍କ ପରିବାରର ଭବିଷ୍ୟତ ପ୍ରତି ସରକାରଙ୍କର ତିଳେମାତ୍ର ନିଘା ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଆନ୍ଦୋଳନରତ ଗୃହରକ୍ଷୀ।

ମିଳୁଛି ଧମକ, ଚେତାବନୀ: ଧାରଣାରୁ ଉଠ, ନହେଲେ ଛଟେଇ

ଗୃହରକ୍ଷୀମାନଙ୍କୁ ଧାରଣାରୁ ହଟିଯିବା ପାଇଁ ଉପରୁୁ ଚାପ ପକାଯାଉଛି। ଏମିତିକି କିଛି ପୁଲିସ ଅଧିକାରୀ ମେସେଜ୍‌ ଓ ଫୋନ୍‌ରେ ଧମକ ଦେଉଥିବାବେଳେ ଫ୍ୟାକ୍ସ ମାଧ୍ୟମରେ ବି ଚେତାବନୀ ଦିଆଯାଉଛି। ଧାରଣାରୁ ଉଠି ତୁରନ୍ତ କାମରେ ଯୋଗଦିଅ। ନଚେତ ଚାକିରିରୁ ଛଟେଇ କରାଯିବ ବୋଲି ଗୃହରକ୍ଷୀଙ୍କୁ ବାରମ୍ବାର ଚେତାବନୀ ଦିଆଯାଉଛି। ହେଲେ ଗୃହରକ୍ଷୀମାନେ ଏଭଳି ଧମକ୍‌ରେ ବିବ୍ରତ ହୋଇନାହାନ୍ତି କି ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସଂଘର ସଭାପତି ଉପେନ୍ଦ୍ର ମହାପାତ୍ର ଓ ସମ୍ପାଦକ ନିରଞ୍ଜନ ସେନାପତି କହିଛନ୍ତି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ମଧ୍ୟ ଜିଦ୍‌ରେ ଅଟଳ ଥିବା ଜଣାପଡ଼ିଛି।

ଓଳିଏ ଖାଇଲେ ଓଳିଏ ଉପାସ

ଦିନକୁ ଦରମା ୨୪୦ଟଙ୍କା

ଆଜିର ବ୍ୟୟବହୁଳ ସମାଜରେ ଜଣେ ସାଧାାରଣ ମଣିଷ ଜୀବନ ଧାରଣ ପାଇଁ ଦିନକୁ ୨୪୦ ଟଙ୍କା ପର୍ଯ୍ୟାପ୍ତ କି? ସରକାରଙ୍କୁ ବାରମ୍ବାର ଏ ପ୍ରଶ୍ନ ପଚାରି ଚାଲିଛନ୍ତି ଗୃହରକ୍ଷୀ। ମାତ୍ର ସେମାନଙ୍କ ପ୍ରଶ୍ନର ଉତ୍ତର ପାଉନାହାନ୍ତି। ଗୃହରକ୍ଷୀଙ୍କ କହିବା କଥା ହେଲା ବାବୁମାନଙ୍କ ଗାଡ଼ି ଇନ୍ଧନ ଖର୍ଚ୍ଚ ଜଣେ ଗୃହରକ୍ଷୀ ଦରମାଠାରୁ ଅଧିକ। ଘରର୍‌ ବିଦ୍ୟୁତ ବିଲ୍‌ ଓ ଫୋନ୍‌ ବିଲ୍‌ ମାସକୁ ୧୦ ହଜର ଟପିଯାଉଛି। ମାତ୍ର ଗୃହରକ୍ଷୀଙ୍କ କ୍ଷେତ୍ରରେ ଏତେ ଅବହେଳା କାହିଁକି? ଆଜି ଦିନରେ ଗୋଟିଏ ଛୋଟ ପରିବାର ଚଳିବା ପାଇଁ ବି ଦିନକୁ ୨୪୦ ଟଙ୍କା ପର୍ଯ୍ୟାପ୍ତ ନୁହେଁ। ୨୪୦ ଟଙ୍କାରେ ଦି ଓଳି ଦି ମୁଠା ଖାଇବା ପାଇଁ ବି ନିଅଣ୍ଟ ପଡ଼ୁଛି। ପିଲାଙ୍କ ପାଠପଢ଼ା, ଦେହପା କି ଲୁଗାପଟା ଖଣ୍ଡେ କିଣିବାକୁ ପଇସା ଅଣ୍ଟୁନି। ଦୁଇ ସନ୍ତାନ ଥିବା ପରିବାର ଦିନକୁ ୨୪୦ ଟଙ୍କା ରୋଜଗାରରେ ଚଳିବା ଯେ କେତେ କଷ୍ଟକର ତାହା କ’ଣ ଏହି ବାବୁମାନେ ବୁଝି ପାରୁନାହାନ୍ତି? କୋହଭରା କଣ୍ଠରେ ଅନେକ ଗୃହରକ୍ଷୀ ଆଜି ସେମାନଙ୍କ ବେଦନାକୁ ତୋଳି ଧରିଥିବାବେଳେ ସରକାର ସେମାନଙ୍କ ଦାବିକୁ ତୁରନ୍ତ ମାନି ନିଅନ୍ତୁ ବୋଲି ରାଜ୍ୟ ଯୁଗ୍ମ ସମ୍ପାଦକ ଧନିରାମ ସାହୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର