ବମିଖାଲ ଓଭରବ୍ରିଜ୍‌ ଉପରେ ଟ୍ରାଫିକ୍‌ କଟକଣା

ଭୁବନେଶ୍ବର: ସହିଦନଗର-ବମିଖାଲ ଓଭରବ୍ରିଜ୍‌ ଉପରେ ଭିଡ଼ ହେଉଥିବାରୁ, ଲୋକମାନେ ରଙ୍ଗ ରୁଟ୍‌ରେ ଯାଉଥିବାରୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କମିସନରେଟ୍ ପୁଲିସ ସହାୟତାରେ ଟ୍ରାଫିକ କଟକଣା ଲଗାଯାଇଛି। ଓଭରବ୍ରିଜ୍‌ ଉପରେ ଯେପରି ଲୋକ ସିଧା ଆସିବେ ଏବଂ ଯିବେ, ବମିଖାଲ ପାର୍ଶ୍ବରୁ ଆସୁଥିବା ଲୋକ ରସୁଲଗଡ଼ ପାର୍ଶ୍ବକୁ ଯାଇପାରିବେନି କି ରସୁଲଗଡ଼ ପାର୍ଶ୍ବରୁ ଆସୁଥିବା ଲୋକ ବମିଖାଲକୁ, ସହିଦନଗର ପାର୍ଶ୍ବରୁ ଆସୁଥିବା ଲୋକ ବମିଖାଲ ପାର୍ଶ୍ବକୁ ଯାଇପାରିବେନି ସେଥିପାଇଁ ଫାଇବର୍ ଡିଭାଇଡର୍‌ ଲଗାଯାଇଛି। ବ୍ରିଜ୍‌ ମଝିରେ ନିର୍ମାଣ ହୋଇଥିବା ଡିଭାଇଡରରୁ ପ୍ରାୟ ୪୦ମିଟର ପର୍ଯ୍ୟନ୍ତ ଏହି ପ୍ଲାଷ୍ଟିକ ଡିଭାଇଡର୍ ପୋତା ହୋଇଛି। ଏହି ଡିଭାଇଡର ଲାଗିଲା ପରେ ଚାରିଚକିଆ ଯାନଗୁଡ଼ିକ ଆଉ ରଙ୍ଗ୍‌ ରୁଟ୍‌ରେ ଯାଉନାହାନ୍ତି। ହେଲେ ଦୁଇଚକିଆ ଗାଡ଼ି ଏହି ଡିଭାଇଡର୍‌ ମଝିରେ ପଶି ରଙ୍ଗରୁଟ୍‌ରେ ଯାଉଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ପୂର୍ତ୍ତ ବିଭାଗ ପକ୍ଷରୁ ବ୍ରିଜ୍‌ ଉପରେ ଟ୍ରାଫିକ ପୁଲିସ ମୁତୟନ ସହ ଜୟଦୁର୍ଗାନଗର ଛକରେ ଥିବା କଟ୍‌କୁ ଅଧିକ ଓସାର କରିବା କିମ୍ବା ବମିଖାଲ ପାର୍ଶ୍ବରେ ବ୍ରିଜ୍‌ ନିକଟରେ ଏକ ଗୋଲେଇ କରିବାକୁ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ କହୁଥିଲେ ହେଁ ଏନେଇ କିଛି ନିଷ୍ପତ୍ତି ନେଇନାହାନ୍ତି। ଯାହା ଟ୍ରାଫିକ ଜନିତ ସମସ୍ୟାର ସଂପୂର୍ଣ୍ଣ ସମାଧାନ କରିବାରେ ବିଫଳ ହୋଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର